ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସ୍ମାର୍ଟ ପଲିଟିକାଲ ଷ୍ଟ୍ରୋକ ମାରି ରାଜନୀତି ପର୍ଯ୍ୟବେକ୍ଷକଙ୍କୁ ଚକିତ କରୁଛନ୍ତି। ୧୭ ବର୍ଷ ଭିତରେ ନବୀନ ଯାହା କରି ନଥିଲେ ତାହା ୨୦୧୯ ପୂର୍ବରୁ କରି ବିରୋଧୀ ଶିବିରକୁ ହଲ୍‌ଚଲ୍ କରିଛନ୍ତି।

ବିଜେପୁର ଯୁଦ୍ଧ ସରିବା ପରେ ରାଜ୍ୟସଭା ସଦସ୍ୟ ମନୋନୟନ ନେଇ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ଯେଉଁ ଖେଳ ଖେଳିଛନ୍ତି ତାହା ଅଭିଜ୍ଞ ରାଜନେତାଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଛି।

ପୂର୍ବାହ୍ନରେ ଦଳରେ ସାମିଲ ହେବା ଓ ଅପରାହ୍ନରେ ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ହେବା ଏଭଳି ଘଟଣା ନବୀନଙ୍କ ୧୭ବର୍ଷ ଶାସନରେ କେବେ ଘଟିନଥିଲା। ଅବଶ୍ୟ ଅନ୍ୟଥର ଅପେକ୍ଷା ଏଥର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା।

ଗୋଟିଏ ପଟେ ବିଜେପିର ଆହ୍ୱାନ ଓ ଅପରପଟେ ଦଳରେ ଅସନ୍ତୋଷ ନବୀନଙ୍କୁ ବାଧ୍ୟ କରିଥିଲା କିଛି କଠୋର ସମୟୋଚିତ ନିଷ୍ପତ୍ତି ନେବାକୁ। ଶେଷରେ ସେ ନେଲେ ମଧ୍ୟ।

ଏହି ନିଷ୍ପତ୍ତିରେ ସବୁଠାରୁ ବଡ଼ ଆଶ୍ଚର୍ଯ୍ୟ ଥିଲା ସୌମ୍ୟରଞ୍ଜନ ପଟ୍ଟନାୟକ ଓ ଅଚ୍ୟୁତ ସାମନ୍ତଙ୍କୁ ରାଜ୍ୟସଭାକୁ ପଠାଇବା। ଅବଶ୍ୟ ସୌମ୍ୟଙ୍କ କଥା ସମ୍ପୂର୍ଣ୍ଣ ଭାବେ ବୁଝି ହେଉଛି। ଢେର ଦିନ ଧରି ସେ ଶାସକ ଦଳ ଆଡକୁ ଢଳିବା ଆରମ୍ଭ କରିଥିଲେ ଯାହାର ଫଳସ୍ୱରୂପ ତାଙ୍କୁ  ରାଜ୍ୟସଭା ଟିକେଟ ପୁରସ୍କାର ଭାବରେ ମିଳିଲା।

ସୋସିଆଲ ମିଡିଆରେ ସୌମ୍ୟଙ୍କ ବିଜେଡିରେ ଯୋଗଦାନ ଓ ରାଜ୍ୟସଭା ଟିକେଟ ପାଇବା ନେଇ ସୋସିଆଲ ମିଡିଆରେ ବେଶ୍ କିଛି ଟ୍ରୋଲ ହୋଇଛି ଓ ପ୍ରାୟ ସମସ୍ତେ ଏହାକୁ ଏକ ସୁବିଧାବାଦୀ ପଦକ୍ଷେପ ବୋଲି କହିଛନ୍ତି।

ବିଶେଷକରି ସେ ବ୍ୟକ୍ତିଗତ ଭାବେ ଓ ତାଙ୍କ ହାତରେ ଥିବା ଦୁଇଟି ଗଣମାଧ୍ୟମ ଯେଭଳି ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ନବୀନ ପଟ୍ଟନାୟକ ସରକାରଙ୍କ ନିଷ୍ପତ୍ତିଗୁଡିକୁ ସମାଲୋଚନା କରୁଥିଲା ହଠାତ ମତ ଓ ସ୍ୱର ପରିବର୍ତ୍ତନକୁ ଅନେକେ ସହଜରେ ଗ୍ରହଣ କରିନାହାନ୍ତି। ତେବେ ଯାହା କୁହାଯାଏ, ବିବି ମିଆଁ ରାଜି ତୋ କ୍ୟା କରେଗା କାଜି।

ସେହିଭଳି ଅଚ୍ୟୁତ ସାମନ୍ତଙ୍କ କଥା। ସେ ଶାସକ ବିଜେଡିର ଜଣେ ଶୁଭଚିନ୍ତକ ଏହା ସମସ୍ତେ ଜାଣନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ଏହାର ଠିକ୍ ଦୁଇ ଦିନ ପୂର୍ବରୁ ଯେତେବେଳେ ଘୋଷଣା କରିଥିଲେ ଯେ କୌଣସି ଅଣରାଜନୀତିକ ବ୍ୟକ୍ତିଙ୍କୁ ଟିକେଟ ଦିଆଯିବ ନାହିଁ, ଅଚାନକ ଅଚ୍ୟୁତଙ୍କୁ ସୁଯୋଗ ଦେବା ଘଟଣା ଏକ ନୂଆ ଚର୍ଚ୍ଚାକୁ ସ୍ଥାନ ଦେଇଛି।

ଚର୍ଚ୍ଚାଟି ହେଉଛି ତାଙ୍କ ହାତରେ ଥିବା ଆଦିବାସୀ ଭୋଟ। ମୋଟାମୋଟି ଭାବରେ କହିଲେ,ଏଥରର ରାଜ୍ୟସଭା ମନୋନୟନ ଯେ ସମ୍ପୂର୍ଣ୍ଣ ଭାବେ ଏକ ତତ୍କାଳିକ ନିଷ୍ପତ୍ତି ଏହା ଘଟଣାପ୍ରବାହରୁ ସ୍ପଷ୍ଟ।

ନବୀନଙ୍କ ଆଉ ଏକ ନିଷ୍ପତ୍ତି ଯାହା ପାଇଁ  ଦଳ ଭିତରେ ଶିହରଣ ଖେଳିଲା ସେଇଟା ହେଉଛି ଡାକ୍ତର ଦାମୋଦର ରାଉତଙ୍କ ପୁଅଙ୍କୁ ଦଳର ଜଣେ ସମ୍ପାଦକ କରିବା। ନବୀନ ଏଥିରେ ଗୋଟିଏ ଗୁଳିରେ ଦୁଇଟି ଶିକାର କଲେ। ଅନ୍ୟ ଏକ ନିଷ୍ପତ୍ତି ହେଉଛି ବିଭିନ୍ନ ନିଗମରେ ଦଳୀୟ ନେତାଙ୍କୁ ଥଇଥାନ କରିବା। ଏହି ନିଗମ ନିଯୁକ୍ତିରେ ଅନ୍ତତଃ ଚାରି ଜଣ ବରିଷ୍ଠ ବିଜେଡି ନେତା ସାମିଲ ହୋଇଛନ୍ତି ଯେଉଁମାନେ ବିଭିନ୍ନ ବର୍ଗକୁ ପ୍ରତିନିଧିତ୍ୱ କରୁଛନ୍ତି। ଗଞ୍ଜାମ ଓ ଆଦିବାସୀ ଅଧ୍ୟୁଷିତ ମୟୂରଭଞ୍ଜ ଜିଲ୍ଲାରୁ ଦୁଇ ଜଣଙ୍କୁ ଯୋଜନା ବୋର୍ଡରେ ଥଇଥାନ କରି ନବୀନ ମାଷ୍ଟର ଷ୍ଟ୍ରୋକ ମାରିଛନ୍ତି।

ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଆଉ ଯେଉଁ ନେତାମାନେ ରହିଯାଇଛନ୍ତି ସେମାନଙ୍କ ପାଇଁ ବି ଏଥିରେ ବାଟ ଖୋଲିଲା ବୋଲି ଧରିନେବାକୁ ପଡ଼ିବ।

ସତ କହିବାକୁ ଗଲେ, ବିଜେପୁର ନିର୍ବାଚନ ଫଳ ଶାସକ ବିଜେଡିକୁ ଏକ ନୂଆ ସାହସ ଓ ନୂତନ ଉଦ୍ଦୀପନା ଯୋଗାଇଛି।

ମୁଖ୍ୟମନ୍ତ୍ରୀଙ୍କ ଏହି ସବୁ ନିଷ୍ପତ୍ତିର ଉଦ୍ଦେଶ୍ୟ ଦଳକୁ ଅଧିକ ଦୃଢ଼ୀଭୂତ କରିବା ଓ ବର୍ଷ ଶେଷ ଆଡକୁ ନିର୍ବାଚନ ମଇଦାନକୁ ଓହ୍ଲାଇବ। ସେ ଦେଖୁଛନ୍ତି ୨୦୧୯ ନିର୍ବାଚନ ୨୦୧୪ ହୋଇ ରହିନାହିଁ ଏବଂ ୧୧୮ ଆସନର ପୁନରାବୃତ୍ତି ଏତେ ସହଜସାଧ୍ୟ ନୁହେଁ।

Comment