ଓଡ଼ିଶାଲାଇଭ୍ ବ୍ୟୁରୋ
ଅଭିଲେଖା ସପ୍ତାହ ପାଳନ ଅବସରରେ ଶଶାଙ୍କ ଶେଖର ଦାଶଙ୍କ ପୁରାତନ ଖବରକାଗଜ ପ୍ରଦର୍ଶନ କରାଯାଇଛି। ଓଡ଼ିଶା ରାଜ୍ୟ ଅଭିଲେଖାଗାର ଏବଂ ଦୋଳ ଗୋବିନ୍ଦ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ପକ୍ଷରୁ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି।
ଜରୁରିକାଳୀନ ପରିସ୍ଥିତି, ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ଦେହାନ୍ତ, ରାଜିବ ଗାନ୍ଧିଙ୍କ ପରଲୋକ, ସଞ୍ଜୟ ଗାନ୍ଧିଙ୍କ ବିମାନ ଦୁର୍ଘଟଣା, ପି ଭି ନରସିଂହ ରାଓଙ୍କ ସରକାର ଗଠନ, ମୋରାରାଜୀ ଦେଶାଇଙ୍କ ଶପଥ ଗ୍ରହଣ ଆଦି ଖବର ପ୍ରକାଶ ପାଇଥିବା ପୁରାତନ ଖବରକାଗଜ ଏଠାରେ ପ୍ରଦର୍ଶିତ ହୋଇଛି। ଏହାସହ ବହୁ ପୁରାତନ ଖବରକାଗଜ ମଧ୍ୟ ଏଥିରେ ସ୍ଥାନ ପାଇଛି।
ପିଲାଙ୍କ ଦ୍ବାରା ପ୍ରକାଶ ପାଉଥିବା ଖବରକାଗଜ ବାଳକନାମା, ଅଙ୍କୁରୋଦଗମ୍, ମୁହାଁମୁହିଁ ପ୍ରଦର୍ଶନ କରାଯାଇଥିବା ବେଳେ ମହିଳାଙ୍କ ଦ୍ୱାରା ପ୍ରକାଶ ପାଉଥିବା ଖବର ଲହରିୟା, ହାତଲେଖା ଖବରକାଗଜ ଦୀନ ଦଳିତ, ବିଶ୍ୱର ପ୍ରଥମ ସଂସ୍କୃତ ଦୈନିକ ସୁଧର୍ମା, ଭାରତରୁ ପ୍ରକାଶ ପାଉଥିବା ଚୀନ ଭାଷାର ଖବରକାଗଜ ଓଭରସିଜ ଚାଇନିଜ କମର୍ସ ଅଫ୍ ଇଣ୍ଡିଆ, ଦିଲ୍ଲୀରୁ ପ୍ରକାଶ ପାଉଥିବା ଓଡ଼ିଆ ଖବରକାଗଜ ଓଡ଼ିଆ ପୁଅ ଆଦି ପ୍ରଦର୍ଶିତ ହୋଇଛି।
୧୯୪୭ ମସିହା ଅଗଷ୍ଟ ୧୫ ତାରିଖର ଷେଟ୍ସମ୍ୟାନ୍ ଏବଂ ଟାଇମ୍ସ ଅଫ୍ ଇଣ୍ଡିଆ ଏଠାରେ ପ୍ରଦର୍ଶିତ ହୋଇଛି।
ଶଶାଙ୍କ ଶେଖର ଦାଶ କହିଛନ୍ତି, “ଏହି ଖବରକାଗଜ ପ୍ରଦର୍ଶନୀ ସାଧାରଣ ଦର୍ଶକ, ଗବେଷକ, ସାମ୍ବାଦିକତା ଛାତ୍ରଛାତ୍ରୀଙ୍କୁ ଅନେକ ତଥ୍ୟ ପ୍ରଦାନ କରିବ।”
ଦୋଳ ଗୋବିନ୍ଦ ଖବରକାଗଜ ସଂଗ୍ରହାଳୟ ଓ ଗବେଷଣା କେନ୍ଦ୍ର ଏବଂ ଓଡ଼ିଶା ରାଜ୍ୟ ଅଭିଲେଖାଗାର ମିଳିତ ଉଦ୍ୟମରେ ଏହି ପ୍ରଦର୍ଶନୀ ଆୟୋଜନ କରାଯାଇଛି। ୧୫ ତାରିଖଠାରୁ ଆରମ୍ଭ ହୋଇଥିବା ଏହି ପ୍ରଦର୍ଶନୀ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ।
ଖବରକାଗଜ ସଂଗ୍ରହ କରି ଶଶାଙ୍କ ଶେଖର ଦାଶ ପୂର୍ବରୁ ଲିମ୍କା ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇଥିବା ବେଳେ ଗିନିଜ ବୁକ୍ ଅଫ୍ ରେକର୍ଡସ୍ରେ ସ୍ଥାନ ପାଇବାକୁ ସେ ଆଶା ରଖିଛନ୍ତି। ସେ ୫ ହଜାରରୁ ଅଧିକ ଖବରକାଗଜ ସଂଗ୍ରହ କରିଛନ୍ତି। ସେଥିମଧ୍ୟରେ ୬୮ଟି ଦେଶର ୬୧ଟି ଭାଷାର ଖବରକାଗଜ ରହିଛି।


















