ଓଡ଼ିଶାଲାଇଭ୍ ବ୍ୟୁରୋ
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ। ଏ ସମ୍ପର୍କରେ ପଦ୍ମପୁର ଆଇଆଇସି ସ୍ପଷ୍ଟ କରିବା ପରେ ବିଜେପି ଏବେ ବିଜେଡିକୁ ଆଟାକ କରିଛି।
ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗିବାକୁ ନେଇ ବିଜେପି-ବିଜେଡି ମଧ୍ୟରେ କାଦୁଅଫିଙ୍ଗା ଚାଲିଛି। ଏହି ସମୟରେ ପୋଲିସ ତଦନ୍ତ ଆଧାରରେ ରିପୋର୍ଟ ଦେଇଛି। ଚପଲ ମାଡ଼ କରିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନଥିବା ପୋଲିସ କହିଛି।
ଆଇଆଇସି ଯଶୋବନ୍ତ ପ୍ରଧାନୀ କହିଛନ୍ତି, “ଅଭିଯୁକ୍ତ କାର୍ତ୍ତିକ ମେହେରର ଘର ପଦ୍ମପୁର ବୁଢ଼ାପାଲିରେ। ତାଙ୍କର ମାନସିକ ବିକୃତି ରହିଛି। ସେ ଟିକେ ଆଡ଼ବାୟା ବା ମେଣ୍ଟାଲ ସ୍ୱଭବାର ହୋଇଥିବାରୁ ପୂର୍ବରୁ ତାଙ୍କ ନାଁରେ ଅଣ୍ଡା ମାଡ଼ ଅଭିଯୋଗ ରହିଥିଲା। ସେ ସାଧାରଣ ଚାଷୀ ପରିବାରର ପିଲା।”
କାର୍ତ୍ତିକ ମେହେରଙ୍କ ପକେଟରୁ ବିଜେପି ପତାକା ବାହାରିବାରୁ ବିଜେଡି ବିଜେପିକୁ ଟାର୍ଗେଟ୍ କରିଥିଲା। ହିଂସା ଆଚରଣ କରି ବିଜେପି ନିର୍ବାଚନ ବନ୍ଦ କରିବାକୁ ଚାହୁଁଥିବା ବିଜେଡି ଅଭିଯୋଗ କରିଥିଲା। ଏହାକୁ ନେଇ ବିଜେପି ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବା ସହ ବିଜେଡି ଭୁବନେଶ୍ୱରରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲା।
“ବିଜେପି ବିରୋଧରେ ବିଜେଡି ମିଥ୍ୟା ଅଭିଯୋଗ କରିଥିଲା। ହେଲେ ଆଇଆଇସି ସବୁ ସ୍ପଷ୍ଟ କରି ଦେଇଛନ୍ତି। ଏବେ ବିଜେଡି ଭୁଲ୍ ମାଗୁ। ଆମେ ଏନେଇ ଡିଜିପି ଏବଂ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହେବୁ”, କହିଛନ୍ତି ବିଜେପି ଉପ-ସଭାପତି ସମୀର ମହାନ୍ତି।
ବରପାଲ୍ଲି ବ୍ଲକ କୁମ୍ଭାରୀରେ ମୁଖ୍ୟମନ୍ତ୍ରୀ ଉଦବୋଧନ ଦେଉଥିବା ବେଳେ ସଭା ମଞ୍ଚକୁ ଚପଲ ମାଡ଼ ହୋଇଥିଲା। ଗୋଟିଏ ଚପଲକୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ଧରି ପକାଇଥିବା ବେଳେ ଆଉ ଗୋଟିଏ ଚପଲ ତଳେ ପଡ଼ି ଯାଇଥିଲା।
ଚପଲ ଫିଙ୍ଗିବା ପରେ ପୋଲିସ କାର୍ତ୍ତିକକୁ ଗିରଫ କରିଥିଲା। ହେଲେ ଦଳୀୟ କର୍ମୀ କାର୍ତ୍ତିକକୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ଲହୁଲୁହାଣ ହୋଇଯାଇଥିଲା କାର୍ତ୍ତିକ। ପୋଲିସ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲା। ପରେ ଥାନାକୁ ଆଣି ପୋଲିସ ପଚରା ଉଚରା କରିଥିଲା।








ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ଫିଙ୍ଗିଥିବା ଯୁବକର କୌଣସି ପଲିଟିକାଲ ଲିଙ୍କ୍ ନାହିଁ। ଏ ସମ୍ପର୍କରେ ପଦ୍ମପୁର ଆଇଆଇସି ସ୍ପଷ୍ଟ କରିବା ପରେ ବିଜେପି ଏବେ ବିଜେଡିକୁ ଆଟାକ କରିଛି।









