ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ନିର୍ବାଚନ ଫଳରୁ ଯାହା ଶିକ୍ଷା ମିଳୁଛି ତାହା ହେଉଛି ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ହିଁ ସୀମିତ ରହିବ। କଂଗ୍ରେସକୁ ଯେ ଲୋକେ ଭୁଲିଗଲେଣି ଏହା ବର୍ତ୍ତମାନ ସ୍ପଷ୍ଟ।

ବିଜେପୁର ଉପନିର୍ବାଚନ ଫଳ ଆଗରୁ ଯାହା ଆଶା କରାଯାଉଥିଲା ତାହା ହିଁ ହୋଇଛି। ଶାସକ ବିଜେଡିର ପ୍ରାର୍ଥୀ ତଥା ସ୍ଵର୍ଗତ ସୁବଳ ସାହୁଙ୍କ ପତ୍ନୀ ରିତା ସାହୁ ତୁମୁଳ ଭୋଟ ବ୍ୟବଧାନରେ ତାଙ୍କର ନିକଟତମ ପ୍ରତିଦ୍ଵନ୍ଦି ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ହରାଇଛନ୍ତି।

କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ ପୁରା ପଛରେ ପଡିଯାଇଛନ୍ତି। ବିଜେପୁର ଉପନିର୍ବାଚନ ଏଥିପାଇଁ ଗୁରୁତ୍ଵପୂର୍ଣ୍ଣ ଥିଲା ଯେ ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ଓ ସାଧାରଣ ନିର୍ବାଚନର ଏହା ଟ୍ରେଲର।

ବିଜେପୁରରେ ୮୨ ପ୍ରତିଶତ ଭୋଟଦାନ ବି ଏକଥାକୁ ସୁଚାଉଥିଲା ଯେ ସେଠାକାର ଭୋଟରମାନେ ଏହାକୁ ଏକ ସାଧାରଣ ନିର୍ବାଚନ ବୋଲି ନେଇ ନଥିଲେ। ଏହି ଉପନିର୍ବାଚନ ଫଳ ଉଭୟ ବିଜେଡି ଓ ବିଜେପି ବ୍ୟତୀତ ଦୁଇ ତୁଙ୍ଗ ନେତାଙ୍କ ପାଇଁ ସମ୍ମାନର ବିଷୟ ଥିଲା।

ପୂର୍ବରୁ ଏହି କଥା ଆମେ କହିଥିଲୁ ଯେ ଯଦି ବିଜେଡ଼ି ପ୍ରାର୍ଥୀ ଏଥିରେ ହାରନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଇଁ ଯେତେ ଫରକ ପଡିବନି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏହା ଢ଼େର ଫରକ ପକାଇବ।

ବିଜେପୁର ପ୍ରକୃତରେ ବିଜେଡି ଓ ବିଜେପି ପାଇଁ ହିଁ ମାନେ ରଖିଥିଲା ଓ ତ୍ରିକୋଣୀୟ ମୁକାବିଲାର କୌଣସି ଅବକାଶ ରଖିନଥିଲା। ଯଦିଓ ଏହା ଏକ କଂଗ୍ରେସ ଦୁର୍ଗ ଥିଲା, ଉପନିର୍ବାଚନରେ ଦଳର ପ୍ରାର୍ଥୀ ଚୟନ ଠାରୁ ଆରମ୍ଭ କରି ପ୍ରଚାର ଅଭିଯାନ ସବୁ କିଛି ଠିକ ନଥିଲା।

କଂଗ୍ରେସ ଭିତରେ ଗୋଷ୍ଠୀବିବାଦ ଏବେ ବି ଲାଗିରହିଛି ।ତା ଛଡା ବିଜେଡି ଓ ବିଜେପି ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ଯେଉଁ ପରିମାଣରେ ଅର୍ଥ ଖର୍ଚ୍ଚ କରିଥିଲେ କଂଗ୍ରେସ ପକ୍ଷରେ ତାହା କଦାପି ସମ୍ଭବ ନଥିଲା।

ବିଜେପୁର ନିର୍ବାଚନ ଫଳରୁ ଯାହା ଶିକ୍ଷା ମିଳୁଛି ତାହା ହେଉଛି ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ମଧ୍ୟ ବିଜେଡି ଓ ବିଜେପି ମଧ୍ୟରେ ହିଁ ସୀମିତ ରହିବ। କଂଗ୍ରେସକୁ ଯେ ଲୋକେ ଭୁଲିଗଲେଣି ଏହା ବର୍ତ୍ତମାନ ସ୍ପଷ୍ଟ।

ବିଜେପୁର ଫଳ ବାହାରିବା ପରେ ଏବେ ବିଜେପି କଣ କରିବ? କେବଳ ଓଡିଶା ନୁହେଁ ମଧ୍ୟପ୍ରଦେଶର ଗୋଟିଏ ଉପନିର୍ବାଚନରେ ମଧ୍ୟ ବିଜେପି ପ୍ରାର୍ଥୀ ପରାଜିତ ହୋଇଛନ୍ତି। ମନେ ରଖନ୍ତୁ ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହାନଙ୍କ ନେତୃତ୍ୱରେ ବିଜେପି ସରକାର ଚାଲିଛି। ପୂର୍ବର ଗୁଜରାଟ ନିର୍ବାଚନ, ମଝିରେ ରାଜସ୍ଥାନର ଗୋଟିଏ ଲୋକସଭା ଉପନିର୍ବାଚନ ଓ ବୁଧବାରର ଉପନିର୍ବାଚନ ଫଳାଫଳ ଅମିତ ଶାହାଙ୍କ ଦଳ ପାଇଁ ବିଶେଷ ଭଲ ଖବର ଆଣିନାହିଁ।

ବିଜେପୁରରେ ବିଜେପିର ପରାଜୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଇଁ ଏକ ବଡ଼ ଧକ୍କା କହିଲେ ଭୁଲ ହେବ ନାହିଁ କାରଣ ତାଙ୍କ ନେତୃତ୍ୱରେ ହିଁ ଦଳ ନିର୍ବାଚନ ଲଢ଼ୁଥିଲା।

ଏମିତି ଦେଖିବାକୁ ଗଲେ ଓଡ଼ିଶାରେ ବିଜେପିର ସ୍ଥିତି କେବେବି ଦୃଢ଼ ନ ଥିଲା ଓ ସବୁ କିଛି ଜଣେ ବ୍ୟକ୍ତିଙ୍କ ବ୍ୟକ୍ତିଗତ ରୁଚି ଓ ଚିନ୍ତା ଉପରେ ହିଁ ନିର୍ଭର କରୁଥିଲା।

ବିଜେପୁର ପରାଜୟ ବିଜେପି ନେତାଙ୍କ ପାଇଁ ଏହି ଶିକ୍ଷା ଆଣିଛି ଯେ ରାଜନୀତିରେ ବାହାସ୍ଫୋଟର ବି କିଛି ଗୋଟିଏ ସୀମା ଅଛି। ବିଜେପୁରରେ ବିଜେଡିର ବାଜିମାତ ଗୋଟିଏ କଥାକୁ ସୂଚିତ କରୁଛି ଯେ ଓଡ଼ିଶାରେ ବିଜେଡ଼ି ଓ ନବୀନ ପଟ୍ଟନାୟକଙ୍କ ବିକଳ୍ପ ନାହିଁ।

ବୁଧବାରଠାରୁ ଆଗାମୀ ନିର୍ବାଚନ ପର୍ଯ୍ୟନ୍ତ ଓଡ଼ିଶାର ଭୋଟର ମାନଙ୍କ ମତରେ ଯେ ସେଭଳି କିଛି ବଡ଼ ପରିବର୍ତନ ଘଟିବ ତାହା କହିବା କଷ୍ଟ।

ବିଜେପି ପକ୍ଷରୁ ଯେଉଁ ଆଣ୍ଟି ଇଂକମ୍ବେନ୍ସି କଥା କୁହାଯାଉଛି ତାହା ଏକ ଅଳିକ କଳ୍ପନା ମାତ୍ର। ବିଜେଡି ଓ ନବୀନ ପଟ୍ଟନାୟକ ଯେଉଁଠି ରହିବା କଥା ସେଠିହିଁ ଅଛନ୍ତି। ବିଜେପୁରରେ ଦଳୀୟ ପ୍ରାର୍ଥୀଙ୍କ ବିଜୟ ନିଶ୍ଚିତ ଭାବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁସି କରିବ।ଯୋତା ମାଡ଼ ଭଳି ଘଟଣା ଅଧିକାଂଶ ସମୟରେ ପ୍ରତିପକ୍ଷର ସପକ୍ଷରେ ଯାଇଥାଏ ଏହା ବିଜେପୁର ଉପନିର୍ବାଚନ ଫଳାଫଳରୁ ସ୍ପଷ୍ଟ।

Comment