ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଆ ପ୍ରଶ୍ନପତ୍ର ଲିକ୍ ହେବା ଘଟଣାକୁ ନେଇ ଚର୍ଚ୍ଚା ନଥମୁଣୁ ସୋମବାର ଇଂରାଜି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି। ବୋର୍ଡ ଅଫିସରେ ସୋମବାର କ୍ରାଇମବ୍ରାଞ୍ଚ ସାଇବର ସେଲ୍ ଅଧିକାରୀ ତନାଘନା କରିଛନ୍ତି।

ମାଟ୍ରିକ ପରୀକ୍ଷାକୁ ସୂଚାରୁରୂପେ ଶେଷ କରିବା ପାଇଁ ସରକାର ଚାହୁଁଥିଲେ ମଧ୍ୟ ତାହା ସମ୍ଭବ ହେଉନି। ମାଟ୍ରିକ ପରୀକ୍ଷା ପରିଚାଳନାରେ ତ୍ରୁଟି ରହିଥିବା ପରିଲକ୍ଷିତ ହୋଇଛି। ୨୩ ତାରିଖରେ ଓଡ଼ିଆ ପ୍ରଶ୍ନପତ୍ର ଲିକ୍‌ ହେବା ପରେ ସୋମବାର ଇଂରାଜି ପ୍ରଶ୍ନପତ୍ର ଭାଇରାଲ୍ ହୋଇଥିବା ଅଭିଯୋଗ ହୋଇଛି।

ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର କହିଛନ୍ତି, “ପ୍ରଶ୍ନପତ୍ର ଲିକ୍ ହୋଇନି। ସକାଳ ୧୦ଟା ପରେ ଭାଇରାଲ୍ ହୋଇଛି। ପ୍ରଶ୍ନପତ୍ର ଲିକ୍ ନେଇ ଯେଉଁମାନେ ପ୍ରଚାର କରୁଛନ୍ତି ତାହା ଠିକ୍ ନୁହେଁ। ଏହାର ପ୍ରଭାବ ପିଲାଙ୍କ ଉପରେ ପଡ଼ିବ। ଘଟଣାର ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚର ସାଇବର ସେଲ୍‌କୁ ଦାୟିତ୍ୱ ଦିଆଯାଇଛି। ତଦନ୍ତ ପର ସବୁକିଛି ସ୍ପଷ୍ଟ ହୋଇଯିବ।

କଟକସ୍ଥିତ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ କ୍ରାଇମବ୍ରାଞ୍ଚ ସାଇବର ସେଲ୍ର ଦୁଇ ଅଧିକାରୀ ତନାଘନା କରିଛନ୍ତି। ବୋର୍ଡ କର୍ତ୍ତୃପକ୍ଷ ଏବଂ କିଛି କର୍ମଚାରୀଙ୍କୁ ପଚରାଉଚରା କରିଛନ୍ତି। ୪ ଘଣ୍ଟାର ଖୋଳତାଡ଼ ପରେ ଅଧିକାରୀ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛନ୍ତି।

ମାର୍ଚ୍ଚ ୨୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିଲା। ପ୍ରଥମ ଦିନ ହିଁ ପରୀକ୍ଷା ପୂର୍ବରୁ ଓଡ଼ିଆ ପ୍ରଶ୍ନପତ୍ର ହ୍ୱାଟସ୍‌ଆପ୍‌ରେ ଘୂରି ବୁଲିଥିଲା। କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକର ଏକ ପରୀକ୍ଷା କେନ୍ଦ୍ରରୁ ଏହି ପ୍ରଶ୍ନପତ୍ର ଲିକ୍ ହୋଇଥିବା ଅଭିଯୋଗ ହେବା ପରେ ସରକାର ଏବଂ ବୋର୍ଡ କର୍ତ୍ତୃପକ୍ଷ ତତ୍ପରତା ଦେଖାଇଥିଲେ।

Comment