ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନରେ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ହେଲେ ଅସଲ ଲଢ଼େଇ ହେଉଛି ବିଜେଡି-କଂଗ୍ରେସ-ବିଜେପି ପ୍ରାର୍ଥୀଙ୍କ ମଧ୍ୟରେ। ବିଜେଡି ପ୍ରାର୍ଥୀ ରିତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ମଧ୍ୟରେ କଡ଼ା ଟକ୍କର ହେଉଛି।

ରିତା ସାହୁ: ରିତା ସାହୁ ପ୍ରଥମ ଥର ପାଇଁ ନିର୍ବାଚନ ରଣାଙ୍ଗନାଙ୍କୁ ଅବତୀର୍ଣ୍ଣ ହୋଇଛନ୍ତି। ସୁବଳ ସାହୁଙ୍କ ସ୍ତ୍ରୀ ରିତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରିଛି। ରିତା ମାଟ୍ରିକ ଯାଏଁ ପାଠ ପଢ଼ିଛନ୍ତି। ସେ ପୂର୍ବରୁ ରାଜନୀତି ସହ ଜଡ଼ିତ ନଥିଲେ। ସ୍ୱାମୀ ସୁବଳ ସାହୁଙ୍କ ଦେହାନ୍ତ ପରେ ସେ ପ୍ରାର୍ଥୀ ହୋଇଛନ୍ତି। ବିଜେଡି ସରକାରର ଲୋକାଭିମୁଖି ଯୋଜନା ଏବଂ ସୁବଳ ସାହୁଙ୍କ ଲୋକପ୍ରିୟତାକୁ ନେଇ ରିତା ଭୋଟରଙ୍କ ନିକଟତର ହୋଇଛନ୍ତି। ଭୋଟର ତାଙ୍କୁ ନିରାଶ କରିବେ ନାହିଁ ବୋଲି ରିତା ଆଶାବାଦୀ ଅଛନ୍ତି।

ଅଶୋକ ପାଣିଗ୍ରାହୀ: ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଛନ୍ତି ଅଶୋକ ପାଣିଗ୍ରାହୀ। ତାଙ୍କୁ ବିଜେପି ଏଥର ପ୍ରାର୍ଥୀ କରିଛି। ଏଲ୍ଏଲ୍‌ବି କରିଥିବା ଅଶୋକ ୧୯୯୫ରେ ପ୍ରଥମ ଥର ପାଇଁ ସ୍ୱାଧୀନ ଭାବେ ନିର୍ବାଚନ ଲଢ଼ିଥିଲେ। ୨୦୦୦ରେ ସେ ବିଜେଡି ଟିକେଟରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ସେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁଙ୍କଠାରୁ ପରାଜିତ ହୋଇଥିଲେ।

୨୦୦୯ରେ ଅଶୋକ ଟିକେଟ ନପାଇବାରୁ ନିର୍ବାଚନ ଲଢ଼ି ନଥିଲେ। ହେଲେ ୨୦୧୪ରେ ଅଶୋକ ପୁଣି ସ୍ବାଧୀନ ଭାବେ ଲଢ଼ି ୧୮ ହଜାର ଭୋଟ ପାଇଥିଲେ। ଚଳିତ ଉପ-ନିର୍ବାଚନରେ ଅଶୋକ ବିଜେପି ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ୁଛନ୍ତି। ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟତାକୁ ନେଇ ଅଶୋକ ଜିତିବା ପାଇଁ ଆଶା ରଖିଛନ୍ତି।

ପ୍ରଣୟ ସାହୁ: ପ୍ରଥମ ଥର ପାଇଁ ପ୍ରଣୟ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ହେଲେ ଏହା ପୂର୍ବରୁ ସେ ଏକାଧିକ ଥର ପଞ୍ଚାୟତ ନିର୍ବାଚନରେ ସଫଳତା ପାଇଛନ୍ତି। ଯୁକ୍ତ ଦୁଇ ଯାଏଁ ପାଠ ପଢ଼ିଥିବା ପ୍ରଣୟ ୧୯୯୭ରୁ ପଞ୍ଚାୟତରୁ ନିର୍ବାଚିତ ହୋଇ ଆସୁଛନ୍ତି। ୨୦୧୨ରେ ସେ ଗାଇସିଲଟ ବ୍ଲକ ଅଧ୍ୟକ୍ଷ ଥିବା ବେଳେ ଏବେ ଉପାଧ୍ୟକ୍ଷ ଅଛନ୍ତି।

Comment