ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ହିନ୍ଦୋଳ-ଅତାବିରା-ନୂଆପଡ଼ା ଏନଏସି ପାଇଁ ବାଜିଲା ବିଗୁଲ୍
  • ମାର୍ଚ୍ଚ ୧୭ ତାରିଖ ସୁଦ୍ଧା ପ୍ରାର୍ଥିପତ୍ର ଦାଖଲ
  • ୧୯ରେ ପ୍ରାର୍ଥିପତ୍ର ଯାଞ୍ଚ
  • ଏପ୍ରିଲ ୫ରେ ଭୋଟ ଗଣତି
  • ୨୦୧୩ରେ ତିନି ଏନଏସିକୁ କବ୍‌ଜା କରିଥିଲା କଂଗ୍ରେସ

ଏପ୍ରିଲ ୩ ତାରିଖରେ ତିନୋଟି ଏନଏସି ପାଇଁ ହେବ ଭୋଟ୍। ଅନଗୁଳ ଜିଲ୍ଲା ହିନ୍ଦୋଳ, ବରଗଡ଼ ଜିଲ୍ଲା ଅତାବିରା ଏବଂ ନୂଆପଡ଼ା ଏନଏସି ପାଇଁ ନିର୍ବାଚନ ହେବ। ଏନେଇ ମଙ୍ଗଳବାରଠାରୁ ଆଚରଣ ବିଧି ଲାଗୁ ହୋଇଥିବା ନିର୍ବାଚନ କମିସନ ନବ କୁମାର ନାୟକ ସୂଚନା ଦେଇଛନ୍ତି।

ଏହି ତିନୋଟି ଏନଏସି ପାଇଁ ପ୍ରାର୍ଥିପତ୍ର ଦାକଲ କରିବାର ଶେଷ ତାରିଖ ରହିଛି ମାର୍ଚ୍ଚ ୧୭। ମାର୍ଚ୍ଚ ୧୩ରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ୧୯ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ୨୨ରେ ଚୂଡ଼ାନ୍ତ ପ୍ରାର୍ଥି ତାଲିକା ପ୍ରକାଶ ପାଇବ ଏବଂ ଏପ୍ରିଲ ୫ରେ ଭୋଟ ଗଣତି ହେବ।

ବିଜେପୁର ଉପ-ନିର୍ବାଚନ ପରେ ଏହି ୩ଟି ଏନଏସିର ନିର୍ବାଚନ ହେଉଥିବାରୁ ଏହାକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ତିନି ପ୍ରମୁଖ ଦଳ। ଏହି ୩ଟି ଏନଏସି ନିର୍ବାଚନର ଫଳାଫଳ ହିଁ ସ୍ପଷ୍ଟ କରିବ ୨୦୧୮ ଅଗଷ୍ଟ-ସେପ୍ଟେମ୍ବରରେ ହେବାକୁ ଥିବା ପୌର ନିର୍ବାଚନରେ କେଉଁ ଦଳ ବାଜିମାତ୍ କରିବ।

୨୦୧୩ରେ ହିନ୍ଦୋଳ-ଅତାବିରା-ନୂଆପଡ଼ା ଏନଏସି ଗଠିତ ହୋଇଥିଲା। ଏହି ନୂଆ ଏନଏସିରେ ୨୦୧୩ ଏପ୍ରିଲ ୫ରେ ନିର୍ବାଚନ ହୋଇଥିଲା। ସେତେବେଳେ ଶାସକ ବିଜେଡି କ୍ଷମତାରେ ରହିଥିଲେ ମଧ୍ୟ କଂଗ୍ରେସ ଏହି ୩ଟି ଏନଏସିରେ ବିଜୟ ବାନା ଉଡ଼ାଇଥିଲା।

୧୬ ଓ୍ବାର୍ଡ ବିଶିଷ୍ଟ ହିନ୍ଦୋଳ ଏନଏସିରେ କଂଗ୍ରେସ ୭ଟି ଆସନ ପାଇଥିବା ବେଳେ ବିଜେଡି ୨ଟି, ବିଜେପି ୧ଟି ଏବଂ ୬ ଜଣ ସ୍ୱାଧୀନ ସଭ୍ୟ ବିଜୟୀ ହୋଇଥିଲେ। ସ୍ୱାଧୀନ ସଭ୍ୟଙ୍କ ସମର୍ଥନରେ କଂଗ୍ରେସ ହିନ୍ଦୋଳ ଏନଏସିରେ ରାଜୁତି କରିଥିଲା।

ସେହିପରି ନୂଆପଡ଼ା ଏନଏସିରେ ୱାର୍ଡ ସଂଖ୍ୟା ହେଉଛି ୧୪। ୨୦୧୩ରେ ବିଜେଡି ୪ଟି ଆସନ ପାଇଥିବା ବେଳେ କଂଗ୍ରେସ ୭ଟି ଏବଂ ବିଜେପି ୩ଟି ଆସନରେ ବିଜୟୀ ହୋଇଥିଲା।

ଅତାବିରା ଏନଏସିରେ ୱାର୍ଡ ସଂଖ୍ୟା ହେଉଛି ୧୨। କଂଗ୍ରେସ ଏବଂ ବିଜେଡି ୬ଟି ଲେଖାଏଁ ୱାର୍ଡରେ ବିଜୟୀ ହୋଇଥିଲେ। ହେଲେ ଅତାବିରା ଏନଏସି ଅଧ୍ୟକ୍ଷା ଅନୁସୂଚିତ ଜାତି ବର୍ଗର ମହିଳାଙ୍କ ପାଇଁ ସଂରକ୍ଷିତ ରହିଥିବାରୁ ବିଜେଡି ହାତରୁ ଏହି ଏନଏସି ଖସି ଯାଇଥିଲା।

LEAVE A REPLY

Please enter your comment!
Please enter your name here