ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଡ଼ୁଆରେ ପଡ଼ିଛନ୍ତି ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ। ଲିଙ୍ଗରାଜ ମନ୍ଦିରର ‘ନୋ କ୍ୟାମେରା ଜୋନ୍‌’ରେ ମୋବାଇଲ ସୁଟିଂ କରିବା ମହଙ୍ଗା ପଡ଼ିଛି। ଏନେଇ ମନ୍ଦିର ପ୍ରଶାସନ ରବିନାଙ୍କ ନାଁରେ ଲିଙ୍ଗରାଜ ଥାନାରେ ଏତଲା ଦେଇଛି।

ଲିଙ୍ଗରାଜ ମନ୍ଦିର ପ୍ରଶାସକ ରାଜିବ ଲୋଚନ ପରିଡ଼ା କହିଛନ୍ତି, “ରବିନା ଟଣ୍ଡନ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ କରିବା ପାଇଁ ଆସିଥିବା ବେଳେ ମନ୍ଦିର ପରିସରରେ ବିନା ଅନୁମତିରେ ବିଜ୍ଞାପନ ସୁଟିଂ କରିଥିଲେ। କସମେଟିକ୍ସ ସାମଗ୍ରୀର ପ୍ରଚାର କରୁଥିଲେ। ଏନେଇ ଆମେ ଥାନାରେ ଲିଖିତ ଅଭିଯୋଗ କରିଛୁ।”

ରବିବାର ରବିନା ମହାପ୍ରଭୂ ଲିଙ୍ଗରାଜଙ୍କ ଦର୍ଶନ କରିବା ପାଇଁ ଯାଇଥିଲେ। ମା’ ପାର୍ବତୀଙ୍କ ମନ୍ଦିର ମୁଖଶାଳା ନିକଟରେ ବ୍ୟୁଟି ଟିପ୍ସ ଦେଉଥିବା ଦୃଶ୍ୟ ଭାଇରାଲ ହୋଇଥିଲା। ଏହାପରେ ମନ୍ଦିର ପ୍ରଶାସନ ରବିନାଙ୍କ ବିରୋଧରେ ଏତଲା ଦେଇଥିଲା।

ଭୁବନେଶ୍ୱର ଡିସିପି ସତ୍ୟବ୍ରତ ଭୋଇ କହିଛନ୍ତି, “ମନ୍ଦିର ପ୍ରଶାସନ ପକ୍ଷରୁ ରବିନା ଟଣ୍ଡନଙ୍କ ନାଁରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ତଦନ୍ତ ଚାଲିଛି। ତଦନ୍ତ ପରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।”

Comment