ଓଡ଼ିଶାଲାଇଭ୍‌ ବ୍ୟୁରୋ

 

  • ଆଇଆଇସିଙ୍କ ସମେତ ୨ ନିଲମ୍ବିତ
  • ଆଜି ସମ୍ବଲପୁର ଯିବେ ଏଚଆର୍‌ପିସିର ୩ ଜଣିଆ ଟିମ୍
  • ଅଇଁଠାପାଲିରେ ପରିସ୍ଥିତି ନିୟନ୍ତ୍ରଣାଧିନ
  • ନିଆଁ ଲିଭାଉଛନ୍ତି ଦମକଳ ବାହିନୀ
  • ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ: ଡିଜି

ସମ୍ବଲପୁର ଜିଲ୍ଲା ଅଇଁଠାପାଲି ଥାନାରେ ଘଟିଥିବା ହାଜତ ମୃତ୍ୟୁ ଘଟଣା ଉଗ୍ରରୂପ ଧାରଣ କରିଛି। ସ୍ଥାନୀୟ ଲୋକେ ଥାନାରେ ନିଆଁ ଲଗାଇବା ପରେ ପରିସ୍ଥିତି ଜଟିଳ ହୋଇଛି। କାର୍ଯ୍ୟରେ ଅବହେଳା କରିବା ଅଭିଯୋଗରେ ଥାନା ଆଇଆଇସି, ଡିସିଓ ଏବଂ ସେଣ୍ଟ୍ରିଙ୍କୁ ନିଲମ୍ବିତ କରାଯାଇଛି।

ଘଟଣାର ତଦନ୍ତ ପାଇଁ ଏଚଆର୍‌ପିସି (ମାନବାଧିକାର ସୁରକ୍ଷା ସେଲ୍‌)ର ୩ ଜଣିଆ ଟିମ୍‌ ଆଜି ସମ୍ବଲପୁର ଯିବେ। ଏହି ଟିମ୍‌ ସମ୍ବଲପୁର ଏସ୍‌ପି ସଞ୍ଜିବ ଆରୋରାଙ୍କ ସହ ଯୋଗାଯୋଗ କରି ତଦନ୍ତ କରିବେ ବୋଲି  ସୂଚନା ଦେଇଛନ୍ତି ଏଚଆର୍‌ପିସି ଏଡିଜି ମହେନ୍ଦ୍ର ପ୍ରତାପ।

ଏପଟେ ଅଇଁଠାପାଲିରେ ସ୍ଥିତି ନିୟନ୍ତ୍ରଣାଧିନ ରହିଛି। ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ମଧ୍ୟ ତଦନ୍ତ ଆଦେଶ ଦେଇଛନ୍ତି।

ଡିଜି କହିଛନ୍ତି, “ଏହି ଘଟଣାର ତଦନ୍ତ କରାଯିବ। ଯିଏ ଦୋଷୀ ସାବ୍ୟସ୍ତ ହେବେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଚଆରପିସି ଏଡିଜିଙ୍କ ସମେତ ଉତ୍ତରାଞ୍ଚଳ ଆଇଜି ଏବଂ ଜିଲ୍ଲାପାଳ ତଦନ୍ତ କରିବେ।”

ଏଚ୍‌ଆରପିସି ଏଡିଜି ମହେନ୍ଦ୍ର ପ୍ରତାପ କହିଛନ୍ତି, “ହାଜତ ମୃତ୍ୟୁ ଘଟଣାର ତଦନ୍ତ କରିବା ପାଇଁ ୩ ଜଣିଆ ଟିମ୍‌ ସମ୍ବଲପୁର ଯିବେ। ପୋଷ୍ଟମର୍ଟମ ରିପୋର୍ଟ, ଲୋକଙ୍କ ଅଭିଯୋଗ ଏବଂ ଘଟଣାକୁ ଆଖିରେ ରଖି ତଦନ୍ତ କରାଯିବ। ହାଜତ ମୃତ୍ୟୁ ଅଭିଯୋଗର ଯାହା ଗାଇଡ଼ଲାଇନ୍‌ ରହିଛି ତାକୁ ଆଧାର କରି ତଦନ୍ତ କରାଯିବ।”

ଏପଟେ ଅଇଁଠାପାଲି ଥାନାରେ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି। ପୋଲିସର ଲାଠି ମାଡ଼ ପରେ ଉତ୍ତ୍ୟକ୍ତ ଲୋକ ଛତ୍ରଭଙ୍ଗ ଦେଇଛନ୍ତି। ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଆସବାବପତ୍ର, ଗାଡ଼ି ଏବଂ କାଗଜପତ୍ରରେ ନିଆଁ ଲଗାଇ ଦେଇଛନ୍ତି। ଲୋକ ଛତ୍ରଭଙ୍ଗ ଦେବା ପରେ ଦୁଇଟି ଦମକଳ ଗାଡ଼ି ନିଆଁକୁ ଆୟତ୍ତ କରିଥିଲେ।

ମୃତ ଯୁବକ ଅବିନାଶ ମୁଣ୍ଡା ଭାଲୁପାଲି ଗାଁର। ତାଙ୍କୁ ପୋଲିସ ବୁଧବାର ଅଟକ ରଖିଥିଲା। ଗୁରୁବାର ରାତିରେ ମୃତଦେହ ଉଦ୍ଧାର ହେବା ପରେ ପୋଷ୍ଟମର୍ଟମ ପାଇଁ ବୁର୍ଲା ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ପଠା ଯାଇଛି। ସ୍ଥାନୀୟ ଲୋକେ ଶୁକ୍ରବାର ସକାଳେ ରାସ୍ତା ଅବରୋଧ କରିବାରୁ ଝାରସୁଗୁଡ଼ା-ସମ୍ବଲପୁର ରାସ୍ତାରେ ଯାତାୟତ ବନ୍ଦ ରହିଥିଲା। ଶେଷରେ ଉତ୍ତ୍ୟକ୍ତ ଲୋକେ ଥାନାରେ ପଶି ଲଙ୍କାକାଣ୍ଡ କରିଛନ୍ତି।

ଅଇଁଠାପାଲ୍ଲିର ଏକ କଲ୍ୟାଣମଣ୍ଡପରୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗକୁ ଆଧାର କରି ପୋଲିସ ୭ ତାରିଖରେ ଜଣେ ଯୁବକ ଅବିନାଶଙ୍କୁ ଅଟକ ରଖିଥିଲା। ହେଲେ ଗୁରୁବାର ରାତିରେ ତାଙ୍କର ହଜତରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି। ପ୍ରାଥମିକ ତଦନ୍ତରୁ ପୋଲିସ ଏହାକୁ ଆତ୍ମହତ୍ୟା ବୋଲି କହୁଛି। ହେଲେ ପରିବାର ବର୍ଗ ଭିନ୍ନ ଅଭିଯୋଗ କରୁଛନ୍ତି। ପୋଲିସ ପିଟି ପିଟି ଯୁବକଙ୍କୁ ମାରି ଦେଇଥିବା ପରିବାର ବର୍ଗ ଅଭିଯୋଗ କରିଛନ୍ତି।

Comment