ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାମ୍ବାଦିକ ସମ୍ମିଳନୀ କରି ବିଜେଡିକୁ ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ। ବିଜେପୁରରେ ବିଜେଡି ଭୋଟ କିଣିଛି କହି ନିଶାନା କରିଛନ୍ତି।

ତ୍ରିପୁରା ଓ ନାଗାଲାଣ୍ଡରେ ବିଜେପି ବିଜୟ ହାସଲ କରିଛି। ଏହି ମାହୋଲକୁ ଓଡ଼ିଶାରେ ପ୍ରଚାର କରିବା ପାଇଁ ବିଜେପି ପକ୍ଷରୁ ଆୟୋଜନ କରାଯାଇଥିଲା ସାମ୍ବାଦିକ ସମ୍ମିଳନୀ। କେନ୍ଦ୍ର ମନ୍ତ୍ରୀ ଜୁଏଲ ଓରାମ ସାମ୍ବାଦିକ ସମ୍ମିଳନୀରେ ତ୍ରିପୁରା ଏବଂ ନାଗାଲାଣ୍ଡବାସୀଙ୍କୁ ଧନ୍ୟବାଦ ଦେଇଥିଲେ। ଏହି ଅବସରରେ ବିଜେପି ଓଡ଼ିଶାରେ ମଧ୍ୟ ବିଜୟୀ ହେବ ବୋଲି ଜୁଏଲ କହିଥିଲେ।

ବିଜେପୁର ଉପ-ନିର୍ବାଚନ ସଂକ୍ରାନ୍ତରେ ମତ ଦେଇ ଜୁଏଲ କହିଥିଲେ, “ଦଳ ହାରିଛି, ମରି ନାହିଁ। ଓଡ଼ିଶାବସୀଙ୍କ ହକ୍ ପାଇଁ ଲଢ଼େଇ କରିବାକୁ ଦଳ ପାଖରେ ଏବେ ବି ଶକ୍ତି ଅଛି। ବିଜେପୁରରେ ବିଜେଡି ଜିତି ନାହିଁ, ବରଂ ଭୋଟ କିଣା ଯାଇଛି। ବିଜେଡି ଓ କଂଗ୍ରେସ ଭିତରେ ଭୋଟ ଫିକ୍ସିଂ ହୋଇଥିବାରୁ ଫଳାଫଳ ପ୍ରଭାବିତ ହୋଇଛି।”

ଜୁଏଲ ଓରାମଙ୍କ ମନ୍ତବ୍ୟର ଜବାବ ଦେଇଛି ବିଜେଡି। ବିଜେଡି ନତା ସୁବାସ ସିଂ ବିଜେପିକୁ ସମାଲୋଚନା କରିଛନ୍ତି। ସେ କହିଛନ୍ତି, “କେନ୍ଦ୍ରମନ୍ତ୍ରୀ ବାସ୍ତବତାକୁ ଆସନ୍ତୁ। ବାସ୍ତବତା କ’ଣ ତାହା ସେ ପ୍ରଥମେ ଅନୁଧ୍ୟାନ କରନ୍ତୁ। ଭୋଟ କିଣାବିକା କଥା କହି ବିଜେପୁର ଭୋଟରଙ୍କୁ ନିନ୍ଦା ଦେଉଛନ୍ତି କେନ୍ଦ୍ରମନ୍ତ୍ରୀ।”

ତ୍ରିପୁରା-ନାଗାଲାଣ୍ଡରେ ଦଳ ବିଜୟୀ ହେବା ପରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଦିଲ୍ଲୀରେ ସାମ୍ବାଦିକ ସମ୍ମିଳନୀ କରିଥିଲେ। ଅଗାମୀ ଦିନରେ ବିଜେପି ଓଡ଼ିଶା-ପଶ୍ଚିମବଙ୍ଗ-କେରଳରେ ସରକାର ଗଠନ କରିବ ବୋଲି କହିଥିଲେ। ଏହିସବୁ ରାଜ୍ୟରେ ସରକାର ଗଠନ ନକରିବା ପର୍ଯ୍ୟନ୍ତ ବିଜେପି ପାଇଁ ସ୍ୱର୍ଣ୍ଣିମ ଯୁଗ ଆସିବ ନାହିଁ ବୋଲି କହିଥିଲେ।

ଅମିତ ଶାହାଙ୍କ ମନ୍ତବ୍ୟକୁ ଆଜି ପୁଣି ଦୋହରାଇଥିଲେ ଜୁଏଲ ଓରାମ। ଓଡ଼ିଶାରେ ବିଜେପି ସରକାର ଗଠନ କରିବ ବୋଲି ସେ କହିଥିଲେ।

Comment