ଓଡ଼ିଶାଲାଇଭ୍‌ ବ୍ୟୁରୋ

ନୟାଗଡ଼ ଜିଲ୍ଲା ଗଣିଆ ବନାଞ୍ଚଳର କାଦୁଆ ଗାଁରୁ ଗୁରୁବାର ସକାଳେ ଗୋଟିଏ କଲରାପତରିଆ ବାଘ ଛୁଆ ଉଦ୍ଧାର କରାଯାଇଛି। ଉଦ୍ଧାର ହୋଇଥିବା ବାଘ ଛୁଆର ବୟସ ୬ ମାସ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି। ବାଘ ଛୁଆ ଉଦ୍ଧାର ହେବା ପରେ ଗ୍ରାମବାସୀ ଭୟଭୀତ ହୋଇ ଯାଇଛନ୍ତି।

ବାଙ୍କମୁଣ୍ଡା ସଂରକ୍ଷିତ ଜଙ୍ଗଲରୁ ଗୁରୁବାର ସକାଳେ ଏକାଧିକ ବାଘ କାଦୁଆ ଗ୍ରାମକୁ ଆସିଥିଲେ। ଗ୍ରାମ ନିକଟରେ ଥିବା ପୋଖରୀରୁ ପାଣି ପିଉଥିଲେ। ଗ୍ରାମବାସୀ ଏହା ଜାଣିପାରି ବାଘ ଘଉଡ଼ାଇବା ପାଇଁ ଆସିଥିଲେ। ଲୋକଙ୍କୁ ଦେଖି ପୋଖରୀରୁ ପାଣି ପିଉଥିବା ବାଘ ଜଙ୍ଗଲ ଭିତରକୁ ପଳାଇ ଯାଇଥିଲେ। ହେଲେ କଲରାପତରିଆ ବାଘ ଛୁଆଟି ଜଙ୍ଗଲକୁ ଯାଇପାରି ନଥିଲା। ଭୟରେ ବାଘ ଛୁଆଟି ଗୋଟିଏ ଗଛ ଉପରକୁ ଚଢ଼ି ଯାଇଥିଲା।

ଗ୍ରାମବାସୀ ଗଛରୁ ବାଘ ଛୁଆକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ କାଦୁଆ ଗାଁରୁ ବାଘ ଛୁଆକୁ ଗଣିଆ ରେଞ୍ଜ ଅଫିସକୁ ନେଇ ଆସିଥିଲେ। ସେଠାରେ ବାଘ ଛୁଆର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଛି। ତେବେ ବାଘ ଛୁଆକୁ କେଉଁଠି ଛଡ଼ାଯିବ ତାହା ସ୍ପଷ୍ଟ ହୋଇନାହିଁ।

Comment