ଓଡ଼ିଶାଲାଇଭ୍ ବ୍ୟୁରୋ
ବିଜେପୁରରେ ଆଇନ୍ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ହୋଇଯାଇଛି। ଉପ-ନିର୍ବାଚନ ପୂର୍ବରୁ ଶାସକ ଦଳର ନେତାମାନେ ବିଶୃଙ୍ଖଳା ଆଚରଣ କରୁଛନ୍ତି। ଏନେଇ ବିଜେପିର ଏକ ପ୍ରତିନିଧି ଦଳ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ହୋଇଛି। ଏହାସହ ପୋଲିସ ପକ୍ଷପାତିତା କରୁଥିବା ଅଭିଯୋଗରେ ବିଜେପି ଡିଜି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛି।
ବିକ୍ଷୋଭରେ ବିଜେପି ଉପ-ସଭାପତି ସମୀର ମହାନ୍ତି, ଉପ-ସଭାନେତ୍ରୀ ସୁକେଶୀ ଓରାମ, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ-ସଭାପତି ଠାକୁର ରଣଜିତ୍ ଦାସ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ ଏବଂ ଅମୀୟ ଦାସ ପ୍ରମୁଖ ସାମିଲ ହୋଇଥିଲେ।
କିଛିଦିନ ହେଲା ବିଜେପୁର ଉପ-ନିର୍ବାଚନକୁ ନେଇ ବିଜେପି-ବିଜେଡି ମଧ୍ୟରେ ଛକାପଞ୍ଝା ଲାଗି ରହିଥିଲା। ବିଭିନ୍ନ ଅପ୍ରୀତିକର ଘଟଣା ଘଟିଥିବା ଅଭିଯୋଗ ହୋଇଥିଲା। ବିଜେପି ଓ ବିଜେଡି ନିର୍ବାଚନ ଅଧିକାରୀଙ୍କ ନିକଟରେ ବିଭିନ୍ନ ପ୍ରସଙ୍ଗକୁ ନେଇ ଫେରାଦ ମଧ୍ୟ ହୋଇଛନ୍ତି।


















