ଓଡ଼ିଶାଲାଇଭ୍ ବ୍ୟୁରୋ

  • ଜିଦ୍‌ରେ ଅଟଳ ସଂଘ-ସରକାର
  • ଦାବି ପୂରଣ ନହେଲେ ଫଣଈକ୍ଷାରେ ସହଯୋଗ କରିବୁନି: ସଂଘ
  • ମନ୍ତ୍ରୀ କହିଲେ, “ସହଯୋଗ ନକଲେ ବି ପରୀକ୍ଷା ହେବ”

ବିଭିନ୍ନ ଦାବି ନେଇ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ପକ୍ଷରୁ ଚାଲିଥିବା ଧାରଣା ୧୧ ଦିନରେ ପହଞ୍ଚିଛି। ଦାବି ପୂରଣ ନହେଲେ ଆନ୍ଦୋଳନ ହଟିବ ନାହିଁ ବୋଲି ସଂଘ କହିଥିବା ବେଳେ ସରକାର ବି ଆଜି ଦମ୍ଭ ଦେଖାଇଛନ୍ତି। କହିଛନ୍ତି ଶିକ୍ଷକ ଅସହଯୋଗ କଲେ ବି ପରୀକ୍ଷା ହେବ।

ଫେବ୍ରୁଆରି ୨୩ରୁ ମାଟ୍ରିକ ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ କରିବା ପାଇଁ ସରକାର କରୁଛନ୍ତି ବ୍ୟାପକ ପ୍ରସ୍ତୁତି। ଶିକ୍ଷକ ଅଧ୍ୟାପକ ମିଳିତ ମଞ୍ଚର ଦାବି ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। ମାଟ୍ରିକ ଓ ଯୁକ୍ତ ଦୁଇ ପରୀକ୍ଷାରେ ଅସହଯୋଗ କରାଯିବ ବୋଲି ସଂଘ ଚେତାବନୀ ଦେଇଛି। ଏପଟେ ସଂଘର ନାଲିଆଖିକୁ ସରକାର ପାସଙ୍ଗରେ ପକାଇ ନାହାନ୍ତି। ସହଯୋଗ ନକଲେ ବି ପରୀକ୍ଷା ହେବ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ କହିଛନ୍ତି।

ଉଚ୍ଚଶିକ୍ଷା ମନ୍ତ୍ରୀ ଅନନ୍ତ ଦାସ କହିଛନ୍ତି, “ସଂଘ ଯେଉଁ ଦାବି କରୁଛି ସେ ସମ୍ପର୍କରେ କୌଣସି ନିଷ୍ପତ୍ତି ନିଆଯାଇ ପାରୁ ନାହିଁ। ବିଜେପୁର ଉପ-ନିର୍ବାଚନ ପାଇଁ ଆଚରଣ ବିଧି ଲାଗିଥିବାରୁ ସରକାରୀ ସ୍ତରରେ କିଛି ପଦକ୍ଷେପ ନିଆଯାଇ ପାରୁ ନାହିଁ। ଯଦି ଶିକ୍ଷକ ଏବଂ ଅଧ୍ୟାପକମାନେ ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ପରିଚାଳନାରେ ସହଯୋଗ ନକରନ୍ତି ତାହାଲେ ପରୀକ୍ଷା ସ୍ଥଗିତ ରଖାଯିବ ନାହିଁ।”

ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ଆନ୍ଦୋଳନ ଶନିବାର ୧୧ ଦିନରେ ପହଞ୍ଚିଛି। ଶିକ୍ଷକ ଅଧ୍ୟାପକ ସୋମବାର ଦିନ ପୁଣିଥରେ ଲୋୟର ପିଏମଜିରେ ଶକ୍ତି ପ୍ରଦର୍ଶନ କରିବେ।

ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଆବାହକ ପ୍ରକାଶ ମହାନ୍ତି କହିଛନ୍ତି, “ଶିକ୍ଷକ କର୍ମଚାରୀଙ୍କ ସମସ୍ୟା ସମାଧାନ ପାଇଁ ମୁଖ୍ୟ ଶାସନ ସଚିବ ୭ ଦିନ ସମୟ ନେଲେ। ତାକୁ ଆମେ ଅପେକ୍ଷା କଲୁ। ଏହାପରେ ଯାହା ଆଲୋଚନା ହେଲା ତାହା ନକହିବା ଭଲ। ଏଣୁ ବାଧ୍ୟ ହୋଇ ଆମେ ପୁଣି ଆନ୍ଦୋଳନକୁ ଓହ୍ଲାଇଛୁ।”

Comment