ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁର ଉପ-ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କ୍ଷୀର ସାଗର ନାୟକଙ୍କୁ ନୂଆ ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି।
ବିଜେପୁର ଉପ-ନିର୍ବାଚନକୁ ନେଇ ବିବାଦୀୟ ହୋଇପଡ଼ିଥିବା ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ଗୁରୁବାର ବଦଳି କରାଯାଇଛି। ତାଙ୍କୁ ଉତ୍ତରାଞ୍ଚଳ ଆଇଜି କାର୍ଯ୍ୟାଳୟକୁ ବଦଳି କରାଯାଇଥିବା ପୋଲିସ ଡିଜି ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ସୂଚନା ଦେଇଛନ୍ତି। କ୍ଷୀର ସାଗର ନାୟକଙ୍କୁ ନୂଆ ପଦ୍ମପୁର ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି।
ମୁଖ୍ୟମନ୍ତ୍ରୀଙ୍କୁ ଚପଲ ମାଡ଼ ଏବଂ ଟଙ୍କା ଜବତ ହେବା ଘଟଣାରେ ଲକ୍ଷ୍ମୀ ନାରାୟଣ ପଣ୍ଡା ବିବାଦୀୟ ହୋଇ ପଡ଼ିଥିଲେ। ତାଙ୍କ କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରି ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପାଖରେ ଫେରାଦ ହୋଇଥିଲା।
ବରଗଡ଼ ମହୁଲପାଲି ଛକରୁ ଶନିବାର ରାତିରେ ୪୦ ଲକ୍ଷ ୫୦ ହଜାର ଟଙ୍କା ଜବତ ହୋଇଥିଲା। ଟଙ୍କା ନେଇ ଯାଉଥିବା ଆକାଶ ଅଗ୍ରଓ୍ବାଲଙ୍କୁ ପୋଲିସ ଗିରଫ କରିଥିଲା। ଏହାପରେ ଗାଇସିଲଟ ବିଜେପି ପାର୍ଟି ଅଫିସରେ ପୋଲିସ ଚଢ଼ାଉ କରିଥିଲା। ଏହାକୁ ନେଇ ବିଜେପି ପ୍ରତିବାଦ କରିଥିଲା। ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ବିଜେପି ଟାର୍ଗେଟ୍ କରିଥିଲା। ପଦ୍ମପୁର ଏସ୍ଡିପିଓ ଶାସକ ଦଳର ହାତବାରିସି ସାଜି କାମ କରୁଥିବା ବିଜେପି ଅଭିଯୋଗ କରିଥିଲା।
ସେହିପରି ୨୦ ତାରିଖରେ ବରପାଲ୍ଲି ବ୍ଲକର କୁମ୍ଭାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭା ମଞ୍ଚକୁ ଚପଲ ମାଡ଼ ପ୍ରସଙ୍ଗରେ ଲକ୍ଷ୍ମୀ ନାରାୟଣ ବିବାଦୀୟ ହୋଇ ଯାଇଥିଲେ। ଚପଲ ମାଡ଼ କରିଥିବା ଯୁବକ କାର୍ତ୍ତି ମେହେର ବିଜେପି କର୍ମୀ ବୋଲି ଏସ୍ଡିପିଓ କହିଥିଲେ। ବିନା ତଦନ୍ତରେ ଏସ୍ଡିପିଓ ଏଭଳି ବୟାନ ଦେଇଥିବାରୁ ବିଜେପି ପ୍ରତିବାଦ କରିଥିଲା।
ପ୍ରଚାରର ଶେଷ ଦିନରେ ଲକ୍ଷ୍ମୀ ନାରାୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ଚପଲ ମାଡ଼ ପ୍ରସଙ୍ଗରେ ପଦ୍ମପୁର ଆଇଆଇସି ଯଶୋବନ୍ତ ପ୍ରଧାନୀ ଏବଂ ଏସ୍ଡିପିଓ ଲକ୍ଷ୍ମୀ ନାରାୟଣ ପଣ୍ଡା ଗଣମାଧ୍ୟମରେ ଭିନ୍ନ ଭିନ୍ନ ମନ୍ତବ୍ୟ ଦେଇଥିଲେ। ଫଳରେ ଏସ୍ଡିପିଓ ବିବାଦୀୟ ହୋଇ ଯାଇଥିଲେ।








ବିଜେପୁର ଉପ-ନିର୍ବାଚନର ୩୬ ଘଣ୍ଟା ପୂର୍ବରୁ ପଦ୍ମପୁର ଏସ୍ଡିପିଓ ଲକ୍ଷ୍ମୀ ନାରୟଣ ପଣ୍ଡାଙ୍କୁ ବଦଳି କରାଯାଇଛି। ତାଙ୍କ ସ୍ଥାନରେ କ୍ଷୀର ସାଗର ନାୟକଙ୍କୁ ନୂଆ ଏସ୍ଡିପିଓ ଭାବେ ନିଯୁକ୍ତି ଦିଆଯାଇଛି।









