ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ପାଣ୍ଡିଆନ୍‌ଙ୍କୁ ଟାର୍ଗେଟ୍‌ କଲା ବିଜେପି
  • ବାସଭବନ ସମ୍ମୁଖରେ ପ୍ରତିବାଦ
  • ବିଜେପି-ବିଜେଡି ଭିତରେ ତୁ ତୁ ମେଁ ମେଁ
  • ବିଜେଡି କହିଲା, “ଅଶୋଭନୀୟ ଆଚରଣ”
  • ବିଜେଡିକୁ କାହିଁକି ବାଧୁଛି: ବିଜେପି
  • ବିଜେପି ପ୍ରତିବାଦକୁ ଘୃଣ୍ୟ କାମ କହିଲେ ବିରୋଧୀ ଦଳ ନେତା
  • ଏହା ଦୁଃଖଦ ଘଟଣା: ମୁଖ୍ୟମନ୍ତ୍ରୀ

ଜୋରଦାର ହେଉଛି ପାଣ୍ଡିଆନ ବିରୋଧୀ ଝଡ଼। କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କୁ ଟାର୍ଗେଟ୍ କରିବା ପରେ ଶନିବାର ବିଜେପି କର୍ମୀ ପାଣ୍ଡିଆନ୍‌ଙ୍କୁ ନିଶାନା କରିଛନ୍ତି।

ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପାଇଁ କାମ କରିବା ଅଭିଯୋଗରେ ପାଣ୍ଡିଆନଙ୍କୁ ସିଧାସଳଖ ଟାର୍ଗେଟ୍ କରିଛି ବିଜେପି। କେବଳ ଟାର୍ଗେଟ୍ କରି ଅଟକି ଯାଇନି, ପାଣ୍ଡିଆନଙ୍କ ବାସଭବନରେ ଧସେଇ ପଶିଛି। ହାତରେ ଦଳୀୟ ପତାକା ଏବଂ ମୁହଁରେ ପାଣ୍ଡିଆନ ବିରୋଧୀ ସ୍ଲୋଗାନ୍ ଦେଇ ବିଜେପି ଯୁବମୋର୍ଚ୍ଚା କର୍ମୀ ସୁରକ୍ଷା କର୍ମୀଙ୍କ ସହ ଧସ୍ତାଧସ୍ତି କରି ବାସଭବନକୁ ପଶିଥିଲେ।

ବାସଭବନ ପରିସରରେ ଥିବା ଫୁଲକୁଣ୍ଡ ଭାଙ୍ଗିବା ସହ ଗୋବର ଓ ଢେଲାମାଡ଼ ମାଡ଼ କରିଥିଲେ।

ଖବରପାଇ ପୋଲିସ ଘଟଣାସ୍ଥଳକୁ ଆସି ଆନ୍ଦୋଳନ ରତ ବିଜେପି କର୍ମୀଙ୍କୁ ଘଉଡ଼ାଇଥିଲେ। ପୋଲିସ ସହ ବିଜେପି କର୍ମୀଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲା।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହାକୁ ଦୁଃଖଦ ଘଟଣା କହିଛନ୍ତି। ପୁରୀ ଗୋବର୍ଦ୍ଧନ ପୀଠର ଆଦିଗୁରୁ ଶଙ୍କରାଚାର୍ଯ୍ୟଙ୍କ ପଟ୍ଟାଭିଷେକ ଉତ୍ସବରେ ଯୋଗଦେଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ସେ କହିଥିଲେ ଯେ, ଏକ ଜାତୀୟ ଦଳର କିଛି କର୍ମୀ ଏଭଳି କାମ କରିଛନ୍ତି। ଏହି ଆଚରଣ ସତରେ ଦୁଃଖଦ।

୪ ବିଜେପି କର୍ମୀ ଗିରଫ

ପାଣ୍ଡିଆନ୍‌ଙ୍କ ବାସଭବନ ସମ୍ମୁଖରେ ବିଜେପିର ପ୍ରତିବାଦ ଖବର ପାଇ ମେୟର ଅନନ୍ତ ନାରାୟଣ ଜେନା, ଡିସିପି ସତ୍ୟବ୍ରତ ଭୋଇ ଏବଂ ପୋଲିସ କମିଶନର ଓ୍ବାଇ ବି ଖୁରାନିଆ ଘଟଣାସ୍ଥଳକୁ ଆସି ପରିସ୍ଥିତି ଅନୁଧ୍ୟାନ କରିଥିଲେ। ପରେ କମିଶନରେଟ୍ ପୋଲିସ ପାଣ୍ଡିଆନଙ୍କ ବ୍ୟକ୍ତିଗତ ସଚିବଙ୍କ ଘର ଆଗରେ ଅଶୋଭନୀୟ ଅଚରଣ କରିଥିବା ବିଜେପି କର୍ମୀଙ୍କୁ ଖୋଜିଥିଲା।

ଏହି ଘଟଣାରେ ବର୍ତ୍ତମାନସୁଦ୍ଧା ପୋଲିସ ୪ ଜଣ ବିଜେପି କର୍ମୀଙ୍କୁ ଗିରଫ କରିଛି। ସେମାନେ ହେଲେ ଯୁଗଜ୍ୟୋତି ସ୍ବାଇଁ, ରଶ୍ମିରଞ୍ଜନ ମୁଦୁଲି, ବିଭୂତି ଭୂଷଣ ପୃଷ୍ଟି ଓ ବିଶ୍ବରଞ୍ଜନ ବଡ଼ଜେନା।

ନିନ୍ଦା କଲା ଆଇଏଏସ୍‌ ସଂଘ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନଙ୍କ ବାସଭବନକୁ ବିଜେପି କର୍ମୀମାନେ ଟାର୍ଗେଟ୍ କରିବା ଘଟଣାକୁ ନିନ୍ଦା କରିଛି ଆଇଏଏସ୍ ସଂଘ। ସଂଘ ସମ୍ପାଦକ ବିଶାଳ ଦେବ କହିଛନ୍ତି, “ବଭିନ୍ନ ପଦ ପଦବୀରେ ରହିଥିବା ବେଳେ ଆଇଏଏସ୍ ଅଫିସରମାନେ ସରକାରଙ୍କ ବିଭିନ୍ନ କାର୍ଯ୍ୟ କରିଥାନ୍ତି। ଏହାକୁ ନେଇ ବାସଭବନକୁ ଟାର୍ଗେଟ୍ କରିବା ଠିକ୍ ନୁହେଁ। ଆଇଏଏସ୍‌ ଅଫିସର ସେମାନଙ୍କ କାମ ଠିକ୍‌ଠାକ୍ କରୁଛନ୍ତି।”

ଆଇଏଏସ୍‌ ସଂଘ ସହ ଓଏଏସ୍‌ ଏବଂ ଓଆଇଏସ୍‌ ସଂଘ ମଧ୍ୟ ଘଟଣାକୁ ନିନ୍ଦା କରିଛି।

ପାଣ୍ଡିଆନଙ୍କ ବାସଭବନକୁ ଗୋବର ଓ ଢେଲା ମାଡ଼ କରିବା ପରେ ମୁହାଁମୁହିଁ ହୋଇଛନ୍ତି ବିଜେପି ଏବଂ ବିଜେଡି। ଉଭୟ ଦଳ ପୃଥକ୍ ପୃଥକ୍ ସାମ୍ବାଦିକ ସମ୍ମିଳନୀ କରି ଜବାବ ରଖିଛନ୍ତି।

ଯୋଜନାବଦ୍ଧ ଷଡ଼ଯନ୍ତ୍ର

ପାଣ୍ଡିଆନଙ୍କ ଘର ଆଗରେ ବିଜେପି କର୍ମୀଙ୍କ ପ୍ରତିବାଦ ପରେ ବିଜେଡି ସାମ୍ବାଦିକ ସମ୍ମିଳନୀ କରି ଘଟଣାକୁ ନିନ୍ଦା କରିଛି। ଏହାକୁ ଅଶୋଭନୀୟ ଆଚରଣ କହିଛି ବିଜେଡି। ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ପ୍ରତାପ ଦେବ ଏହାକୁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ବୋଲି କହିଛନ୍ତି।

ପ୍ରତାପ ଦେବ କହିଛନ୍ତି, “ବିଜେପି କର୍ମୀଙ୍କ ଗୋବର ଫିଙ୍ଗିବା ଅତ୍ୟନ୍ତ ନିନ୍ଦନୀୟ ଓ ଦୁର୍ଭାଗ୍ୟଜନକ। ପ୍ରଶାସନିକ ଅଧିକାରୀଙ୍କୁ ଆକ୍ରମଣ କରି ବିଜେପି ଅସହିଷ୍ଣୁତାର ପରିଚୟ ଦେଇଛି। ବିଜେପି ରାଜ୍ୟ ଶାସନ କରିବ ବୋଲି କହୁଛି। କ୍ଷମତାକୁ ଆସିବା ପରେ କ’ଣ ହେବ ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ୁଛି।”

ବିଜେପି ଦେଲା ଜବାବ

ବିଜେଡିର ସାମ୍ବାଦିକ ସମ୍ମିଳନୀ ପରେ ବିଜେପି ଜବାବ ଦେଇଛି। ବିଜେପି ଉପ-ସଭାପତି ସମୀର ମହାନ୍ତି କହିଛନ୍ତି, “ବିଜେପି ଯୁବ ମୋର୍ଚ୍ଚା ଗଣତାନ୍ତ୍ରିକ ପଦ୍ଧତିରେ ପ୍ରତିବାଦ କରିଛି। ପ୍ରଶାସନିକ ଅଧିକାରୀଙ୍କ ଘର ଆଗରେ ପ୍ରତିବାଦ କଲେ ବିଜେଡିକୁ କାହିଁକି ବାଧୁଛି? ଯେଉଁମାନେ ଅଳିଆ ଅଫିସର ଏବଂ ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରୁଛନ୍ତି ସେମାନେ ସୁଧୁରି ଯାଆନ୍ତୁ। ନଚେତ୍ ସେମାନଙ୍କୁ ବିଜେପି ଜବାବ ଦେବ।”

ବୈଜୟନ୍ତ କଲେ ଟୁଇଟ୍

ପାଣ୍ଡିଆନଙ୍କ ବାସଭବନ ଆଗରେ ବିଜେପି କର୍ମୀଙ୍କ ପ୍ରତିବାଦ ପରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଟୁଇଟ୍ କରିଛନ୍ତି। ପାଣ୍ଡିଆନଙ୍କ ଉପରେ ବର୍ଷିଛନ୍ତି।

ସେ ଟୁଇଟ୍ କରି କହିଛନ୍ତି, “ପ୍ରତିବାଦ କରିବା ଆଳରେ କାହା ବାସଭବନକୁ ଟାର୍ଗେଟ୍ କରାଯିବା ଘଟଣାକୁ ମୁଁ ସମର୍ଥନ କରୁନାହିଁ। ହେଲେ ପାଣ୍ଡିଆନଙ୍କୁ ବିଭିନ୍ନ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ମୋ’ ଉପରେ ଅଣ୍ଡା ମାଡ଼ ହୋଇଥିଲା ସେଥିରେ ପାଣ୍ଡିଆନ୍‌ଙ୍କ ହାତ ରହିଥିଲା। କିଛି ଲୋକଙ୍କୁ ସେ ଉସକାଇଥିଲେ। ଅଣ୍ଡାମାଡ଼ ଘଟଣାର ୪ ମାସ ପରେ ବି କାହାକୁ ଗିରଫ କରାଗଲା ନାହିଁ।”

ବିରୋଧୀ ଦଳ ନେତା ବି କଲେ ସମାଲୋଚନା

ବିଜେପିର ଗୋବର ଓ ଢେଲା ମାଡ଼କୁ ବିରୋଧୀ ଦଳ ନେତା ନରସିଂହ ମିଶ୍ର ସମାଲୋଚନା କରିଛନ୍ତି। ପ୍ରଶାସନିକ ଅଧିକାରୀଙ୍କ ଘର ଆଗକୁ ଗୋବର ଓ ଢେଲା ମାଡ଼ କରି ବିଜେପି ଘୃଣ୍ୟ କାମ କରିଥିବା ସେ କହିଛନ୍ତି। ବିଜେପି ଦାଦାଗିରି କରି ଏବେ କ୍ଷମତା ଦଖଲ ପାଇଁ ଉଦ୍ୟମ କରୁଛି। ଭୟଭୀତ କରି କ୍ଷମତାକୁ ଆସିବା ପାଇଁ ଅପଚେଷ୍ଟା କରିଛି।

Comment