ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭୁବନେଶ୍ୱର ଏମ୍ସରୁ କାଶ୍ମିର ଛାତ୍ର ସୋହେଲ ଅଜାଜ୍ ନିଖୋଜ ଘଟଣାର ତଦନ୍ତ କରି ତୁରନ୍ତ ପଦକ୍ଷେପ ନେବାକୁ ଜାମ୍ମୁ ଓ କାଶ୍ମିର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ଅନୁରୋଧ।

ଭୁବନେଶ୍ୱର ଏମ୍ସର ଡାକ୍ତରୀ ଛାତ୍ର ସୋହେଲ ଅଜାଜଙ୍କ ନିଖୋଜ ପଛରେ ମାଓବାଦୀଙ୍କ ହାତ ନେଇ ଖବର ଆସିବା ପରେ ଜାମ୍ମୁ-କାଶ୍ମିର ମୁଖ୍ୟମନ୍ତ୍ରୀ ଏନେଇ ଚିନ୍ତା ପ୍ରକଟ କରିଛନ୍ତି। ତୁରନ୍ତ ସୋହେଲଙ୍କୁ ଖୋଜିବା ପାଇଁ ଓଡିଶା ସରକାରଙ୍କୁ ଟୁଇଟରରେ ଅପିଲ କରିଛନ୍ତି ମେହବୁବା ମୁଫତି।

ମୁଫତିଙ୍କ ଟୁଇଟ ପରେ ମୁଖ୍ୟମନ୍ତ୍ରୀଙ୍କ ଅଫିସ୍ ପକ୍ଷରୁ ସୋହେଲଙ୍କୁ ଖୋଜିବା ପାଇଁ ସରକାରଙ୍କ ପକ୍ଷରୁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ରିଟୁଇଟରେ କୁହାଯାଇଛି।

ସୋମବାରଦିନ ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏକ ପୋଷ୍ଟର ପୋଲିସକୁ ମିଳିଥିଲା। ଉକ୍ତ ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବାବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଜେଲ୍‌ରୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଛି।

ଫେବ୍ରୁଆରି ୯ ତାରିଖରୁ ଜାମ୍ମୁ ଓ କାଶ୍ମିର କୁପୱାଡ଼ା ଜିଲ୍ଲାର ସୋହେଲ୍ ଅଜାଜଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ପୂର୍ବଦିନ ନିଜ ହଷ୍ଟେଲ୍‌ ସାଙ୍ଗସାଥିଙ୍କୁ କୌଣସି ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବାକୁ କହି  ଯାଇଥିଲେ ସୋହେଲ। ତା’ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରି ନାହାନ୍ତି। ଏସମ୍ପର୍କରେ ଏମ୍‌ସ କର୍ତ୍ତୃପକ୍ଷ ଫେବ୍ରୁଆରି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସୋହେଲଙ୍କ ନିଖୋଜ ହେବା ବିଷୟରେ ଓଡ଼ିଶା ସହ ଜାମ୍ମୁ ଓ କାଶ୍ମିର ଓ ପଶ୍ଚିମବଙ୍ଗ ପୋଲିସ୍ ତଦନ୍ତ କରୁଛି। ସୋହେଲଙ୍କ ନିଖୋଜ ପରଠାରୁ ତାଙ୍କ ବାପା ଓ ଭାଇ ଭୁବନେଶ୍ୱରରେ ଅଛନ୍ତି।

Comment