ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ପୁରାତନ ସାହିତ୍ୟାନୁଷ୍ଠାନ ଫକିରମୋହନ ସାହିତ୍ୟ ପରିଷଦ ପକ୍ଷରୁ ନୀଳଗିରି ରାଜପ୍ରାସାଦରେ ପ୍ରଥମ ଥର ପାଇଁ ଫକିରମୋହନ ସାହିତ୍ୟ ଚର୍ଚ୍ଚା ଅନୁଷ୍ଠିତ ହୋଇଛି।

ଫକିରମୋହନ ସେନାପତି ଦେୱାନ୍, ଆସିଷ୍ଟାଣ୍ଟ ମ୍ୟାନେଜର ଓ ମ୍ୟାନେଜର ଭାବରେ କାର୍ଯ୍ୟ କରିଥିବା ରାଜପ୍ରାସାଦମାନଙ୍କରେ ତାଙ୍କ ସମ୍ପର୍କରେ ଚର୍ଚ୍ଚା କରିବାର ନିଷ୍ପତ୍ତି ନେଇ ଏହି ଅଭିଯାନ ଆରମ୍ଭ ହୋଇଛି।

ଫକିରମୋହନ ପ୍ରଥମେ ଦେୱାନ୍ ଭାବରେ କାର୍ଯ୍ୟ କରିଥିବା ନୀଳଗିରି ରାଜପ୍ରାସାଦରୁ ଏହି ଚର୍ଚ୍ଚା ଆରମ୍ଭ ହୋଇଛି। ଏହି ଅବସରରେ ରବିବାର ଅପରାହ୍ଣରେ ଏକ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଉତ୍ସବରେ ଅଧ୍ୟକ୍ଷତା କରି ପରିଷଦର ସଭାପତି ଡକ୍ଟର ଲକ୍ଷ୍ମୀକାନ୍ତ ତ୍ରିପାଠୀ ନୀଳଗିରିରେ ତିନିଗୋଟି ବିଷୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ।

ନୀଳଗିରି ମହାରାଣୀଙ୍କ ନାମରେ ନାମିତ ତଥା ଫକିରମୋହନଙ୍କ ଦ୍ୱାରା ପ୍ରତିଷ୍ଠିତ ନିର୍ମଳା ହାଟର ପୁନଃବ୍ୟବସ୍ଥାପନ, ନୀଳଗିରିରେ ଫକିରମୋହନଙ୍କର ପ୍ରତିମୂର୍ତ୍ତି ସ୍ଥାପନ ଓ ନୀଳଗିରିରୁ ଶେରଗଡ଼ ପର୍ଯ୍ୟନ୍ତ ରାସ୍ତାକୁ ଫକିରମୋହନଙ୍କ ନାମରେ ନାମିତ କରିବାକୁ ଆଲୋଚନା ହୋଇଛି।

ଉତ୍ସବରେ ଅତିଥିଭାବରେ ଯୋଗ ଦେଇଥିବା ନୀଳଗିରିର ମହାରାଜା ଜୟନ୍ତଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ଓ ମହାରାଣୀ ମନୋଜା ମଞ୍ଜରୀ ଦେବୀ ପରିଷଦର ଏପରି କାର୍ଯ୍ୟକୁ  ପ୍ରଶଂସା କରିଥିଲେ।

ଅନ୍ୟତମ ଅତିଥି ଭାବେ ନୀଳଗିରି ସାହିତ୍ୟ ସଂସଦର ସଭାପତି ସୋମନାଥ ନାୟକ ଯୋଗଦେଇ ଫକିରମୋହନଙ୍କ କାର୍ଯ୍ୟକ୍ରମକୁ ବ୍ୟାପକ କରିବା ପାଇଁ ଉତ୍ସାହିତ କରିଥିଲେ।

ତପନ ରାୟ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରିତ କରିଥିଲେ। ପ୍ରଦୀପ ଚାଟାର୍ଜୀ ପ୍ରାରମ୍ଭିକ ବକ୍ତବ୍ୟ ଦେଇଥିଲେ। ଡକ୍ଟର ହରିଶ୍ଚନ୍ଦ୍ର ବେହେରା, ଡକ୍ଟର ଶିରିଶ ଚନ୍ଦ୍ର ଜେନା, ଅଞ୍ଜଳି ପଣ୍ଡା, ଅରୁଣା ରାୟ, ସୁବାସିନୀ ଜୀ, ଅର୍ଚ୍ଚନା ନନ୍ଦୀ, କଲ୍ୟାଣି ନନ୍ଦ, ବାସନ୍ତୀ ଦେ, ପ୍ରଭାକର ସାହୁ, ମଧୁସୂଦନ ମାଝି, ଶରତ କୁମାର ପ୍ରମୁଖ ଉପସ୍ଥିତ ଥିଲେ।

1 COMMENT

LEAVE A REPLY

Please enter your comment!
Please enter your name here