ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜଧାନୀରେ ଅତି କମ୍‌ରେ ଦଶଟି ନୂଆ ହୋଟେଲ ପ୍ରତିଷ୍ଠା ପାଇଁ ସରକାର ଚାହୁଁଛନ୍ତି ଏବଂ ଏଥିପାଇଁ ଇ-ଅକ୍ସନ ଜରିଆରେ ପ୍ରସ୍ତାବ ଆହ୍ୱାନ କରାଯାଇଛି।

ଓଡ଼ିଶା ସରକାରଙ୍କ ପକ୍ଷରୁ ଭୁବନେଶ୍ୱରରେ ଦଶଟି ଷ୍ଟାର ହୋଟେଲ ପ୍ରତିଷ୍ଠା ପାଇଁ ଉଦ୍ୟମ ଆରମ୍ଭ ହୋଇଛି। ଏହି କ୍ରମରେ ଜାତୀୟ ତଥା ଅନ୍ତର୍ଜାତୀୟ ହୋଟେଲମାନଙ୍କ ଠାରୁ ଟେଣ୍ଡର ମଗା ଯାଇଛି। ରାଜଧାନୀରେ ଅତି କମ୍‌ରେ ଦଶଟି ନୂଆ ହୋଟେଲ ପ୍ରତିଷ୍ଠା ପାଇଁ ସରକାର ଚାହୁଁଛନ୍ତି ଏବଂ ଏଥିପାଇଁ ଇ-ଅକ୍ସନ ଜରିଆରେ ପ୍ରସ୍ତାବ ଆହ୍ୱାନ କରାଯାଇଛି। ଯେଉଁମାନେ ଏହି ଟେଣ୍ଡର ପ୍ରକ୍ରିୟାରେ ସଫଳ ହେବେ ସେମାନଙ୍କୁ ରିହାତି ଦରରେ ଜମି ଯୋଗାଇ ଦିଆଯିବ।

“ଏହି ଦଶଟି ହୋଟେଲ ଭିତରୁ ୬ଟି ହେଉଛି ତାରକା ହୋଟେଲ (ତିନି ତାରକା କିମ୍ବା ତାଠାରୁ ଅଧିକ)। ବାକି ୪ଟି ଛୋଟ ହୋଟେଲ ପାଇଁ ହେବ”, କହିଛନ୍ତି ଶିଳ୍ପ ସଚିବ ସଞ୍ଜିବ ଚୋପ୍ରା।

ଯଦିଓ ଭୁବନେଶ୍ୱରରେ ଏବେ ଲକଜୁରି ହୋଟେଲ, ମଧ୍ୟମ ଧରଣର ହୋଟେଲ ଓ ବଜେଟ(କମ ଭଡା ବିଶିଷ୍ଟ)ହୋଟେଲ ରହିଛି ତଥାପି ଏହା ଯଥେଷ୍ଟ ନୁହେଁ। ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ବର୍ତ୍ତମାନ ଯେତିକି ହୋଟେଲ ଅଛି ତାହା ଯଥେଷ୍ଟ ନୁହେଁ। ଏହି ଅକ୍ସନ ବିଡିଏ ଦ୍ୱାରା କରାଯିବ। ବିଡିଏର ଇ-ଅକ୍ସନ ପ୍ଲାଟଫର୍ମରେ ଟେଣ୍ଡର ଦାଖଲକାରୀଙ୍କ ପ୍ରତିନିଧିଙ୍କ ଉପସ୍ଥିତିରେ ଟେଣ୍ଡର ଖୋଲାଯିବ।

ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଆନ୍ତର୍ଜାତିକ ଖେଳ ଓ ଟୁର୍ଣ୍ଣାମେଣ୍ଟ ପାଇଁ ଭୁବନେଶ୍ୱର ପ୍ରସିଦ୍ଧି ଅର୍ଜନ କରିଛି। ସେହି କାରଣରୁ ହସ୍ପିଟାଲିଟି ସେକ୍ଟରକୁ ଯାବତୀୟ ପ୍ରକାର ସୁବିଧା ସୁଯୋଗ ଦେବା ପାଇଁ ସରକାର ଚାହୁଁଛନ୍ତି। ଏଥିପାଇଁ ସରକାର ହଜାରେ ଏକରର ଏକ ଲ୍ୟାଣ୍ଡବ୍ୟାଙ୍କ ତିଆରି କରିଛନ୍ତି। ଆଗାମୀ ଦିନରେ ହସ୍ପିଟାଲିଟି ସେକ୍ଟରରେ ଅଧିକରୁ ଅଧିକ ପୁଞ୍ଜି ଆସିବାର ସମ୍ଭାବନା ରହିଛି ବୋଲି ଶ୍ରୀ ଚୋପ୍ରା କହିଛନ୍ତି।

Comment