ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ଜର୍ସି ପିନ୍ଧି ପ୍ରଥମଥର ପାଇଁ ମୈଦାନକୁ ଓହ୍ଲାଇଥିବା ଭାରତୀୟ ମହିଳା ହକି ଦଳକୁ ମିଳିଛି ସିରିଜ୍ ବିଜୟର ଟିକା।

ଦକ୍ଷିଣ କୋରିଆ ଗସ୍ତରେ ଥିବା ଭାରତୀୟ ମହିଳା ହକି ଦଳ ଦମ୍‌ଦାର ପ୍ରଦର୍ଶନ କରି ଶେଷ ମ୍ୟାଚ୍‌ ପୂର୍ବରୁ ଶୃଙ୍ଖଳା ଜିତି ନେଇଛି।

ପ୍ରଥମ ଦୁଇଟି ମ୍ୟାଚ୍‌କୁ ଯଥାକ୍ରମେ ୧-୦ ଓ ୩-୨ ଗୋଲ୍‌ରେ ଜିତିବା ପରେ ଭାରତୀୟ ଦଳ ତୃତୀୟ ମ୍ୟାଚ୍‌ ୧-୨ ଗୋଲ୍‌ରେ ପରାସ୍ତ ହୋଇଥିଲା।

ଶୁକ୍ରବାର ଚତୁର୍ଥ ମ୍ୟାଚ୍‌ରେ ନିଜଠୁ ଉଚ୍ଚ ମାନ୍ୟତାପ୍ରାପ୍ତ ଦକ୍ଷିଣ କୋରିଆକୁ ୩-୧ ଗୋଲ୍‌ରେ ପରାସ୍ତ କରି ୩-୧ ଆଗୁଆ ସହ ବିଶ୍ୱ ମାନ୍ୟତାର ଦଶମରେ ଥିବା ଭାରତ ୫ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ଆଗୁଆ କବ୍ଜା କରିନେଇଛି।

ଶୃଙ୍ଖଳାର ଗୁରୁତ୍ୱହୀନ ପଞ୍ଚମ ତଥା ଶେଷ ମ୍ୟାଚ୍‌ ଆସନ୍ତା ୧୧ ତାରିଖ ଦିନ ଖେଳାଯିବ। ଶୁକ୍ରବାର ନିଶ୍ଚିତ ବିଜୟ ଆବଶ୍ୟକ କରୁଥିବା ଭାରତୀୟ ଦଳ ଚମତ୍କାର ଅଲ୍‌ରାଉଣ୍ଡ୍‌ ପ୍ରଦର୍ଶନ କରିଥିଲା।

ଆକ୍ରମଣାତ୍ମକ ଆଭିମୁଖ୍ୟ ନେଇ ପଡ଼ିଆକୁ ଓହ୍ଲାଇଥିବା ଭାରତ ଆରମ୍ଭରୁ ଘରୋଇ କୋରିଆକୁ ଚାପରେ ପକାଇଥିଲା। ଯାହାଫଳରେ ପ୍ରଥମ କ୍ୱାର୍ଟରରେ ହିଁ ଭାରତ ୨ଟି ଗୋଲ୍‌ କରି ଆଗୁଆ ହୋଇଯାଇଥିଲା। ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଗୁର୍‌ଜିତ୍‌ କୌର ଏବଂ ୧୪ ମିନିଟ୍‌ରେ ଦୀପିକା ଗୋଟିଏ ଲେଖାଏଁ ଗୋଲ୍‌ କରିଥିଲେ। ଉଭୟ ଗୁର୍‌ଜିତ୍‌ ଓ ଦୀପିକା ପେନାଲ୍‌ଟି କର୍ନର ଜରିଆରେ ଗୋଲ୍‌ କରିଥିଲେ।

ପ୍ରଥମାର୍ଧ ସୁଦ୍ଧା ସ୍ଥିତି ୨-୦ରେ ଭାରତ ସପକ୍ଷରେ ରହିଥିଲା। ଚତୁର୍ଥ ତଥା ଶେଷ କ୍ୱାର୍ଟରରେ ଭାରତ ଆଉ ଏକ ଗୋଲ୍‌ କରି ବ୍ୟବଧାନ ୩-୦ କରିଦେଇଥିଲା। ବନ୍ଦନା କାଟାରିୟାଙ୍କଠୁ ପାଇଥିବା ପାସ୍‌କୁ ପୂନମ୍‌ ରାଣୀ ସଦୁପଯୋଗ କରି ଦମ୍‌ଦାର ଫିଲ୍‌ଡ ଗୋଲ୍‌ ଦେଇଥିଲେ। ଯାହାକି ଭାରତର ବିଜୟ ନିଶ୍ଚିତ କରିଦେଇଥିଲା।  ୫୭ ମିନିଟ୍‌ରେ ମି ହ୍ୟୁନ୍‌ ପାର୍କ ଘରୋଇ କୋରିଆ ଦଳ ପାଇଁ ଏକମାତ୍ର ସାନ୍ତ୍ୱନାମୂଳକ ଗୋଲ୍‌ କରିଥିଲେ।

ଓଡ଼ିଶା ଜର୍ସି ପିନ୍ଧି ପ୍ରଥମଥର ପାଇଁ ମୈଦାନକୁ ଓହ୍ଲାଇଥିବା ଭାରତୀୟ ମହିଳା ହକି ଦଳ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଇଛି।

Comment