ଓଡ଼ିଶାଲାଇଭ୍ ବ୍ୟୁରୋ
ଜମୁଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ବିଜେଡି ଓ ବିଜେପି ତାରକାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀର ଗାଁ ଦାଣ୍ଡ। ବିଜେଡି ଓ ବିଜେପି ତାରକାଙ୍କୁ ଭରସା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଏକାକୀ ଧରିଛନ୍ତି ପ୍ରଚାର ମଙ୍ଗ।
ବିଜେପୁରରେ ଲାଗିଛି ତାରକାଙ୍କ ଭିଡ଼। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କ ପାଇଁ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଏବଂ ବିଧାୟକ ଆକାଶ ଦାସନାୟକ ପ୍ରଚାର କରିବା ପରେ ମଙ୍ଗଳବାର ବିଜେପି ତାର ତାରକା ପ୍ରଚାରକଙ୍କୁ ମଇଦାନକୁ ଓହ୍ଲାଇଛି।
ବିଜେପୁର ପ୍ରଚାର ମଇଦାନକୁ କେନ୍ଦ୍ରମନ୍ତ୍ରୀ ସନ୍ତୋଷ ଗଙ୍ଗୱାର ଆସି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କ ପାଇଁ ଭୋଟ ମାଗିଛନ୍ତି। ଖାଲି ସେତିକି ନୁହେଁ, ବିଜେପିରେ ସାମିଲ ହୋଇଥିବା ଅଭିନେତ୍ରୀ ମହାଶ୍ୱେତା ରାୟ, ମିହିର ଦସଙ୍କୁ ବି ପ୍ରଚାର ମଇଦାନରେ ଦେଖିବାକୁ ମିଳିଛି।
ସନ୍ତୋଷ ଗଙ୍ଗଓ୍ବାର ବରପାଲି ବ୍ଲକର ବନ୍ଧପାଲି, ବରପାଲି, ମେହେରପଡ଼ା, ବିଜେପୁର ବ୍ଲକର ଜାଲପାଲି ଓ ସାଧପାଲିଠାରେ ବିଜେପି ପାଇଁ ପ୍ରଚାର କରିଛନ୍ତି।
ସନ୍ତୋଷ ଗଙ୍ଗୱାର କହିଛନ୍ତି, “ରାଜ୍ୟ ସରକାର ଚାଷୀଙ୍କୁ ହକ୍ ଦେଉ ନାହାନ୍ତି। ଆଗାମୀ ଦିନରେ ବିଜେପୁର ଚାଷୀଙ୍କୁ ସେମାନଙ୍କ ହକ୍ ଦେବା ପାଇଁ ବିଜେପି ସଂଗ୍ରାମ ଜାରି ରଖିବ।”
ମିହିର ଦାସ ବିଜେପୁର ବ୍ଲକର ପ୍ରଧାନମାଲ, ଜୁଖିପାଲି, ଏମ୍ ଶ୍ରିଗିଡ଼ା, ବଲଣ୍ଡା, ଝାଙ୍କରଶିଗିଡ଼ା, ପହଣ୍ଡି ଓ ଜାମ୍ପାଲିଠାରେ ସଭା ଓ ରୋଡ ସୋ କରି ଭୋଟ ମାଗିଛନ୍ତି।
ମହାଶ୍ୱେତା ରାୟ ଗାଇସିଲଟ ବ୍ଲକର ଚିକିଲି, କୁଣ୍ଡାଖାଇ, ସରଧାପାଲି, ଡାଙ୍ଗବାହାଲ, କଠଉମାଲ, ଫିରିଙ୍ଗମାଲ ଆଦି ଗାଁରେ ପ୍ରଚାର କରିଛନ୍ତି।
୧୧ ତାରିଖରେ ସାଂସଦ ଅନୁଭବ ମହାନ୍ତି ଏବଂ ୧୨ ତାରିଖରେ ବିଧାୟକ ଆକାଶ ଦାସ ନାୟକ ବିଜେପୁରରେ ପ୍ରଚାର କରିଛନ୍ତି। ରୋଡ ସୋ କରି ରିତା ସାହୁଙ୍କ ପାଇଁ ଭୋଟ ମାଗିଛନ୍ତି।
କଂଗ୍ରେସର କୌଣସି ତାରକା ପ୍ରଚାରକ ମଇଦାନକୁ ଆସି ନଥିବା ବେଳେ ପ୍ରାର୍ଥୀ ପ୍ରଣୟ ସାହୁ ଘର ଘର ବୁଲି ପ୍ରଚାର କରୁଛନ୍ତି। ବିଜେପୁର ମାଟିର ପୁଅ ହୋଇଥିବାରୁ ଏବଂ କଂଗ୍ରେସ ସହ ସେ ୨୫ ବର୍ଷ ହେଲା ଜଡ଼ିତ ଥିବାରୁ ଚଳିତ ଭୋଟରେ ସେ ଜିତିବେ ବୋଲି ଆଶା ରଖିଛନ୍ତି।








ଜମୁଛି ବିଜେପୁର ଉପ-ନିର୍ବାଚନ ପ୍ରଚାର। ବିଜେଡି ଓ ବିଜେପି ତାରକାଙ୍କ ପ୍ରଚାରରେ କମ୍ପୁଛି ବିଜେପୁର ନିର୍ବାଚନମଣ୍ଡଳୀର ଗାଁ ଦାଣ୍ଡ। ବିଜେଡି ଓ ବିଜେପି ତାରକାଙ୍କୁ ଭରସା କରିଥିବା ବେଳେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ଏକାକୀ ଧରିଛନ୍ତି ପ୍ରଚାର ମଙ୍ଗ।









