ଓଡ଼ିଶାଲାଇଭ୍‌ ବ୍ୟୁରୋ

ତ୍ରିପୁରାରେ ଦୀର୍ଘ ୨୫ ବର୍ଷର ବାମ ଦଳ ଗଡ଼କୁ ଧ୍ଵସଂ କରି ବିଜେପି ସରକାର ଗଢ଼ିବାକୁ ଯାଉଛି। ପ୍ରଦେଶ ବିଜେପି ଅଧ୍ୟକ୍ଷ ବିପ୍ଲବ ଦେବ ଆସନ୍ତା ମାର୍ଚ୍ଚ ୯ ତାରିଖରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ।

ତ୍ରିପୁରାର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ବିପ୍ଲବ ଦେବ। ଶପଥ ନେବା ପୂର୍ବରୁ ବିପ୍ଲବଙ୍କ କିଛି ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି। ଏହି ଫଟୋରେ ବିପ୍ଲବ ତ୍ରିପୁରାର ପୂର୍ବତନ ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କ ପାଦ ଛୁଇଁବା ସହ ନମସ୍କାର କରୁଥିବାର ଦେଖାଯାଇଛି।

ନିର୍ବାଚନ ଜିତିବା ପରେ ଏହି ଫଟୋ ଉଠାଯାଇଥିବାର ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପୂର୍ବରୁ ବୟୋଜେଷ୍ଠ ମାଣିକ ସରକାରଙ୍କ ଆଶୀର୍ବାଦ ନେବା ପାଇଁ ତାଙ୍କ ବାସଭବନ ଯାଇଥିଲେ ବିପ୍ଲବ। ସେତେବେଳେ ଏହି ଫଟୋ ଉଠାଯାଇଥିବା କୁହାଯାଇଛି।

ଭାଇରାଲ୍ ହୋଇଥିବା ଏହି ଫଟୋ ଦେଖି ବିପ୍ଲବଙ୍କୁ ସୋସିଆଲ୍ ମିଡିଆରେ ଜୋରଦାର ତାରିଫ୍ ମିଳିଛି।

ବିଜେପି ପକ୍ଷରୁ ବିପ୍ଲବ ଦେବଙ୍କୁ ତ୍ରିପୁରାର ବିଧାୟକ ଦଳର ନେତା ଭାବେ ଚୟନ କରାଯାଇଛି। ମାର୍ଚ୍ଚ ୯ ତାରଖ ଦିନ ନୂଆ ସରକାର ସ୍ଵାମୀ ବିବେକାନନ୍ଦ ମୈଦାନରେ ଶପଥ ନେବାର କାର୍ଯ୍ୟକ୍ରମ ରହିଛି।

ବିଜେପି ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଜୋରଦାର ଉଦ୍ୟମ ଆରମ୍ଭ କରିଛି। ଏହି ଶପଥ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ବିଜେପି ଶାସିତ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।

ଚଳିତବର୍ଷ ତ୍ରିପୁରା ବିଧାନସଭା ପାଇଁ ଅନୁଷ୍ଠିତ ନିର୍ବାଚନରେ ବିଜେପି ସଂଖ୍ୟାଗରିଷ୍ଠତା ହାସଲ କରିଛି। ୫୯ଟି ଆସନ ବିଶିଷ୍ଟ ତ୍ରିପୁରା ବିଧାନସଭାରେ ୩୫ ଆସନରେ ବିଜେପି ଜିତିଥିବାବେଳେ ସହଯୋଗୀ ଆଇପିଏଫଟି ଦଳ ୫ଟି ଆସନ ଜିତିବାରେ ସକ୍ଷମ ହୋଇଛି।

Comment