ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପୁରୀରୁ ଆସିଲା ଶୋଭାଯାତ୍ରା
  • ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ଏକାଠି ହେଲେ ଶିକ୍ଷକ କର୍ମଚାରୀ
  • ଶିକ୍ଷକଙ୍କ ଚେତାବନୀ: ଦାବି ପୂରଣ ନହେଲେ ବିଜେପୁର ଯିବୁ

ରାଜଧାନୀ ରାଜ ରାସ୍ତାରେ ଗର୍ଜିଲେ ଶିକ୍ଷକ। ଚାକିରି ସର୍ତ୍ତାବଳୀ ସତ୍ୟପାଠ ବିରୋଧରେ ରଣହୁଙ୍କାର ଦେଇଛନ୍ତି ଶିକ୍ଷକ ଏବଂ ଅଧ୍ୟାପକ। ଚାକିରି ସର୍ତ୍ତାବଳୀ ସହ ପୂର୍ଣ୍ଣ ଅନୁଦାନ ନଦେଲେ ଶିକ୍ଷକ ଅଧ୍ୟାପକଙ୍କ ଶୋଭାଯାତ୍ରା ବିଜେପୁର ପର୍ଯ୍ୟନ୍ତ ଯିବ ବୋଲି ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ଚାକିରି ସର୍ତ୍ତାବଳୀ, ସପ୍ତମ ବେତନ କମିସନ, ପେନ୍‌ସନ୍ ଲାଗୁ ଦାବିରେ ପୁରୀଠାରୁ ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀଙ୍କ ଶୋଭାଯାତ୍ରା ବାହାରିଥିଲା। ଏହି ଶୋଭାଯାତ୍ରା ଶୁକ୍ରବାର ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପହଞ୍ଚିଥିଲା।

ସମସ୍ତ ସ୍କୁଲ କଲେଜରୁ ବ୍ଲକଗ୍ରାଣ୍ଟ ଉଚ୍ଛେଦ କରି ଶତ ପ୍ରତିଶତ ଅନୁଦାନ ଦେବା, ଚାକିରି ସର୍ତ୍ତାବଳୀ ପ୍ରଦାନ କରିବା, ସପ୍ତମ ବେତନ କମିସନ ଲାଗୁ କରିବା, ଅନୁଦାନ ଯୋଗ୍ୟ ସ୍କୁଲ କଲେଜକୁ ଅନୁଦାନ ଦେବା ଆଦିରେ ଶିକ୍ଷକ ସଂଘ ଗର୍ଜିଛି। ଯଦି ସରକାର ଆମ ଦାବି ନଶୁଣନ୍ତି ତାହେଲେ ବିଜେପୁର ପର୍ଯ୍ୟନ୍ତ ଆମେ ଯିବୁ ବୋଲି ସଂଘ ଚେତାବନୀ ଦେଇଛି।

ଏଓ୍‌ଟିଏଫ୍‌ଓ ମୁଖ୍ୟ ଆବାହକ ପ୍ରକାଶ ଚନ୍ଦ୍ର ମହାନ୍ତି କହିଛନ୍ତି, “ଶିକ୍ଷକ କର୍ମଚାରୀଙ୍କ କ୍ଷେତ୍ରରେ ସରକାର ଟାଳଟୂଳ ନୀତି ଅବଲମ୍ବନ କରୁଛନ୍ତି। ଯେଉଁ ପ୍ରତିଶ୍ରୁତି ସରକାର ଦେଇଥିଲେ ତାହାକୁ ରକ୍ଷା କରି ନାହାନ୍ତି। ଏଥର ଦାବି ପୂରଣ ନହେବା ଯାଏଁ ଆନ୍ଦୋଳନ ହଟିବ ନାହିଁ

୪୮୮ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ପବିତ୍ର ମହାଲା, ୬୬୨ ବର୍ଗ କଲେଜ ଶିକ୍ଷକ ସଂଘ ସଭାପତି ଗୋଲକ ନାୟକଙ୍କ ନେତୃତ୍ୱରେ ଏହି ଶୋଭାଯାତ୍ରା ଆୟୋଜନ ହୋଇଥିଲା।

ଗଣଶିକ୍ଷା ମନ୍ତ୍ରୀ ବଦ୍ରୀନାରାୟଣ ପାତ୍ର କହିଛନ୍ତି, “ଶିକ୍ଷକଙ୍କ ଦାବିରେ କିଛି ନୂତନତା ନାହିଁ। ସେମାନେ ପୂର୍ବରୁ ମଧ୍ୟ ଆନ୍ଦୋଳନ କରିଥିଲେ। ସରକାର ସେମାନଙ୍କ ସହ ଆଲୋଚନା କରିଥିଲେ। ସରକାର ଦେଇଥିବା ପ୍ରସ୍ତାବରେ ସହମତି ଜଣାଇ ଆନ୍ଦୋଳନରୁ ଓହରିଥିଲେ। ଏବେ ପୁଣି ସେହି ଦାବି ଉଠାଇଛନ୍ତି। ଆବଶ୍ୟକ ମନେହେଲେ ଆଲୋଚନା କରିବାକୁ ଡକାଯିବ।”

Comment