ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗଜପତି ଜିଲ୍ଲା ଗୁମ୍ମା ବ୍ଲକର ଲୁହାଝୋଲ ଘାଟିରେ ଘଟିଛି ମର୍ମନ୍ତୁଦ ଦୁର୍ଘଟଣା। ଘାଟି ଉପରୁ ଇଟା ବୋଝେଇ ଟ୍ରକ ତଳକୁ ଖସି ପଡ଼ିବାରୁ ଚାଲି ଯାଇଛି ୯ ଜଣ ଶ୍ରମିକଙ୍କ ଜୀବନ। ଫଳରେ ଏହି ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ମଙ୍ଗଳବାର ପୂର୍ବାହ୍ନ ୧୦ଟା। ପାର୍ତ୍ତଡା ଗ୍ରାମରୁ ଗୋଟିଏ ଇଟା ବୋଝେଇ ଟ୍ରକ ପାରଳାଖେମୁଣ୍ଡି ଅଭିମୁଖେ ଯାଉଥିଲା। ଟ୍ରକ ଡାଲାରେ ୧୫ ଜଣ ଶ୍ରମିକ ବସିଥିଲେ। ହେଲେ ଲୁହାଝୋଲ ଘାଟିରେ ଚାଳକ ଭାରସାମ୍ୟ ହରାଇବାରୁ ଟ୍ରକଟି ତଳକୁ ଖସିପଡ଼ିଥିଲା। ଫଳରେ ସିତା ଗମାଙ୍ଗ, କାଶୀନା ଗମାଙ୍ଗ, ଈନପନି ଗମାଙ୍ଗ, ମିଲକା ଗମାଙ୍ଗ, ନାନ ଗମାଙ୍ଗଙ୍କ ମୃତ୍ୟୁ ଘଟିଥିଲା। ଅନ୍ୟ ଶ୍ରମିକମାନେ ଗୁରୁତର ଅବସ୍ଥାରେ ପଡ଼ି ରହିଥିଲେ।

ଖବରପାଇ ପୋଲିସ ଏବଂ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ୧୦ ଜଣ ଗୁରୁତରଙ୍କୁ ଉଦ୍ଧାର କରି ପାରଳାଖେମୁଣ୍ଡି ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସାଧିନ ଅବସ୍ଥାରେ ଦୀନେଶ ଭୂୟାଁ ଏବଂ ମିଷ୍ଟାନ୍ନ ଭୂୟାଁଙ୍କ ମୃତ୍ୟୁ ଘଟିଥିଲା। ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ମଧ୍ୟ ୨ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ଏହି ମର୍ମନ୍ତୁଦ ଦୁର୍ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଏବଂ ଆହତଙ୍କୁ ମାଗଣା ଚିକିତ୍ସା ଯୋଗାଇଦେବା ପାଇଁ ଘୋଷଣା କରିଛନ୍ତି।

Comment