ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନ ପାଇଁ ପ୍ରଚାର ଜୋରସୋର ଚାଲିଥିଲା ବେଳେ ରାଜ୍ୟ ସରକାରଙ୍କୁ ବଦନାମ କରିବା ପାଇଁ ଏକ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ଉଦ୍ୟମ କରୁଛି। ମୋବାଇଲ ଯୋଗେ ଭଏସ ମେସେଜ ପଠାଇ ଭୋଟରଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କରିବାର ଅପଚେଷ୍ଟା ଚଳାଇଥିବା ନେଇ ଶନିବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଜେଡି ଫେରାଦ ହୋଇଛି।
ବିଜେଡି ପକ୍ଷରୁ କୁହାଯାଇଛି ଯେ ମୋବାଇଲ ନମ୍ବର ୭୯୩୮୨୭୩୧୭୩ ଏବଂ ୭୯୭୧୭୭୦୦୭୭ ନମ୍ବରରୁ ଭଏସ ମେସେଜ ଯାଉଛି। ଏଥିରେ କୁନ୍ଦୁଲି ଘଟଣା ନେଇ କେତେକ ନିରାଧାର ଓ ଅଯୌକ୍ତିକ କଥା କୁହାଯାଇଛି। ଆତ୍ମହତ୍ୟା କରିଥିବା କୁନ୍ଦୁଲି ପୀଡ଼ିତା ଭଏସ ମେସେଜରେ କହୁଥିବାର ଅପପ୍ରଚାର ମଧ୍ୟ ଚାଲିଛି। ଏବେ ଏହି ଘଟଣା କୋର୍ଟ ବିଚାରାଧୀନ ଥିବାରୁ ଉକ୍ତ ଭଏସ ମେସେଜ ସିଧାସଳଖ ସରକାର ଓ ପ୍ରଶାସନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିପାରେ। ଏହି ମେସେଜରେ ମଧ୍ୟ ପୋଲିସ ଡିଜିଙ୍କ ବିରୋଧରେ ଅପମାନସୂଚକ ମନ୍ତବ୍ୟ ଦିଆଯାଇଛି।
ଏହି ଭଏସ ମେସେଜ ସିଧାସଳଖ ଆଚରଣ ବିଧି (ପାରା-୨)ର ଉଲ୍ଲଂଘନ କରୁଛି। ସେଥିଯୋଗୁ ଏହାକୁ ମଧ୍ୟ ଅପରାଧମୂଳକ କୁହାଯାଇପାରେ। ଏପରି ଭଏସ ମେସେଜ ପ୍ରଚାର ପ୍ରସାରକୁ ତୁରନ୍ତ ବନ୍ଦ କରିବାକୁ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିର୍ଦ୍ଦେଶ ଦେବାକୁ ବିଜେଡି କହିଛି। ନିର୍ବାଚନ ଆଇନ, ସାଇବର ଆଇନ ଓ ଅପରାଧିକ ଆଇନ ଅନୁଯାୟୀ ଏହି ମେସେଜ ପ୍ରେରଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛି।


















