ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ମହାଠକେଇର ପର୍ଦ୍ଦାଫାସ ହେବା ପରେ ଏବେ ବ୍ୟାଙ୍କର ଇତିହାସକୁ ନେଇ ଆସିଛି ରୋଚକ ତଥ୍ୟ। 

 ୧୧ହଜାର କୋଟି ଟଙ୍କାର ମହାଘୋଟାଲା ସାମ୍ନାକୁ ଆସିବା ପରେ ପଞ୍ଜାବ ନାସନାଲ୍‌ ବ୍ୟାଙ୍କ ବିବାଦ ଘେରକୁ ଆସିଛି।

ଯଦିଓ ଦେଶର ଦ୍ଵିତୀୟ ସର୍ବବୃହତ୍ ବ୍ୟାଙ୍କକୁ ବିଜୟ ମାଲ୍ୟାଙ୍କଠାରୁ ଆରମ୍ଭ କରି ନିରବ ମୋଦିଙ୍କ ପର୍ଯ୍ୟନ୍ତ ବ୍ୟବସାୟୀ ଅର୍ଥ ଠକେଇ କରିଛନ୍ତି। ଦିନଥିଲା ଏହି ବ୍ୟାଙ୍କର ଇତିହାସ ଭାରତୀୟ ଅର୍ଥନୀତିକୁ ମଜବୁତି ଦେଇଥିଲା।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଇତିହାସ ୧୨୨ବର୍ଷ ପୁରୁଣା। ୧୨ ଏପ୍ରିଲ୍‌ ୧୮୯୫ରେ ବ୍ୟାଙ୍କ ପ୍ରଥମଥର ପାଇଁ କରାଚି (ବର୍ତ୍ତମାନ ପାକିସ୍ତାନ)ରେ ଖୋଲିଥିଲା।

ଏହି ବ୍ୟାଙ୍କକୁ ଆରମ୍ଭ କରିବା ପାଇଁ ମହାନ ସ୍ଵାଧୀନତା ସଂଗ୍ରାମୀ ଲାଲା ଲାଜପତ୍‌ ରାୟଙ୍କ ବଡ଼ ଯୋଗଦାନ ରହିଛି।

ସେ ସମୟରେ ଲାଲା ଲାଜପତ୍‌ ରାୟଙ୍କ ସହ ସ୍ଵଦେଶୀ ଅଭିଯାନରେ ସାମିଲ ହୋଇଥିବା ଦୟାଲ ସିଂହ ମଜିଠିଆ, ପଞ୍ଜାବର ପ୍ରଥମ ଉଦ୍ୟୋଗପତି ଲାଲା ହରକିଶନ ଲାଲ, କାଳି ପ୍ରସନ୍ନ ରାୟ, ପାର୍ସି ଉଦ୍ୟୋଗପତି ଇଶି ଜଶୱାଲା, ମୁଲତାନର ପ୍ରଭୁ ଦୟାଲ୍‌, ଜୟଶୀ ରାମ ବକ୍ସି ଓ ଲାଲା ଡୋଲନ ଦାସ ବ୍ୟାଙ୍କର ମୂଳଦୁଆ ରଖିଥିଲେ।

ଏହି ବ୍ୟାଙ୍କ୍ ସମ୍ପୂର୍ଣ୍ଣ ଭାବେ ଭାରତୀୟ ପୁଞ୍ଜି ନିବେଶରେ ଆରମ୍ଭ ହୋଇଥିଲା। ବ୍ୟାଙ୍କରେ ମହାତ୍ମା ଗାନ୍ଧିଙ୍କ ସମେତ ଲାଲ ବାହାଦୂର ଶାସ୍ତ୍ରୀ, ଇନ୍ଦିରା ଗାନ୍ଧି, ଜବାହାରଲାଲ୍‌ ନେହୁର ଓ ଜାଲିଆୱାଲା ବାଗ୍‌ କମିଟି ଖାତା ରହିଥିଲା ଏହି ବ୍ୟାଙ୍କରେ।

ସର୍ବପ୍ରଥମେ ୧୯୬୯ରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ଜାତୀୟକରଣ ଅନ୍ୟ ବ୍ୟାଙ୍କ୍ ଗୁଡିକ ସହିତ ହୋଇଥିଲା। ଏହି ବ୍ୟାଙ୍କର ଶାଖାଗୁଡିକ ଦେଶ ବାହାରେ ବ୍ରିଟେନ୍, ହକଂ, କାବୁଲ୍, ସାଂଘାଇ, ଓ ଦୁବାଇରେ ରହିଛି।

ଆଜିର ସମୟରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପାଖାପାଖି ୧୦କୋଟି ଆକାଉଣ୍ଟଧାରୀ ରହିଛନ୍ତି। ଦେଶରେ ମୋଟ ୬୯୪୧ ଶାଖା ଥିବାବେଳେ ୯୭୫୩ ଏଟିମ୍‌ ସେଣ୍ଟର ରହିଛି।

Comment