ଓଡ଼ିଶାଲାଇଭ୍ ବ୍ୟୁରୋ

- ପ୍ରାକ୍ ନିର୍ବାଚନୀ ହିଂସା
- ମନ୍ତ୍ରୀଙ୍କ ଭାଇ ଗୁରୁତର
- ୩ ଜଣଙ୍କୁ ଗିରଫ କଲା ପୋଲିସ
- ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ୨ଟି ଟିମ୍ ଗଠନ
- ମୁଖ୍ୟମନ୍ତ୍ରୀ କହିଲେ, “ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ”
ଶନିବାର ବିଜେପୁର ଉପ-ନିର୍ବାଚନ ପାଇଁ ହେବ ଭୋଟ୍। ହେଲେ ଏହା ପୂର୍ବରୁ ଅଶାନ୍ତ ହୋଇଯାଇଛି ବିଜେପୁର। ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଏବଂ ଅନ୍ୟ ତିନି ଜଣଙ୍କୁ କିଛି ଦୁର୍ବୃତ୍ତ ଗୁରୁବାର ବିଳମ୍ବିତ ରାତିରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ସୁବ୍ରତ ଗୁରୁତର ଆହତ ହୋଇ ବୁର୍ଲା ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
ଗୁରୁବାର ରାତିରେ ସୁବ୍ରତ ତାଙ୍କ ସହଯୋଗୀ କାର୍ତ୍ତିକ ନାଗ, ମାଗି ଶାହା, ଖଗେଶ୍ୱର ମହାମଲ୍ଲିକଙ୍କ ସହ କାର୍ରେ ବୁଲୁଥିଲେ। ସୋହେଲା ବ୍ଲକର ବଣବିରା ଗାଁ ନିକଟରେ ୨୦ ଜଣ ଲୋକ ସେମାନଙ୍କୁ ଅଟକାଇ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଦୁର୍ବୃତ୍ତମାନେ ଇଟାରେ ସୁବ୍ରତଙ୍କ ଗାଡ଼ି ଭଙ୍ଗାରୁଜା କରିଛନ୍ତି।
ଆକ୍ରମଣ ଘଟଣାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଆକ୍ରମଣକୁ ନିନ୍ଦା କରିଛନ୍ତି।
“ଦୁଇ ରାଜନୈତିକ ଦଳ ଭିତରେ ପ୍ରତିଦ୍ୱନ୍ଦ୍ବିତା ଯୋଗୁ ଏହି ଘଟଣା ଘଟିଛି। ୩ ଜଣଙ୍କୁ ଗିରଫ କରାଯାଇଛି। ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ୨ଟି ଟିମ୍ ଗଠନ କରିଛି”, ଅତିରିକ୍ତ ଏସ୍ପି ସଶୋବନ୍ତ ସେନାପତି।
“ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ। ଓଡ଼ିଶାବାସୀ ହେଉଛନ୍ତି ଶାନ୍ତିପ୍ରିୟ। ବରଗଡ଼ରେ ଘଟିଥିବା ମରଣାନ୍ତକ ଆକ୍ରମଣକୁ ମୁଁ ଦୃଢ଼ ଭାବେ ନିନ୍ଦା କରୁଛି”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।


















