ଓଡ଼ିଶାଲାଇଭ୍‌ ବ୍ୟୁରୋ

ସର୍ବଦା ଗୃହଯୁଦ୍ଧର ସାମ୍ନା କରୁଥିବା ଆଫଗାନିସ୍ତାନ ଲୋକଙ୍କୁ ଖୁସି ମନାଇବା ପାଇଁ ଖୁବ୍ କମ ସୁଯୋଗ ମିଳିଥାଏ। ଏଥର କିନ୍ତୁ ଦେଶକୁ ଏଭଳି ଏକ ଚେହେରା ମିଳିଛି । ଯିଏକି ନିଜ ଟ୍ୟାଲେଣ୍ଟ୍‌ରେ ଦେଶ ପାଇଁ ଗୌରବ ଆଣିଛନ୍ତି।

ଅନ୍ତର୍ଜାତୀୟ କ୍ରିକେଟ୍‌ରେ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ହାସଲ କରିଛନ୍ତି ଆଫଗାନିସ୍ତାନର ଲେଗ୍‌ ସ୍ପିନର ରସିଦ୍‌ ଖାନ୍‌।

ଆଇସିସି ଦିନିକିଆ ଓ ଟ୍ୱେଣ୍ଟି୨୦ ମାନ୍ୟତାରେ ୧ନଂ ବୋଲରର ମାନ୍ୟତା ହାସଲ କରିଥିବା ରସିଦ୍‌ଙ୍କୁ ଆଇସିସି ବିଶ୍ୱକପ୍‌ ଯୋଗ୍ୟତା ପର୍ଯ୍ୟାୟ ହାସଲ ଟୁର୍ଣ୍ଣାମେଣ୍ଟରେ ଆଫଗାନିସ୍ତାନର ଅଧିନାୟକ ଭାବେ ଦାୟିତ୍ୱ ତୁଲାଇବେ।

ଆଫଗାନିସ୍ତାନ ନିଜର ପ୍ରଥମ ମ୍ୟାଚ୍‌ ସ୍କଟଲ୍ୟାଣ୍ଡ ବିରୋଧରେ ମାର୍ଚ୍ଚ ୪ରେ ଖେଳିବ।
ଅଧିନାୟକ ଭାବେ ପ୍ରଥମ ମ୍ୟାଚ୍‌ ଖେଳିବା ସମୟରେ ରସିଦ୍‌ଙ୍କୁ ୧୯ ବର୍ଷ ୧୬୫ ଦିନ ହୋଇଥିବ।

ପୂର୍ବରୁ ବାଂଲାଦେଶର ରଜିନ୍‌ ସଲେ୍‌ ୨୦ ବର୍ଷ ୨୯୭ ଦିନରେ ସର୍ବକନିଷ୍ଠ ଅଧିନାୟକ ହେବାର ସୌଭାଗ୍ୟ ହାସଲ କରିଥିଲେ।

ପୂର୍ବରୁ ଆଫଗାନିସ୍ତାନର ଅଧିନାୟକ ଦାୟିତ୍ୱ ନିର୍ବାହ କରି ଆସୁଥିବା ଅସଗର୍‌ ଷ୍ଟାନିଇକଜାଇଙ୍କ ଆପେଣ୍ଡିସାଇଟ୍‌ସ ଅସ୍ତ୍ରୋପଚାର ହୋଇଥିବାରୁ ବିଶ୍ୱକପ୍‌ ଯୋଗ୍ୟତା ହାସଲ ଟୁର୍ଣ୍ଣାମେଣ୍ଟରେ ରସିଦ୍‌ଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରାଯାଇଥିବା ଆଫଗାନିସ୍ତାନ କ୍ରିକେଟ୍‌ ବୋର୍ଡ ତରଫରୁ ସୂଚନା ଦିଆଯାଇଛି।

ରଶିଦଙ୍କ ଜନ୍ମ ୧୯୯୮ ମସିହା ଆଫଗାନିସ୍ତାନର ନାଙ୍ଗରହାରରେ ହୋଇଥିଲା। ଦଶଭାଇ ଭଉଣୀଙ୍କ ମଧ୍ୟରୁ ରଶିଦ୍ ଅନ୍ୟତମ।

ରସିଦ୍‌ ଆଫଗାନିସ୍ତାନ ତରଫରୁ ୩୭ଟି ଦିନିକିଆ ମ୍ୟାଚ୍‌ ଖେଳି ୮୬ ଓ ୨୯ଟି ଟ୍ୱେଣ୍ଟି୨୦ ମ୍ୟାଚ୍‌ ଖେଳି ୪୭ଟି ୱିକେଟ୍‌ ହାସଲ କରିଛନ୍ତି।

ଚଳିତ ସିଜିନ୍‌ ଆଇପିଏଲ୍‌ରେ ସେ ସନରାଇଜର୍ସ ହାଇଦ୍ରାବାଦ୍‌ ତରଫରୁ ଖେଳିବେ।

ଏଥିପୂର୍ବରୁ ରଶିଦ୍ ସର୍ବକନିଷ୍ଠ ଭାବେ ଆଇସିସିର ନଂ୧ ମାନ୍ୟତା ପାଇଥିବା ବୋଲର ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି।

Comment