ଓଡ଼ିଶାଲାଇଭ୍‌ ବ୍ୟୁରୋ

  •  ଶକ୍ତି ଦେଖାଇଲେ ୩ ପ୍ରମୁଖ ଦଳ
  • ରିତା ସାହୁଙ୍କ ପାଇଁ ପ୍ରଚାର କଲେ ସିଦ୍ଧାନ୍ତ
  • ଗାଇସିଲଟରେ ପ୍ରଚାର କଲେ ଧର୍ମେନ୍ଦ୍ର
  • ବରପାଲିରେ ଶକ୍ତି ଦେଖାଇଲା କଂଗ୍ରେସ
  • ଗୋଟିଏ ମଞ୍ଚରେ ଏକାଠି ହେଲେ କଂଗ୍ରେସର ବରିଷ୍ଠ ନେତା

ବିଜେପୁର ଉପ-ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ପ୍ରଚାର ମଇଦାନ ସେତିକି ସରଗରମ୍ ହେଉଛି। ବିଜେପୁର ଭୋଟକୁ ଆଉ ୮ ଦିନ ବାକି ଥିବା ବେଳେ ଗୁରୁବାର ଶକ୍ତି ପ୍ରଦର୍ଶନ କରିଛନ୍ତି ୩ ପ୍ରମୁଖ ଦଳ। ଦ୍ବିତୀୟ ଥର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପିର ପ୍ରଚାର ମଙ୍ଗ ଧରିଥିବା ବେଳେ ବିଜେଡି ପାଇଁ ପ୍ରଚାର କରିଛନ୍ତି ଅଭିନେତା ତଥା ସାଂସଦ ସିଦ୍ଧାନ୍ତ ମହାପାତ୍ର। ସେହିପରି କଂଗ୍ରେସ ବି ଆଜି ଶକ୍ତି ପ୍ରଦର୍ଶନ କରିଛି। ଏଥିରେ ଦଳର ବହୁ ବରିଷ୍ଠ ନେତା ଏକାଠି ହୋଇଥିଲେ।

ଘର ଘର ବୁଲିଲେ ସିଦ୍ଧାନ୍ତ

ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ବିଜେପୁରରେ ଜିତାଇବା ପାଇଁ ବିଜେଡି ଲାଗିପଡ଼ିଛି। ବରିଷ୍ଠ ନେତା ଏବଂ ସିନେ ଷ୍ଟାରମାନେ ବିଜେପୁରରେ ପ୍ରଚାର କରୁଛନ୍ତି। ସାଂସଦ ଅନୁଭବ ମହାନ୍ତି ଏବଂ ବିଧାୟକ ଆକାଶ ଦାସନାୟକ ବିଜେଡି ପାଇଁ ବିଜେପୁରରେ ପ୍ରଚାର କରିବା ପରେ ଗୁରୁବାର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ ସାଂସଦ ସିଦ୍ଧାନ୍ତ ମହାପାତ୍ର। ଘର ଘର ବୁଲି ଲୋକଙ୍କୁ ଭେଟିଥିଲେ। ବିଜେଡି ପ୍ରାର୍ଥୀ ରିତା ସାହୁଙ୍କୁ ଜିତାଇବା ଲାଗି ନିବେଦନ କରିଥିଲେ।

ସିଦ୍ଧାନ୍ତ ମହାପାତ୍ର କହିଛନ୍ତି, “ବିଜେଡି ଶାସନ ଅମଳରେ ବିଜେପୁରର ବହୁ ବିକାଶ ହୋଇଛି। ରାସ୍ତାଘାଟର ଉନ୍ନତି ହୋଇଛି। ଏଣୁ ବିଶ୍ବାସ ରହିଛି ବିଜେଡିକୁ ବିଜେପୁରବାସୀ ନିରାଶ କରିବେ ନାହିଁ।”

ଗାଇସିଲଟ ବ୍ଲକରେ ପ୍ରଚାର କଲେ ଧର୍ମେନ୍ଦ୍ର

ବଜେଡି ପରି ବିଜେପି ମଧ୍ୟ ବିଜେପୁରରେ ଜି ଜାନ୍ ଲଗେଇ ଦେଇଛି। ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀଙ୍କୁ ଜିତାଇବା ପାଇଁ ଦଳ ଜୋରଦାର ଉଦ୍ୟମ କରୁଛି। ରାଜ୍ୟ ସ୍ତରୀୟ ତୁଙ୍ଗ ନେତା ଏବଂ ସିନେ ଷ୍ଟାର ଆସି ଅଶୋକଙ୍କ ପାଇଁ ପ୍ରଚାର କରିଛନ୍ତି।

ଗୁରୁବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦ୍ୱିତୀୟ ଥର ପାଇଁ ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇଥିଲେ। ଗାଇସିଲାଟ ବ୍ଲକରେ ମାରାଥନ ପ୍ରଚାର କରିଥିଲେ। ଏହି ଅବସରରେ ସେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଧର୍ମେନ୍ଦ୍ର କହିଥିଲେ, “୧୮ ବର୍ଷର ଶାସନ ପରେ ବି ଗାଁକୁ ଭଲ ରାସ୍ତାଟିଏ ନାହିଁ। ପିଇବା ପାଣିର ସୁବିଧା ନାହିଁ। ବିଜେପୁରବାସୀଙ୍କୁ ବିଜେଡି ସରକାର ପ୍ରତାରିତ କରିଛି। ଲୋକେ ଉପ-ନିର୍ବାଚନରେ ଏହାର ଜବାବ ଦେବେ।”

ଦମ୍ ଦେଖାଇଲା କଂଗ୍ରେସ

ପ୍ରଚାର ମଇଦାନରେ ପଛରେ ପଡ଼ି ଯାଇଥିବା କଂଗ୍ରେସ ଆଜି ଦମ୍ ଦେଖାଇଛି। ପ୍ରାର୍ଥୀ ପ୍ରଣୟ ସାହୁଙ୍କ ପାଇଁ କଂଗ୍ରେସର ତୁଙ୍ଗ ନେତାମାନେ ଗୋଟିଏ ମଞ୍ଚରେ ଏକାଠି ହୋଇଥିଲେ। ବରପାଲିରେ ସାଧାରଣ ସଭା ଆୟୋଜନ କରି ବିଜେଡି ଏବଂ ବିଜେପିକୁ ଟାର୍ଗେଟ୍ କରିଥିଲା କଂଗ୍ରେସ।

କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ଶ୍ରୀକାନ୍ତ ଜେନା, ପ୍ରଦୀପ ମାଝିଙ୍କ ସମେତ ବହୁ ବରିଷ୍ଠ ନେତାମାନେ ପ୍ରଣୟଙ୍କୁ ଜିତାଇବା ପାଇଁ ନିବେଦନ କରିଥିଲେ।

ନିରଞ୍ଜନ ପଟ୍ଟନାୟକ କହିଛନ୍ତି, “୧୮ ବର୍ଷର ଶାସନରେ ବିଜେପୁର ବିକାଶ ଧାରାରେ ସାମିଲ୍ ହୋଇପାରିଲା ନାହିଁ। ଏଠାରେ ଅନେକ ସମସ୍ୟା ରହିଥିଲେ ମଧ୍ୟ ସରକାର ଏହାର ସମାଧାନ କରି ନାହାନ୍ତି। ଉଭୟ ବିଜେପି ଏବଂ ବିଜେଡି କେବଳ ଲୋକଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଚାଲିଛନ୍ତି।”

ବିଜେଡି ଏବଂ ବିଜେପି ଷ୍ଟାର କ୍ୟାମ୍ପେନରଙ୍କ ଉପରେ ଭରସା କରୁଛନ୍ତି। ହେଲେ କଂଗ୍ରେସ ବିନା ଷ୍ଟାର କ୍ୟାମ୍ପେନରରେ ପ୍ରଚାର ମଇଦାନକୁ ଓହ୍ଲାଇଛି। ଉପ-ନିର୍ବାଚନକୁ ଆଉ ୮ ଦିନ ଥିବାରୁ ବିଜେପୁର ଗାଁ ଦାଣ୍ଡ କମ୍ପୁଛି।

Comment