ଓଡ଼ିଶାଲାଇଭ୍ ବ୍ୟୁରୋ

- ବୌଦ୍ଧ ଅଞ୍ଚଳର ଜଣେ ଯୁବକ ଅଟକ
- ଅଟକ ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା
- ପଲିଗ୍ରାଫ ଟେଷ୍ଟ ସମ୍ଭାବନା
- କ୍ରାଇମବ୍ରାଞ୍ଚ ପକ୍ଷରୁ ଆଡଭାଇଜରି ଜାରି
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣା ଦିନକୁ ଦିନ ନୂଆ ମୋଡ଼ ନେଉଛି। ସନ୍ଦେହରେ ଅଟକ ରହିଥିବା ଯୁବକର ପଲିଗ୍ରାଫ୍ ଟେଷ୍ଟ ପାଇଁ ବଲାଙ୍ଗିର ପୋଲିସ ପ୍ରସ୍ତୁତି ଆରମ୍ଭ କରିଛି। ପଲିଗ୍ରାଫ୍ ଟେଷ୍ଟ ପୂର୍ବରୁ ଅଟକ ରହିଥିବା ଯୁବକର ସ୍ୱାସ୍ଥ୍ୟ ପରୀକ୍ଷା ବଲାଙ୍ଗିର ମେଡିକାଲରେ କରାଯାଇଛି।
ଏପଟେ ପାର୍ସଲ ବୋମା ବିସ୍ଫୋରଣ ପରେ ତତ୍ପର ହୋଇ ଉଠିଛି କ୍ରାଇମବ୍ରାଞ୍ଚ। କୋରିଅର ସଂସ୍ଥାକୁ ଆସୁଥିବା ପାର୍ସଲକୁ ତନ୍ନ ତନ୍ନ ଯାଞ୍ଚ କରିବା ପାଇଁ କ୍ରାଇମବ୍ରାଞ୍ଚ ଆଡଭାଇଜରୀ ଜାରି କରିବାକୁ ଯାଉଛି। ପାର୍ସଲ ଯାଞ୍ଚ ପାଇଁ ମେଟାଲ ଡିଟେକ୍ଟର ଏବଂ ସ୍କାନିଂ ମେସିନ୍ ରଖିବାକୁ ସମସ୍ତ କୋରିଅର ସଂସ୍ଥାକୁ କ୍ରାଇମବ୍ରାଞ୍ଚ ପକ୍ଷରୁ କୁହାଯାଇଛି।
“ଜନସାଧାରଣଙ୍କ ସୁରକ୍ଷା ପାଇଁ ସମସ୍ତ କୋରିଅର ସଂସ୍ଥା ସଜାଗ ହେବା ଉଚିତ୍। ଯେଉଁମାନେ ପାର୍ସଲ ପଠାଇବାକୁ ଆସୁଛନ୍ତି ସେମାନଙ୍କ ପରିଚୟପତ୍ର ଏବଂ ଠିକଣା ନିହାତି ରଖିବା ଦରକାର। ଏହାସହ ପାର୍ସଲରେ କ’ଣ ଅଛି ତାହା ଜାଣିବା ପାଇଁ ମେଟାଲ ଡିଟେକ୍ଟର ଏବଂ ସ୍କାନିଂ ମେସିନ ରଖିବା ଦରକାର”, କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ।
ଫେବ୍ରୁଆରି ୧୮ ତାରିଖରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ବୌଦ୍ଧର ରିନାରାଣୀ ସାହୁଙ୍କ ବିବାହ ହୋଇଥିଲା। ୨୨ ତାରିଖରେ ରିସେପସନ ସରିବା ପରେ ୧୩ ତାରିଖରେ ଏକ ଗିଫ୍ଟ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟଶେଖର, ରିନା ଏବଂ ତାଙ୍କ ଜେଜେମା ଜେମାମଣୀ ଗୁରୁତର ଆହତ ହୋଇଥିଲେ।
ଜେମାମଣି ଏବଂ ସୌମ୍ୟଶେଖର ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ଥିଲେ। ପାର୍ସଲ ବୋମା କେଉଁଠୁ ଏବଂ କିଏ ଦେଇଛି ତାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ଏକ ନୂଆ ତଥ୍ୟ ସାମନାକୁ ଆସିଥିଲା। ନିର୍ବନ୍ଧ ପୂର୍ବରୁ ସୌମ୍ୟଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ଧମକ ଦେଇଥିବା ଜଣାପଡ଼ିଥିଲା।


















