ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କୋଲକାତାରୁ ଆସିଲା ଫୋରେନସିକ୍ ଲ୍ୟାବ ରିପୋର୍ଟ
  • ରିପୋର୍ଟ ଆଧାରରେ ବିବୃତି ଦେଲା କ୍ରାଇମବ୍ରାଞ୍ଚ
  • ପୀଡ଼ିତାଙ୍କ ପୋଷାକରେ କୌଣସି ସିମେନ୍ ଦାଗ ନାହିଁ: କ୍ରାଇମବ୍ରାଞ୍ଚ ଏସ୍‌ପି

କୁନ୍ଦୁଲି ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ ନାହିଁ। ପୋଷାକରେ ଲାଗିଥିବା ଦାଗ ତାଙ୍କ ଶରୀରରୁ ନିର୍ଗତ ଅଂଶ। କୋଲକାତା କେନ୍ଦ୍ରୀୟ ଫୋରେନସିକ୍ ଲ୍ୟାବରୁ ଆସିଥିବା ରିପୋର୍ଟ ଆଧାରରେ କ୍ରାଇମବ୍ରାଞ୍ଚ ଏସ୍‌ପି ରାଧାବିନୋଦ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି।

ପୀଡ଼ିତାଙ୍କ ପୋଷାକରେ ସିମେନ୍ ଦାଗ ରହିଥିବା ରାଜ୍ୟ ଫୋରେନସିକ୍ ଲ୍ୟାବ ରିପୋର୍ଟରେ ଉଲ୍ଲେଖ ରହିଥିଲା। ଏହାକୁ ନେଇ ବିଭିନ୍ନ ମହଲରେ ହୋ-ହଲ୍ଲା ହେବାରୁ ରାଜ୍ୟ ଫୋରେନସିକ ଲ୍ୟାବ ପକ୍ଷରୁ ଏହା ପ୍ରାଥମିକ ରିପୋର୍ଟ ବୋଲି କୁହାଯାଇଥିଲା। ତେବେ ରାଜ୍ୟ ଫୋରେନସିକ୍ ଲ୍ୟାବ ଘଟଣାକୁ ଚାପି ଦେଉଛନ୍ତି ବୋଲି ବିରୋଧୀ କଂଗ୍ରେସ ଦାବି କରିଥିଲା।

ଏହାପରେ ପୀଡ଼ିତାଙ୍କ ପୋଷାକ ପରୀକ୍ଷା ପାଇଁ କୋଲକାତା କେନ୍ଦ୍ରୀୟ ଲ୍ୟାବକୁ ପଠାଯାଇଥିଲା। ପୋଲିସ ଡିଜି ଆର୍‌ ପି ଶର୍ମାଙ୍କ ନିର୍ଦ୍ଦେଶରେ ଏହା ପଠାଯାଇଥିଲା। ଏହାର ରିପୋର୍ଟ ସୋମବାର କ୍ରାଇମବ୍ରାଞ୍ଚ ପକ୍ଷରୁ ପ୍ରକାଶ କରାଯାଇଛି।

୨୦୧୭ ଅକ୍ଟୋବର ୧୦ ତାରିଖରେ କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଜଣେ ନାବାଳିକା ସୋରିଷପଦର ଜଙ୍ଗଲ ଦେଇ ଆସୁଥିବା ବେଳେ ଗଣବଳାତ୍କାର ଶିକାର ହୋଇଥିବା ଅଭିଯୋଗ ହୋଇଥିଲା।

ପୀଡ଼ିତାଙ୍କୁ ଚିକିତ୍ସା ପାଇଁ ପ୍ରଥମେ କୁନ୍ଦୁଲି ମେଡିକାଲ ଓ ପରେ କୋରାପୁଟ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଏହି ଘଟଣାକୁ ନେଇ ବିଭିନ୍ନ ରାଜନୈତିକ ଦଳ ଆନ୍ଦୋଳନକୁ ଓହ୍ଲାଇଥିଲେ। ମୁଖ୍ୟମନ୍ତ୍ରୀ ଘଟଣାର କ୍ରାଇମବ୍ରାଞ୍ଚ ଏବଂ ବିଚାର ବିଭାଗୀୟ ତଦନ୍ତ ଆଦେଶ ଦେଇଥିଲେ। ହେଲେ ଜାନୁଆରୀ ମାସରେ ପୀଡ଼ିତା ଆତ୍ମହତ୍ୟା କରିଥିଲେ।

Comment