ଓଡ଼ିଶାଲାଇଭ୍‍ ବ୍ୟୁରୋ

ଚିଲିକାର ଅପରୂପ ସୌନ୍ଦର୍ଯ୍ୟକୁ ନେଇ ଲୋକାର୍ପଣ ହୋଇଛି ‘ଊର୍ମି ଅଧିରା ରୂପସୀ ଚିଲିକା’ ପୁସ୍ତକ। ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ ଭୁବନେଶ୍ୱରରେ ଏହି ପୁସ୍ତକକୁ ଉନ୍ମୋଚନ କରିଛନ୍ତି। ୧୦୮ ପୃଷ୍ଠାବିଶିଷ୍ଟ ଏହି ବହିକୁ ଲେଖିଛନ୍ତି ଦିପ୍ତୀ ରଞ୍ଜନ ମାର୍ଥା। ବହିଟି ପକ୍ଷୀଘର ପବ୍ଲିକେସନ ପକ୍ଷରୁ ପ୍ରକାଶିତ।

ଏଥିରେ ଚିଲିକାର ପ୍ରାକୃତିକ ସୌନ୍ଦର୍ଯ୍ୟ, ପରିବେଶର ବିବିଧତା, ବିଦେଶୀ ପକ୍ଷୀଙ୍କ ସମ୍ଭାର, ଚିଲିକାର ପର୍ଯ୍ୟଟକ ଆକର୍ଷଣ ଏବଂ ଚିଲିକା ହ୍ରଦ ତଥା ଆଖପାଖରେ ଥିବା ବିଭିନ୍ନ ଦର୍ଶନୀୟ ସ୍ଥାନ ଉପରେ ବର୍ଣ୍ଣନା କରାଯାଇଛି।

“ଚିଲିକା ଉପରେ ଆଧାରିକ ପୁସ୍ତକକୁ ଲୋକାର୍ପଣ କରି ମୁଁ ବହୁତ ଖୁସି। ଚିଲିକା ସମ୍ପର୍କରେ ବହୁ ଅନାଲୋଚିତ ତଥା ଅଜଣା କଥା ଏହି ବହିରେ ସ୍ଥାନ ପାଇଥିବାରୁ ଏହା ପୁସ୍ତକ ପ୍ରେମୀଙ୍କୁ ଆକର୍ଷିତ କରିବ। ପାଠକମାନେ ଏହି ପୁସ୍ତକକୁ ଗ୍ରହଣ କରିବେ”, କହିଛନ୍ତି ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ବୀର ବିକ୍ରମ ଶାହା ଦେବ।

“ପିଲାବେଳୁ ଚିଲିକା ମୋତେ ଆକର୍ଷିତ କରିଆସିଛି। ମୋ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଏବଂ ଆକର୍ଷଣୀୟ ବିଷୟ। ତେଣୁ ଏହି ବହି ମାଧ୍ୟମରେ ଚିଲିକା ପ୍ରତି ମୁଁ ପାଠକମାନଙ୍କ ବିଶେଷ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିଛି”, କହିଛନ୍ତି ବହିର ଲେଖକ ଦିପ୍ତୀ ରଞ୍ଜନ ମାର୍ଥା।

ଏହି ପୁସ୍ତକ ଲୋକାର୍ପଣ ଉତ୍ସବରେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ମହାରାଣୀ ଲିଳାବତୀ ପାଟ୍ଟମହାଦେଇ, ପକ୍ଷୀଘର ପବ୍ଲିକେସନର ପ୍ରତିଷ୍ଠାତା ବନୋଜ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

‘ଊର୍ମି ଅଧିରା ରୂପସୀ ଚିଲିକା’ ପୁସ୍ତକରେ ଚିଲିକାରେ ଦେଖାଯାଉଥିବା ବିଦେଶୀ ଓ ଦେଶୀ ପ୍ରଜାତିର ପକ୍ଷୀମାନଙ୍କ ବିଷୟରେ ବିସ୍ତୃତ ବର୍ଣ୍ଣନା ରହିଛି। ଏହା ପକ୍ଷୀପ୍ରେମୀଙ୍କ ପାଇଁ ଉପାଦେୟ ହୋଇପାରିବ। ସେହିପରି ମଙ୍ଗଳାଯୋଡ଼ି ଅଧ୍ୟାୟରେ ଏହି ବିଶେଷ ପର୍ଯ୍ୟଟନ କ୍ଷେତ୍ର ସମ୍ପର୍କରେ ବର୍ଣ୍ଣନା କରାଯାଇଛି। ପକ୍ଷୀମାନଙ୍କ ସମ୍ପର୍କରେ ବର୍ଣ୍ଣନା ବେଳେ ସେମାନଙ୍କର ପରିଚୟ, ବିବିଧତା ଏବଂ ସ୍ୱାତନ୍ତ୍ର୍ୟ ସମ୍ପର୍କରେ ମଧ୍ୟ କୁହାଯାଇଛି।

Comment