ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନକୁ ନେଇ ହାଇଭୋଲଟେଜ ପ୍ରଚାର ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ଏବେ ରାଜନୀତିରେ ଝଡ଼ ସୃଷ୍ଟି କରିଛି। ଚପଲ ଫିଙ୍ଗା ଘଟଣାରେ ସକାଳେ କହିଥିବା କଥାକୁ ସନ୍ଧ୍ୟାରେ ବଦଳାଇ ପଦ୍ମପୁର ଆଇଆଇସି ଏବେ ଚର୍ଚ୍ଚାରେ ରହିଛନ୍ତି।

ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼ ଘଟଣାରେ ଘଡ଼ିକେ ଘୋଡ଼ା ଛୁଟୁଛି। କେବଳ ରାଜନୈତିକ ଦଳ ନୁହେଁ, ପଦ୍ମପୁର ଥାନା ଆଇଆଇସି ମଧ୍ୟ ବିଭ୍ରାନ୍ତିକର ତଥ୍ୟ ଦେଉଛନ୍ତି। ଚପଲ ଫିଙ୍ଗିଥିବା ଅଭିଯୁକ୍ତଙ୍କ ବିରୋଧରେ ସକାଳେ ଗୋଟେ କହିଥିବା ଆଇଆଇସି ଯଶୋବନ୍ତ ପ୍ରଧାନୀ ସନ୍ଧ୍ୟାରେ ପୁଣି କଥା ବଦଳାଇଛନ୍ତି। ଜଣେ ପୋଲିସ ଅଫିସରଙ୍କ କଥା ବଦଳାଇବା ପ୍ରସଙ୍ଗ ଏବେ ବିଜେପୁର ରାଜନୀତିକୁ ସରଗରମ୍ କରିଛି।

ମଙ୍ଗଳବାର ସନ୍ଧ୍ୟାରେ କାର୍ତ୍ତିକ ମେହେର ନାମକ ଜଣେ ଯୁବକ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼ କରିଥିଲେ। ଏହି ଘଟଣାରେ ପୋଲିସ କାର୍ତ୍ତିକଙ୍କୁ ଥାନାକୁ ନେଇ ପଚରା ଉଚରା କରିଥିଲା। ସଦର ଏସ୍‌ଡିପିଓ ସୁରେନ୍ଦ୍ର କୁମାର ନାୟକ କହିଥିଲେ, ଚପଲ ଫିଙ୍ଗିବା ପାଇଁ କାର୍ତ୍ତିକଙ୍କୁ ୩ ଜଣ ଲୋକ ପ୍ରବର୍ତ୍ତାଇଥିଲେ। ସେମାନଙ୍କ ବିରୋଧରେ ବରପାଲି ଥାନାରେ ୫୩, ୪୪୮, ୩୪୧, ୩୩୬, ୩୮୮, ୧୨୦(ବି) ଦଫାରେ ମାମଲା ରୁଜୁ କରାଯାଇଛି।

ବୁଧବାର ସକାଳେ ସବୁକିଛି ଓଲଟ ପାଲଟ ହୋଇଯାଇଥିଲା। ପଦ୍ମପୁର ଆଇଆଇସି ଯଶୋବନ୍ତ ପ୍ରଧାନୀ ଭିନ୍ନ ମନ୍ତବ୍ୟ ଦେଇଥିଲେ। କହିଥିଲେ, “ଅଭିଯୁକ୍ତ କାର୍ତ୍ତିକ ମେହେର ଘର ପଦ୍ମପୁର ଥାନା ବୁଢ଼ାପାଲିରେ। ସେ ଟିକେ ଆଡ଼ପାଗଳା ଏବଂ ମେଣ୍ଟାଲ ପ୍ରକୃତିର ପିଲା। ୨୦୧୪ରେ ଅଣ୍ଡା ମାଡ଼ ନେଇ ତାଙ୍କ ନାଁରେ ଅଭିଯୋଗ ଥିଲା। କୌଣସି ରାଜନୈତିକ ଦଳ ସହ ତାଙ୍କର ଲିଙ୍କ୍ ନାହିଁ।”

ଏହାକୁ ନେଇ ବିଜେପୁର ଏବଂ ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେବା ପରେ ପଦ୍ମପୁର ଏସ୍‌ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଆଉ ଏକ କଥା କହିଥିଲେ। ଆଇଆଇସିଙ୍କ ମନ୍ତବ୍ୟକୁ ଭୁଲ୍ ବୋଲି କହିଥିଲେ। ବାହାର ଲୋକଙ୍କଠାରୁ ବିଭିନ୍ନ କଥା ଶୁଣି ଆଇଆଇସି ଏଭଳି ମନ୍ତବ୍ୟ ଦେଇଥିବା ସେ କହିଥିଲେ। କାର୍ତ୍ତିକଙ୍କ ସମ୍ପର୍କରେ ସେମିତି କିଛି ରେକର୍ଡ ନାହିଁ।

ଏସ୍‌ଡିପିଓଙ୍କ ବୟାନ ଆସିବାର ମାତ୍ର ଅଳ୍ପ ସମୟ ଭିତରେ ଆଇଆଇ ପୁଣି ତାଙ୍କ କଥା ବଦଳାଇ ଦେଇଥିଲେ। କହିଥିଲେ, କାର୍ତ୍ତିକଙ୍କ ସମ୍ପର୍କରେ ଆମ ପାଖରେ ସେମିତି କିଛି ରେକର୍ଡ ନାହିଁ। ବିଜେପି କର୍ମୀ ଏବଂ ଛକରୁ ଶୁଣି ଏଭଳି ବୟାନ ଦେଇଥିଲି।

ଚପଲ ଫିଙ୍ଗାରେ ପୋଲିସ ଅଫିସରଙ୍କ ଏଭଳି ଦାୟିତ୍ୱହୀନ ମନ୍ତବ୍ୟକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନବାଚୀ ଉଠିଛି। ପଦ୍ମପୁର ଆଇଆଇସି କାହା ଚାପରେ ଏମିତି କଥା ବଦଳାଉଛନ୍ତି  ତାକୁ ନେଇ ଚର୍ଚ୍ଚା ଲାଗି ରହିଛି। ଯଦି କାର୍ତ୍ତିକ ଆଡ଼ପାଗଳା ତାହାଲେ ତାଙ୍କ ବିରୋଧରେ ବରପାଲି ଥାନାରେ ଏଭଳି ସଙ୍ଗୀନ ଦଫା କାହିଁକି ଳଗାଯାଇଛି? କେଉଁ ଆଧାରରେ ତାଙ୍କୁ ଏସ୍‌ଡିପିଓ ବିଜେପି କର୍ମୀ ବୋଲି କହିଲେ? ଜଣେ ଦାୟିତ୍ୱସମ୍ପନ୍ନ ପୋଲିସ ଅଫିସର କେଉଁ ଆଧାରରେ କାର୍ତ୍ତିକଙ୍କୁ ଆଡ଼ପାଗଳା କହିଲେ?

ଏହି ପ୍ରଶ୍ନ ଏବେ ପୋଲିସ ପ୍ରଶାସନକୁ ଅଡ଼ୁଆରେ ପକାଇଛି। ବିଜେପୁର ଉପ-ନିର୍ବାଚନକୁ ନେଇ କାଦୁଅଫିଙ୍ଗା ଚାଲିଥିବା ବେଳେ ପୋଲିସ ଅଧିକାରୀଙ୍କ ବେପରୁଆ ମନ୍ତବ୍ୟ ରାଜନୀତି ପାଣିପାଗ ବାତାବରଣକୁ ସର୍‌ଗର୍‌ମ୍ କରିଛି।

LEAVE A REPLY

Please enter your comment!
Please enter your name here