ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାତଗଣ୍ଠି ପଡ଼ିବା ପୂର୍ବରୁ ଅଟକିଗଲା ବାହାଘର। ବର ମଦ ପିଇ ଗଣ୍ଡଗୋଳ କରିବାରୁ ମଙ୍ଗୁଳା କନ୍ୟା ବାହା ହେବା ପାଇଁ ମନା କରିଦେଇଛି। ଟାଙ୍ଗରପାଲି ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଘଟିଛି।

ରାଉରକେଲା ଟାଙ୍ଗରପାଲି ଜଗନ୍ନାଥ ମନ୍ଦିରରେ ଜାକ ଜମକରେ ଆୟୋଜନ କରାଯାଇଥିଲା ବାହାଘର। ବରଯାତ୍ରୀଙ୍କ ପାଇଁ କନ୍ୟା ଘର ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ହେଲେ ହାତଗଣ୍ଠି ପଡ଼ିବା ପୂର୍ବରୁ ସବୁକିଛି ବିଗିଡ଼ି ଯାଇଥିଲା। ବର ଏବଂ ବରଯାତ୍ରୀ ମଦ ପିଇ କନ୍ୟା ପକ୍ଷର ଲୋକଙ୍କୁ ମାଡ଼ ମାରିବାରୁ ବାହାଘର ଭାଙ୍ଗି ଯାଇଥିଲା।

ମଙ୍ଗୁଳା କନ୍ୟା ବାହା ହେବା ପାଇଁ ମନା କରି ଦେଇଥିଲେ। ଫଳରେ ଶିଶୁପାଳ ହୋଇ ଫେରି ଆସିଥିଲା ବର। କଥା ଏତିକିରେ ଅଟକି ନଥିଲା, ସୋମବାର କନ୍ୟା ନିଜେ ଯାଇ ମଦୁଆ ବର ନାଁରେ ଟାଙ୍ଗରପାଲି ଥାନାରେ ଏତଲା ଦେଇଛି। ବର ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛି।

ବାଜୁଥିଲା ଡିଜେ ସାଉଣ୍ଡ। ଗୋଟିଏ ପରେ ଗୋଟିଏ ଜମାଣିଆ ଗୀତରେ ନାଚୁଥିଲେ ବରଯାତ୍ରୀ। ବରଯାତ୍ରୀଙ୍କ ପଛେ ପଛେ ଆସୁଥିଲା ବର ଗାଡ଼ି। ବିବାହସ୍ଥଳରେ ବରଯାତ୍ରୀ ପହଞ୍ଚିବା ପରେ କନ୍ୟା ଘରର ଲୋକେ ବରଯାତ୍ରୀଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ଆଉ ବରଙ୍କୁ ବେଦି ନିକଟକୁ ପାଛୋଟି ନେଇଥିଲେ।

ବର ବେଦିରେ ବସିଥିବା ବେଳେ ବରଯାତ୍ରିମାନେ ହୋ-ହଲ୍ଲା କରିଥିଲେ। ଭୋଜି ଭଲ ହୋଇ ନଥିବାରୁ ବରଯାତ୍ରୀ କନ୍ୟା ଘରର ଲୋକଙ୍କ ସହ ଗଣ୍ଡଗୋଳ କରିଥିଲେ। ଏହି ଘଟଣା ବରର କାନରେ ପଡ଼ିଲା। ବର ସଙ୍ଗେସଙ୍ଗେ ବେଦିରୁ ଉଠିଯାଇ କନ୍ୟାର ବାପା, ଭାଇଙ୍କୁ ଖରାପ ବ୍ୟବହାର କରିଥିଲା। ଏପରିକି ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଶେଷରେ ମଙ୍ଗୁଳା କନ୍ୟା ମଦୁଆ ବରକୁ ବାହା ହେବା ପାଇଁ ମନା କରି ଦେଇଥିଲା।

ସୋମବାର ଦିନ କନ୍ୟା ଘରର ଲୋକ ଟାଙ୍ଗରପାଲି ଥାନାରେ ଏନେଇ ଅଭିଯୋଗ କରିଛନ୍ତି। ବରପକ୍ଷଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି କନ୍ୟା ଘର ଲୋକେ।

“ବର ମଦ ପିଇ ମୋ ଭାଇ ଏବଂ ମୋ ବାପାଙ୍କୁ ପିଟିଥିଲେ। ଏହା ଦେଖି ମୋର ଚେତା ବୁଡ଼ି ଯାଇଥିଲା। ଚେତା ଫେରିବା ପରେ ସବୁକିଛି ସରି ଯାଇଥିଲା। ମୋ ବାପା ଏବଂ ଭାଇଙ୍କୁ ଯିଏ ଅସଦ୍ ବ୍ୟବହାର କରୁଛି ସେଭଳି ଲୋକର ହାତ ଧରିବାକୁ ମୁଁ ଉଚିତ୍ ମଣିଲିନି”, କହିଛନ୍ତି ମଙ୍ଗୁଳା କନ୍ୟା।

ଅଭିଯୋଗକୁ ଆଧାର କରି ପୋଲିସ ବର ଏବଂ ବରର ମଝିଆଁ ଭାଇଙ୍କୁ ଟାଙ୍ଗରପାଲି ପୋଲିସ ଅଟକ ରଖିଛି।

“ଟାଙ୍ଗରପାଲି ଲେବର କଲୋନି ଅଞ୍ଚଳକୁ ବନ୍ଧମୁଣ୍ଡାରୁ ବରଯାତ୍ରି ଆସିଥିଲେ। ଟାଙ୍ଗରପାଲି ଜଗନ୍ନାଥ ମନ୍ଦିରରେ ବାହାଘର ଆୟୋଜନ କରାଯାଇଥିଲା। ହେଲେ ବରଯାତ୍ରି ଏବଂ ବର ପ୍ରଭଚୁର ମଦ ପିଇ ଉନ୍ମତ୍ତ କାଣ୍ଡ ଘଟାଇଥିବା କନ୍ୟା ଘର ପକ୍ଷରୁ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ଆମେ ତଦନ୍ତ କରୁଛୁ। ଆଇନ୍ ଅନୁଯାୟୀ ପଦକ୍ଷେପ ନିଆଯିବ”, କହିଛନ୍ତି ଟାଙ୍ଗରପାଲି ଆଇଆଇସି ମନୋରଞ୍ଜନ ପ୍ରଧାନ।

Comment