ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ମୃତ ଦିଲେଶ୍ୱରଙ୍କ ପିଲାଙ୍କ ପାଠପଢ଼ା ଖର୍ଚ୍ଚ ବହନ କରିବ ବିଜେଡି
  • ମୁଖ୍ୟମନ୍ତ୍ରୀ କହିଲେ, “ଆକ୍ରମଣକାରୀଙ୍କ ବିରୋଧରେ ନିଆଯିବ ଦୃଢ଼ କାର୍ଯ୍ୟାନୁଷ୍ଠାନ”

ଶ୍ରମମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଏବଂ ଅନ୍ୟ ୩ ଜଣଙ୍କୁ ଆକ୍ରମଣ ଘଟଣା ଭିନ୍ନମୋଡ଼ ନେଇଛି। ଗୁରୁତର ଥିବା ସୁଶାନ୍ତ ସିଂଙ୍କ ଡ୍ରାଇଭର ଦିଲେଶ୍ୱରଙ୍କର ମୃତ୍ୟୁ ଘଟିଛି। କଟକ ଏସ୍‌ସିବି ମେଡିକାଲରେ ଶନିବାର ଦିଲେ୍ଶ୍ୱରଙ୍କର ମୃତ୍ୟୁ ଘଟିଛି।

ମୃତଦେହକୁ କଟକରୁ ଭୁବନେଶ୍ୱରସ୍ଥିତ ବିଜେଡି କାର୍ଯ୍ୟାଳୟକୁ ଅଣାଯାଇଥିଲା। ସେଠାରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହାସହ ଦିଲେଶ୍ୱରଙ୍କ ପିଲାମାନଙ୍କର ପାଠପଢ଼ା ଖର୍ଚ୍ଚ ବିଜେଡି ବହନ କରିବ ବୋଲି ନବୀନ କହିଛନ୍ତି।

୨୨ ତାରିଖ ରାତିରେ ସୁଶାନ୍ତ ସିଂହଙ୍କ ଭାଇ ସୁବ୍ରତ ଏବଂ ଅନ୍ୟ ୩ ଜଣ ଏକ କାରରେ ଯାଉଥିଲେ। ସୋହେଲାର ବନାବିରା ଛକରେ କିଛି ଦୁର୍ବୃତ୍ତ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ଗାଡ଼ି ଭଙ୍ଗାରୁଜା କରିଥିଲେ। ଦୁର୍ବୃତ୍ତଙ୍କ ଆକ୍ରମଣରେ ୩ ଜଣ ଆହତ ହୋଇଥିଲେ। ଆହତଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା।

ଡ୍ରାଇଭର ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟ ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ଏସ୍‌ସିବି ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଦିଲେଶ୍ୱରଙ୍କର ମୃତ୍ୟୁ ଘଟିଛି।

ନବୀନ ପଟ୍ଟନାୟକ କହିଛନ୍ତି, “ଓଡ଼ିଶା ହେଉଛି ଶାନ୍ତିପ୍ରିୟ ରାଜ୍ୟ। ଶାନ୍ତିପ୍ରିୟ ରାଜ୍ୟରେ ହିଂସାର ସ୍ଥାନ ନାହିଁ। ଯେଉଁମାନେ ଏହି ମରଣାନ୍ତକ ଆକ୍ରମଣ କରିଛନ୍ତି ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment