ଓଡ଼ିଶାଲାଇଭ୍ ବ୍ୟୁରୋ

- ୧୯୩ ନମ୍ବର ବୁଥ୍ର ପ୍ରିଜାଇଡିଂ ଅଫିସର ନିଲମ୍ବିତ
- ଶେଷ ହେଲା ବିଜେପୁର ଭୋଟ
- ୫ଟା ସୁଦ୍ଧା ୭୨ ପ୍ରତିଶତ ମତଦାନ
- ୪ଟା ସୁଦ୍ଧା ୭୦ ପ୍ରତିଶତ ଭୋଟିଂ ସୂଚନା
- ଅପରାହ୍ଣ ୩ଟା ସୁଦ୍ଧା ୫୫ ପ୍ରତିଶତ ଭୋଟିଂ
- ଦିନ ୨ଟା ସୁଦ୍ଧା ୫୦ ପ୍ରତିଶତ ଭୋଟିଂ
- ଦିନ ୧ଟା ସୁଦ୍ଧା ୩୮ ପ୍ରତିଶତ ମତଦାନ
- ୧୨ଟା ୩୦ ସୁଦ୍ଧା ବିଜେପୁରରେ ୩୫ ପ୍ରତିଶତ ମତଦାନ
- ବିଜେପୁର ବ୍ଲକରେ ୧୧ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
- ଗାଇସିଲଟରେ ୧୦ଟା ସୁଦ୍ଧା ୨୫ ପ୍ରତିଶତ ମତଦାନ
- ଅଶୋକ ପାଣିଗ୍ରାହୀ ଦେଲେ ଭୋଟ୍
- ବରପାଲିରେ ଭୋଟ ଦେଲେ ରିତା ସାହୁ
- ଗାଇସିଲଟରେ ଭୋଟ ଦେଲେ ପ୍ରଣୟ ସାହୁ
- ଅପରାହ୍ଣ ୫ଟା ଯାଏଁ ଚାଲିବ ମତଦାନ
- ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ୩୬ ପ୍ଲାଟୁନ୍ ଫୋର୍ସ
ପ୍ରିଜାଇଡିଂ ଅଫିସର ନିଲମ୍ବିତ
କାଁ ଭାଁ ଗଣ୍ଡଗୋଳକୁ ଛାଡ଼ିଦେଲେ ବିଜେପୁରରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟିଂ ଶେଷ ହୋଇଛି। ହେଲେ ୧୯୩ ନମ୍ବର ବୁଥ୍ରୁ ଏକ ସାଂଘାତିକ ଅଭିଯୋଗ ଆସିଛି। ଏହି ବୁଥ୍ର ପ୍ରିଜାଇଡିଂ ଅଫିସର ଭୋଟରଙ୍କୁ ଏକ ନିର୍ଦ୍ଦିଷ୍ଟ ଦଳର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ପ୍ରବର୍ତ୍ତାଉଥିବା ଅଭିଯୋଗ ହୋଇଥିଲା। ପରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ପ୍ରିଜାଇଡିଂ ଅଫିସରଙ୍କୁ ନିଲମ୍ବିତ କରାଯାଇଛି।
ପ୍ରିଜାଇଡିଂ ଅଫିସର ଜଣକ ହେଉଛନ୍ତି ଭେଡେନ୍ ବ୍ଲକ ଠିକିପାଲି ସ୍କୁଲର ପ୍ରଧାନ ଶିକ୍ଷକ। ଏହି ଘଟଣାକୁ ନେଇ ଏହି ବୁଥ୍ରେ କିଛି ସମ଼ୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।
୫ଟା ପରେ ବି ଭୋଟିଂ ଜାରି
ବିଜେପୁରରେ ଶେଷ ହୋଇଛି ମତଦାନ ପ୍ରକ୍ରିୟା। ୫ଟା ସୁଦ୍ଧା ୭୨ ପ୍ରତିଶତ ଭୋଟିଂ ହୋଇଥିବା ସୂଚନା ମିଳିଛି। ଇଭିଏମ୍ରେ ୧୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ ହୋଇଯାଇଛି। ଆଉ କିଛି ବୁଥ୍ରେ ମତଦାନ ପ୍ରକ୍ରିୟା ଚାଲିଛି। ଯେଉଁ ଭୋଟରମାନେ ୫ଟା ପୂର୍ବରୁ ବୁଥ୍ ଆଗରେ ଲାଇନରେ ଛିଡ଼ା ହୋଇଥିଲେ ସେମାନେ ଭୋଟ୍ ଦେଉଛନ୍ତି।ଏଣୁ ମତଦାନ ପ୍ରତିଶତ ବଢ଼ିବାର ସମ୍ଭାବନା ରହିଛି।
ବିଜେପୁରରେ ମତଦାନ ପ୍ରକ୍ରିୟା ଶେଷ ହେବାକୁ ଆଉ ଅଧଘଣ୍ଟା ବାକି ରହିଛି। ହେଲେ ମିଳିଥିବା ସୂଚନା ଅନୁଯାୟୀ ୪ଟା ସୁଦ୍ଧା ୭୦ ପ୍ରତିଶତ ଭୋଟିଂ ହୋଇଛି। ଭୋଟ ପରେ ରାଜନୈତିକ ହିଂସା ଉପୁଜିବା ଆଶଙ୍କାରେ ପ୍ରଶାସନ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଇଛି।
ବିଜେପୁରର ବିଭିନ୍ନ ସମ୍ବେଦନଶୀଳ ବୁଥ୍ ଅଗାରେ ସୁରକ୍ଷା କର୍ମୀଙ୍କୁ ନିୟୋଜିତ କରାଯାଇଛି। ଏହାସହ ବିଭିନ୍ନ ସମ୍ବେଦନଶୀଳ ଛକରେ ମଧ୍ୟ ପୋଲିସ ମୁତୟନ କରାଯାଇଛି।
ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଥିବା ମତଦାନ ଶେଷ ହେବାକୁ ଆଉ ଦେଢ଼ ଘଣ୍ଟା ବାକି ରହିଛି। ହେଲେ ଭୋଟ ଗ୍ରହଣ କେନ୍ଦ୍ର ଆଗରୁ ଭୋଟରଙ୍କ ଗହଳି ଭାଙ୍ଗିନି। ରିଟର୍ଣ୍ଣିଂ ଅଫିସର ତପିରାମ ମାଝିଙ୍କ ସୂଚନା ଅନୁଯାୟୀ, ଅପରାହ୍ଣ ୩ଟା ସୁଦ୍ଧା ୫୫ ପ୍ରତିଶତ ଭୋଟିଂ ହୋଇଛି।
ବିଜେପୁର ଉପ-ନିର୍ବାଚନ ପାଇଁ ଜାରି ରହିଛି ମତଦାନ। ଦିନ ୨ଟା ସୁଦ୍ଧା ବିଜେପୁରର ୩ଟି ଯାକ ବ୍ଲକରେ ପ୍ରାୟ ୫୦ ପ୍ରତିଶତ ମତଦାନ ହୋଇଛି। ମତଦାନ ଆହୁରି ବଢ଼ିବ ବୋଲି ଆଶା କରାଯାଉଛି। କାରଣ ଏବେ ବି ବହୁ ଲୋକ ଧାଡ଼ିରେ ଛିଡ଼ା ହୋଇଛନ୍ତି। ଅପରାହ୍ମ ୫ଟା ପର୍ଯ୍ୟନ୍ତ ମତଦାନ ଚାଲିବ।
ଦିନ ୧ଟା ସୁଦ୍ଧା ବିଜେପୁରରେ ପ୍ରାୟ ୩୮ ପ୍ରତିଶତ ମତଦାନ ହୋଇଛି। ଭୋଟରମାନେ ବିଭିନ୍ନ ବୁଥ୍ ଆଗରେ ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲେ। ଖରାର ପ୍ରକୋ ବଢ଼ୁଥିଲେ ହେଁ ଭୋଟ କେନ୍ଦ୍ର ନିକଟରେ ଲୋକଙ୍କ ଭିଡ଼ କମି ନଥିଲା। ମନ ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେବା ପାଇଁ ଲୋକେ ଧାଡ଼ିରେ ଛିଡ଼ା ହୋଇଥିଲେ। ପରିଣତ ବୟସର ବହୁ ଭୋଟର ଭୋଟ ଦେଉଥିବା ଦେଖିବାକୁ ମିଳିଛି।
ବୁଥ୍ ଆଗରେ ଲମ୍ବା ଲାଇନ୍
୧୨ଟା ୩୦ ସୁଦ୍ଧା ବିଜେପୁରରେ ୩୫ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସମୟ ଯେତିକି ଗଡ଼ୁଛି ବିଭିନ୍ନ ବୁଥ୍ରେ ଭୋଟରଙ୍କ ଭିଡ଼ ମଧ୍ୟ ସେହି ପରିମାଣରେ ବଢ଼ୁଛି। ୨୮୧ ବୁଥ୍ ଆଗରେ ଲମ୍ବା ଲାଇନ୍ ଲାଗିଛି। ସୁରକ୍ଷା କର୍ମୀ ଜଣକ ପରେ ଜଣେ ଭୋଟରଙ୍କୁ ମତଦାନ କେନ୍ଦ୍ରକୁ ଛାଡ଼ୁଛନ୍ତି।
ବିଜେପୁର ଉପ-ନିର୍ବାଚନ ପାଇଁ ସକାଳ ୮ଟାରୁ ଆରମ୍ଭ ହୋଇଛି ଭୋଟ୍। ପୂର୍ବାହ୍ନ ୧୧ଟା ସୁଦ୍ଧା ବିଜେପୁର ବ୍ଲକରେ ୨୫ ପ୍ରତିଶତ ମତଦାନ ହୋଇଥିଲା। ସେହିପରି ୧୦ଟା ସୁଦ୍ଧା ଗାଇସିଲଟ ବ୍ଲକରେ ମଧ୍ୟ ୨୫ ପ୍ରତିଶତ ମତଦାନ ହୋଇଥିଲା।
ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ବରପାଲି ବ୍ଲକର ଧୀରାପୁରରେ ଭୋଟ ଦେଇଛନ୍ତି। ପ୍ରଣୟ ସାହୁ ଗାଇସିଲଟର ବୁରୋମୁଣ୍ଡା ଏବଂ ରିତା ସାହୁ ବରପାଲିର ୧୯ ନମ୍ବର ବୁଥ୍ରେ ଭୋଟ ଦେଇଛନ୍ତି।
ଇଭିଏମ୍ ଅଚଳ
ବିଜେପୁର ଉପ-ନିର୍ବାଚନ ପାଇଁ ମତଦାନ ଜାରି ରହିଥିବା ବେଳେ ବିଭିନ୍ନ ବୁଥ୍ରେ ଇଭିଏମ୍ ଅଚଳ ହୋଇଛି। ବିଜେପୁର ବ୍ଲକର ୫ଟି ଏବଂ ଗାଇସିଲଟ ବ୍ଲକର ଗୋଟିଏ ବୁଥ୍ରେ ଇଭିଏମ୍ ଅଚଳ ହୋଇଥିବା ସୂଚନା ମିଳିଛି।
ବିଜେପୁର ବ୍ଲକର ବରମୁଣ୍ଡା, ସାଧୁପାଲ୍ଲି, ମହୁଲପାଲ୍ଲି, ନୂଆପାଲ୍ଲି ଆଦି ବୁଥ୍ରେ ଇଭିଏମ୍ ଅଚଳ ହୋଇଥିଲା। କିଛି ସମୟ ପାଇଁ ମତଦାନରେ ବାଧାପ୍ରାପ୍ତ ହୋଇଥିଲା। ସେହିପରି ଗାଇସିଲଟ ବ୍ଲକର ଗୋଟିଏ ବୁଥ୍ରେ ଇଭିଏମ୍ ଅଚଳ ହୋଇ ଯାଇଛି।
ବିଜେପୁର ଉପ-ନିର୍ବାଚନ ପାଇଁ ଚାଲିଛି ମତଦାନ। ସକାଳ ୮ଟାରୁ ଆରମ୍ଭ ହୋଇଥିବା ମତଦାନ ଅପରାହ୍ଣ ୫ଟା ଯାଏଁ ଚାଲିବ। ତିନୋଟି ବ୍ଲକ ବରପାଲି, ବିଜେପୁର ଏବଂ ଗାଇସିଲଟର ବିଭିନ୍ନ ବୁଥ୍ରେ ଲମ୍ବା ଲାଇନରେ ଛିଡ଼ା ହୋଇ ଭୋଟର ଭୋଟ ଦେଉଛନ୍ତି।
୧୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୨, ୨୧, ୧୮୪ ଭୋଟର
ନିର୍ବାଚନ ରଣାଙ୍ଗନାକୁ ୧୩ ଜଣ ପ୍ରାର୍ଥୀ ଓହ୍ଲାଇଥିଲେ ମଧ୍ୟ ତ୍ରିମୁଖି ଲଢ଼େଇ ଚାଲିଛି। ବିଜେଡି ପ୍ରାର୍ଥୀ ରିତା ସାହୁ, ବିଜେପି ପ୍ରାର୍ଥୀ ଅଶୋକ ପାଣିଗ୍ରାହୀ ଏବଂ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ବିତା ଚାଲିଛି। ୨ ଲକ୍ଷ ୨୧ ହଜାର ୧୮୪ ଜଣ ଭୋଟର ୨୮୧ଟି ବୁଥ୍ରେ ମତଦାନ କରିବେ।

ଭୋଟ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
ଭୋଟ ପାଇଁ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ବିଜେପୁରରେ ୩୬ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ସେମାନଙ୍କ ମଧ୍ୟରେ ୫ କମ୍ପାନି ବିଏସ୍ଏଫ୍ ଓ ସିଆର୍ପିଏଫ୍ ଯବାନ ରହିଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଫୋର୍ସ ମୁତୟନ କରାଯିବ। ୪୦ଟି ମୋବାଇଲ୍ ପାର୍ଟି ନିୟୋଜିତ କରାଯାଇଛି।
ଉପ-ନିର୍ବାଚନ ପାଇଁ ୧୨ଟି ପୋଲିସ ସ୍କ୍ୱାଡ୍ ଗଠନ କରାଯାଇଛି। ୩ ଫ୍ଲାଇଙ୍ଗ୍ ସ୍କ୍ୱାଡ୍ ବିଜେପୁରର ବିଭିନ୍ନ ବୁଥ୍କୁ ଗସ୍ତ କରିବେ। ଉପ-ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ ଶେଷ କରିବାକୁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୧୫୦ ସବ୍-ଇନ୍ସିପେକ୍ଟର ଏବଂ ୪୦ ମୋବାଇଲ୍ ଟିମକୁ ନିୟୋଜିତ କରାଯାଇଛି।


















