ଓଡ଼ିଶାଲାଇଭ୍‌ ବ୍ୟୁରୋ

ଜମୁଛି ବିଜେପୁର ରାଜନୀତି। ଉପ-ନିର୍ବାଚନ ପୂର୍ବରୁ ବରଗଡ଼ ଏସ୍‌ପିଙ୍କୁ ବଦଳାଇବା ପାଇଁ ପଦକ୍ଷେପ ନେଇଛନ୍ତି ନିର୍ବାଚନ ଅଧିକାରୀ। ଏହାକୁ ନେଇ ରାଜନୀତି ଉଷ୍ମ।

ଉପ-ନିର୍ବାଚନ ପୂର୍ବରୁ ବିଜେପୁରରେ ଜମୁଛି ରାଜନୀତି। ମାହୋଲ ଜମିବା ପୂର୍ବରୁ ବରଗଡ଼ ଏସପି ବଦଳି ଯାଇଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀ ବରଗଡ଼ ଏସପି ଯୁଗଳ କିଶୋରଙ୍କୁ ବଦଳାଇବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଯୁଗଳଙ୍କ ସ୍ଥାନରେ କିଏ ହେବ ଏସ୍‌ପି ତାକୁ ନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ବରଗଡ଼ ଏସ୍‌ପି କିଏ ହେବ ସେ ସମ୍ପର୍କରେ ରାଜ୍ୟ ନିର୍ବାଚନ ଅଧିକାରୀ ଗୃହ ବିଭାଗର ପରାମର୍ଶ ଲୋଡ଼ିଛନ୍ତି। ଏସ୍‌ପି ପାଇଁ ତିନୋଟି ନାଁ ସୁପାରିଶ କରିବାକୁ କହିଛନ୍ତି। ରାଜ୍ୟ ନିର୍ବାଚନ ଅଧିକାରୀଙ୍କଠାରୁ ଚିଠି ପାଇବା ପରେ ଗୃହ ବିଭାଗ ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମାଙ୍କୁ ଚିଠି ଲେଖି ୩ ଜଣ ଅଫିସରଙ୍କ ନାଁ ମାଗିଛି।

ନିର୍ବାଚନକୁ ୧୬ ଦିନ ବାକି ଥିବା ବେଳେ ଏସ୍‌ପି ବଦଳି ହେବା ପ୍ରସଙ୍ଗକୁ ନେଇ ରାଜନୀତି ମାହୋଲ୍ ଗରମ ହୋଇଯାଇଛି।

ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପି ଶାସକ ଦଳର ହାତବାରିସି ସାଜି କାମ କରୁଥିବା ବିଜେପି କିଛିଦିନ ତଳେ ଅଭିଯୋଗ କରିଥିଲା। ନିର୍ବାଚନ ପୂର୍ବରୁ ବରଗଡ଼ ଜିଲ୍ଲାପାଳ ଏବଂ ଏସ୍‌ପିଙ୍କୁ ବଦଳି କରିବା ପାଇଁ ବିଜେପିର ଏକ ପ୍ରତିନିଧି ଦଳ କେନ୍ଦ୍ର ନିର୍ବାଚନ ଅଧିକାରୀଙ୍କୁ ଭେଟି ଫେରାଦ ହୋଇଥିଲେ।

ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର କହିଛନ୍ତି, “ଭାରତୀୟ ନିର୍ବାଚନ ଆୟୋଗ ଏସ୍‌ପି ବଦଳାଇବା ପାଇଁ ଆମ ପାଖକୁ ଚିଠି ଲେଖିଥିଲେ। ଏହି ଚିଠି ଆଧାରରେ ଏହି ପଦକ୍ଷେପ ନିଆଯାଇଛି।”

Comment