ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱରବାସୀଙ୍କ ଦୀର୍ଘ ଦିନର ଦାବି ପୂରଣ ହୋଇଛି। ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ବାଲେଶ୍ୱର ମୁଖ୍ୟ ଡାକଘର ପରିସରରେ ଶୁଭାରମ୍ଭ ହୋଇଛି।

ବାଲେଶ୍ୱର: ବାଲେଶ୍ୱର ମୁଖ୍ୟ ଡାକଘର ପରିସରରେ ରବିବାର ପାସପୋର୍ଟ ସେବାକେନ୍ଦ୍ର ଉଦଘାଟିତ ହୋଇଯାଇଛି। ବାଲେଶ୍ୱର ସାଂସଦ ରବିନ୍ଦ୍ର କୁମାର ଜେନା ଏହି ପାସପୋର୍ଟ ସେବା କେନ୍ଦ୍ରକୁ ଉଦଘାଟନ କରିଥିଲେ।

ରବିନ୍ଦ୍ର ଜେନା କହିଛନ୍ତି, “ଏହି ସେବାକେନ୍ଦ୍ର ଖୋଲାଯିବା ଫଳରେ ବାଲେଶ୍ୱରବାସୀଙ୍କ ଦୀର୍ଘଦିନର ଆଶା ପୂରଣ ହୋଇଛି। ପୂର୍ବରୁ ପାସପୋର୍ଟ ପାଇବା ପାଇଁ ମାସାଧିକ ସମୟ ଲାଗୁଥିବା ବେଳେ ରାଜ୍ୟ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ‘ରାଇଟ୍ ଟୁ ପବ୍ଲିକ ସର୍ଭିସ୍’ ଅଧିନିୟମ ଯୋଗୁଁ ଏବେ ଏହା ବହୁ କମ୍ ଦିନରେ ମିଳିପାରୁଛି।”

ବୈଦେଶିକ ବ୍ୟାପାର ମନ୍ତ୍ରାଳୟର ଯୁଗ୍ମ ସଚିବ ମନୋଜ କୁମାର ମହାପାତ୍ର, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ଚିଫ ପୋଷ୍ଟ ମାଷ୍ଟର ଜେନେରାଲ ଡକ୍ଟର ଏସ.କେ. କମିଳା, ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ, ଆରକ୍ଷୀ ଅଧିକ୍ଷକ ନୀତି ଶେଖର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ କହିଛନ୍ତି, “ପୂର୍ବରୁ ପାସପୋର୍ଟ ଆବେଦନ ଓ ପାଇବା ପ୍ରକ୍ରିୟା ବ୍ୟୟସାପେକ୍ଷ ଏବଂ ସମୟସାପେକ୍ଷ ହେଉଥିଲା। ଏହି କେନ୍ଦ୍ର ଦ୍ୱାରା ତାହା ସହଜ ଏବଂ ସୁଲଭରେ ମିଳିପାରିବ। ବାଲେଶ୍ୱରରେ ଆରମ୍ଭ ହୋଇଥିବା ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ରକୁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ।”

ସମ୍ପ୍ରତି ରାଜ୍ୟରେ ୩ଟି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର ରାଉରକେଲା, ସମ୍ବଲପୁର ଓ କୋରାପୁଟରେ କାମ କରୁଥିବା ବେଳେ ତାହା ବାଲେଶ୍ୱରରେ ଆରମ୍ଭ ହୋଇଛି।

“ଅଳ୍ପ ଦିନ ମଧ୍ୟରେ ବ୍ରହ୍ମପୁର, ବାରିପଦା ଓ ଭବାନୀପାଟଣାରେ ଏହା ଆରମ୍ଭ ହେବ। ସମଗ୍ର ରାଜ୍ୟରେ ମୋଟ ୨୦ଟି ପୋଷ୍ଟ ଅଫିସ ପାସପୋର୍ଟ ସେବା କେନ୍ଦ୍ର କାର୍ଯ୍ୟକାରୀ କରିବା ନିମନ୍ତେ ଯୋଜନା ରହିଛି”, କହିଛନ୍ତି ଚିଫ୍ ପୋଷ୍ଟ ମାଷ୍ଟର ଜେନେରାଲ ଡକ୍ଟର ଏସ.କେ କମିଳା।

ଆଂଚଳିକ ପାସପୋର୍ଟ ଅଧିକାରୀ ଡକ୍ଟର ଦିଗ୍‌ବିଜୟ ଗିରି ନୂତନ ପୋଷ୍ଟ ଅଫିସ ପାସପୋର୍ଟ ସେବାକେନ୍ଦ୍ର ସମ୍ପର୍କରେ ବିଭିନ୍ନ ସୂଚନା ଦେଇଥିଲେ। ବାଲେଶ୍ୱର ଜିଲ୍ଲା ଡାକଘର ସମୂହ ଅଧିକ୍ଷକ ପ୍ରିୟନାଥ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

Comment