ଓଡ଼ିଶାଲାଇଭ୍ ବ୍ୟୁରୋ
- ପଦ୍ମପୁର କଲେଜରେ ରହିଛି ଇଭିଏମ୍
- ସକାଳ ୮ଟାରୁ ଆରମ୍ଭ ହେବ ଗଣତି
- କିଏ ଜିତିବ, କିଏ ହାରିବ ତାକୁ ନେଇ ଅଙ୍କକଷା
ବୁଧବାର ବିଜେପୁରରୁ ଆସିବ ବଡ଼ ରାୟ। ବିଜେପୁରର ସଚେତନ ଭୋଟର କାହା ସପକ୍ଷରେ ମତ ଦେଇଛନ୍ତି ତାହା ଇଭିଏମ୍ରୁ ଜଣାପଡ଼ିବ। ଭୋଟ ଗଣତି ଦିନକ ପୂର୍ବରୁ ରାଜନୀତି ଶିବିରରେ ଆରମ୍ଭ ହୋଇଛି ଅଙ୍କକଷା। କେଉଁ ପ୍ରାର୍ଥୀ ବିଜୟ ମୁକୁଟ ପିନ୍ଧିବେ ଏବଂ କେଉଁ ଦଳ ବିଜେପୁରକୁ କବ୍ଜା କରି ୨୦୧୯ ପାଇଁ ବିଗୁଲ ଫୁଙ୍କିବେ ତା’ ଉପରେ ସମସ୍ତଙ୍କ ନଜର।
୨୪ ତାରିଖରେ ଶେଷ ହୋଇଛି ବିଜେପୁର ଉପ-ନିର୍ବାଚନ। ଏଥିରେ ପ୍ରାୟ ୮୨ ପ୍ରତିଶତ ମତଦାନ ହୋଇଛି। ବିଜେପୁର ଆସନକୁ ହାତେଇବା ଲାଗି ତିନି ପ୍ରମୁଖ ଦଳ ପୂରା ଦମ୍ରେ ଲାଗି ପଡ଼ିଥିଲେ। ତେବେ କାହା ଦମ୍ ରହିଲା ଏବଂ କାହା ଦମ୍ ଭାଙ୍ଗିଲା ତାହା ବୁଧବାର ଗଣତି ପରେ ସ୍ପଷ୍ଟ ହୋଇଯିବ।
ବିଜେଡି-ବିଜେପି-କଂଗ୍ରେସ ଏହି ଭୋଟରେ ବିଜୟୀ ହେବେ ବୋଲି ଆଶା ରଖିଛନ୍ତି।
ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, “ବିଜେପୁର ଭୋଟର ବିକାଶ ସପକ୍ଷରେ ମତ ଦେଇଛନ୍ତି। ନବୀନ ପଟ୍ଟନାୟକ ଏବଂ ବିଜେଡି ପ୍ରତି ଆସ୍ଥା ପ୍ରକଟ କରିଛନ୍ତି ବିଜେପୁରବାସୀ। ଉପ-ନିର୍ବାଚନରେ ବିଜେଡି ନିଶ୍ଚିତ ଜିତିବ। ବିଜେଡି ପ୍ରାର୍ଥୀ ଆଶାତୀତ ଭୋଟ ପାଇବେ।”
ବିଜେଡି ପରି ବିଜେପି ମଧ୍ୟ ବିଜୟକୁ ନେଇ ଦମ୍ ଦେଖାଇଛି। ବିଜେପୁରରେ ବିଜେପିର ବିଜୟବାନା ଉଡ଼ିବ ବୋଲି ଏହାର ନେତା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି, “ଓଡ଼ିଶାବାସୀ ପରିବର୍ତ୍ତନ ଚାହୁଁଛନ୍ତି। ଏହି ପରିବର୍ତ୍ତନର ମୂଳଦୁଆ ବିଜେପୁରରୁ ହିଁ ପଡ଼ିବ। ଚଳିତ ଉପ-ନିର୍ବାଚନରେ ଶାସକ ଦଳ ପ୍ରଶାସନକୁ ହାତବାରିସି କରି କିପରି କାମ କରିଛି ତାହା ଭୋଟରମାନେ ଦେଖିଛନ୍ତି। ଏଣୁ ସେମାନେ ଏହାର ଜବାବ ଇଭିଏମରେ ଦେଇଛନ୍ତି। ବୁଧବାର ଗଣତି ପରେ ସବୁକିଛି ସ୍ପଷ୍ଟ ହୋଇଯିବ।”
ବିଜେଡି ଓ ବିଜେପି ନେତାଙ୍କ ଏଭଳି ଦୃଢ଼ୋକ୍ତି ପରେ କଂଗ୍ରେସ ପଛରେ ପଡ଼ିନି। କଂଗ୍ରେସ ପ୍ରାର୍ଥୀ ବିଜେପୁରରେ ନିଶ୍ଚିତ ଜିତିବେ ବୋଲି ଦାବି କରିଛି ଦଳ।
“ପ୍ରଣୟ ସାହୁ ହେଉଛନ୍ତି ଭଲ ପ୍ରାର୍ଥୀ। ସେ ଚାଷୀଙ୍କ ନେତା। ଚାଷୀଙ୍କ ବିକାଶ ପାଇଁ ସେ ଲଢ଼େଇ ଜାରି ରଖିଛନ୍ତି। ବିଜେପୁର ଭୋଟର ପ୍ରଣୟଙ୍କୁ ଭେଟ ଦେଇଛନ୍ତି। ଆମେ ୧୫୦୦ରୁ ୨୦୦୦ ଭୋଟାରେ ଜିତିବୁ”, କହିଛନ୍ତି କଂଗ୍ରେସ ନେତା ସୁରେଶ ରାଉତରାୟ।
ସକାଳ ୮ଟାରୁ ପଦ୍ମପୁର କଲେଜରେ ଭୋଟ ଗଣତି ଆରମ୍ଭ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ କରାଯାଇଛି ବ୍ୟାପକ ପ୍ରସ୍ତୁତି। ପଦ୍ମପୁର କଲେଜ ପରିସରରେ ସିଆର୍ପିଏଫ୍ ଯବାନଙ୍କୁ ନିୟୋଜିତ କରାଯାଇଛି।