ଓଡ଼ିଶାଲାଇଭ୍ ବ୍ୟୁରୋ

ନୟାଗଡ଼ ଜିଲ୍ଲାରେ ଶିକ୍ଷକମାନଙ୍କୁ ପଞ୍ଚାୟତସ୍ତରରେ ବିଭିନ୍ନ ପ୍ରକାର ଅଣଶୈକ୍ଷିକ କାର୍ଯ୍ୟରେ ନିୟୋଜନ କରାଯାଉଛି। ଶିକ୍ଷାଦାନର ଗୁରୁଦାୟିତ୍ୱ ବହନ କରୁଥିବା ଶିକ୍ଷକଙ୍କୁ ଭତ୍ତା ବଣ୍ଟନ ଓ ଅନ୍ୟାନ୍ୟ କାର୍ଯ୍ୟରେ ନିୟୋଜନକୁ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ବିରୋଧ କରିଛି। ଏପରି କାର୍ଯ୍ୟ ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବ। ଏଣୁ ପ୍ରଶାସନିକ ସ୍ତରରେ ଏପରି ନିଷ୍ପତ୍ତିକୁ ବନ୍ଦ କରାଯାଉ ବୋଲି ସଂଘ ପକ୍ଷରୁ ନୟାଗଡ଼ ବିଡିଓଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

କରୋନା ସଂକ୍ରମଣ କାଳରେ ଶିକ୍ଷକ ଜୀବନକୁ ବିପଦ ଭିତରକୁ ଠେଲି କୌଣସି ନିଷ୍ପତ୍ତି ନେବା ଠିକ ନୁହେଁ। ଅଣଶୈକ୍ଷିକ କାର୍ଯ୍ୟକ୍ରମ କରିବାକୁ ଗ୍ରାମ ସାଥି, ପଞ୍ଚାୟତ ସ୍ତରୀୟ କର୍ମଚାରୀ ଓ ଅନ୍ୟ ସବୁ ବ୍ୟବସ୍ଥା ରହିଛି। ସେମାନଙ୍କୁ ଏହି ସବୁ କାର୍ଯ୍ୟରେ ନିୟୋଜିତ ନକରି ଶିକ୍ଷକମାନଙ୍କୁ ଦାୟିତ୍ୱ ଦେବାର ଅର୍ଥ, ଜାଣି ଜାଣି ଶିକ୍ଷା ବ୍ୟବସ୍ଥାକୁ ଦୁର୍ବଳ କରିବା ସଙ୍ଗେ ସମାନ ବୋଲି ଶିକ୍ଷକ ସଂଘ ଦର୍ଶାଇଛି।

ତେଣୁ ଏହାକୁ ବିଚାରକରି ଚଳିତ ମାସରେ ହେବାକୁଥିବା ଭତ୍ତା ବଣ୍ଟନ କାର୍ଯ୍ୟରୁ ଶିକ୍ଷକଙ୍କୁ ନିବୃତ କରିବାକୁ ସଂଘ ଦାବିପତ୍ରରେ ଉଲ୍ଲେଖ କରିଛି। ଯଦି ଏହାକୁ ଅଣଦେଖା କରାଗଲା, ତେବେ ପ୍ରଶାସନକୁ ଅସହଯୋଗ କରିବାସହିତ ଆନ୍ଦୋଳନ ପନ୍ଥା ଆପଣେଇବାକୁ ନୟାଗଡ଼ ପ୍ରାଥମିକ ଶିକ୍ଷକ ସଂଘ ସଭାପତି ବିପିନ ବିହାରୀ ଦାସ ଓ ସାଧାରଣ ସମ୍ପାଦକ ଭକ୍ତବଲ୍ଲଭ ବଟକୃଷ୍ଣ ମିଶ୍ର ଚେତାବନୀ ଦେଇଛନ୍ତି।

Comment