ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କାର୍ତ୍ତିକେୟନ୍ ପାଣ୍ଡିଆନ୍‌ଙ୍କୁ ଝଡ଼ ଉଠିଛି। ବିଜେପି ଯୁବ ମୋର୍ଚ୍ଚା ପାଣ୍ଡିଆନ୍‌ଙ୍କ ସରକାରୀ ବାସଭବନକୁ ଗୋବର ଓ ଢେଲା ମାଡ଼ କରିବା ପରେ ବିଜେଡି ମିଡିଆକୁ ଟାଣିଛି।

ବିଜେଡି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ପ୍ରତାପ ଦେବ ମିଡିଆକୁ ଟାଣିଛନ୍ତି। ସେ କହିଛନ୍ତି, “ଘଟଣା ଘଟିବାର ଠିକ୍ ପୂର୍ବରୁ ଓଟିଭି ପ୍ରତିନିଧି ପାଣ୍ଡିଆନଙ୍କ ଘର ପଖକୁ ଯାଇଥିଲେ। ଏହାର କିଛି ମିନିଟ୍‌ ପରେ ବିଜେପି କର୍ମୀ ବାସଭବନରେ ଜୋରଜବରଦସ୍ତ ପଶିଥିଲେ। ଏହି ଘଟଣା ଘଟିବା ପୂର୍ବରୁ ଗଣମାଧ୍ୟମ କେମିତି ଜାଣିଲା ତାକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି।”

ବିଜେଡିର ଏହି ପ୍ରତିକ୍ରିୟା ପରେ ଓଟିଭି ତାର ଡିଜିଟାଲ ମିଡିଆରେ ସ୍ପଷ୍ଟୀକରଣ ଦେଇଛି। ଓଟିଭି ସମ୍ପାଦନା ମଣ୍ଡଳୀ ପକ୍ଷରୁ କୁହାଯାଇଛି ଏହି ଖବର ବିଜେପି ସୂତ୍ରରୁ ନୁହେଁ, ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ ଆସିଥିଲା। ଏହି ଗ୍ରୁପ୍‌ରେ ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଗୁଇନ୍ଦା ବିଭାଗର ଅଧିକାରୀମାନେ ରହିଛନ୍ତି। ଏକ ଦାୟିତ୍ବବାନ୍ ଗଣମାଧ୍ୟମ ହିସାବରେ ଏହି ସୂଚନା ପାଇବା ପରେ ଓଟିଭି ପ୍ରତିନିଧି ଖବର ସଂଗ୍ରହ କରିବାକୁ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଓଟିଭି ଉପରେ ବିଜେଡି ଯେଉଁ ଅଭିଯୋଗ ଆଣିଛି ତାହା ଅମୂଳକ ବୋଲି ଓଟିଭି କର୍ତ୍ତୃପକ୍ଷ କହିଛନ୍ତି।

ପାଣ୍ଡିଆନ୍‌ଙ୍କ ବାସଭବନ ଉପରକୁ ବିଜେପି ଯୁବମୋର୍ଚ୍ଚା ଗୋବର ଓ ଢେଲା ମାଡ଼ କରିଥିଲେ। ଏକ ନିର୍ଦ୍ଦିଷ୍ଟ  ଦଳକୁ ସାହାଯ୍ୟ କରୁଥିବା ଅଭିଯୋଗ ଏହି ପ୍ରତିବାଦ କରାଯାଇଥିଲା। କିଛିଦିନ ହେଲା ରାଜ୍ୟ ରାଜନୀତିରେ ପାଣ୍ଡିଆନ୍‌ଙ୍କୁ ନେଇ ବିଭିନ୍ନ ମଣମାଧ୍ୟମରେ ଭିନ୍ନ ଭିନ୍ନ ଖବର ପ୍ରକାଶିତ ହୋଇ ଆସୁଛି। ଓଟିଭି ମଧ୍ୟ ଖବର ପ୍ରସାରଣ କରିଛି।

Comment