ଓଡ଼ିଶାଲାଇଭ୍ ବ୍ୟୁରୋ

- ୭ ଦଫା ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଥିଲେ ଶିକ୍ଷା ସହା଼ୟକ
- ୪ଟି ଦାବି ମାନିଲେ ରାଜ୍ୟ ସରକାର
- ବଦଳିଲା ଶିକ୍ଷା ସହାୟକଙ୍କ ନାଁ
- ସପ୍ତମ ବେତନ କମିସନଙ୍କ ସୁପାରିଶ ଅନୁଯାୟୀ ରାଜ୍ୟ ଦେବ ୪୦ ପ୍ରତିଶତ ଦରମା
୭ ଦଫା ଦାବି ନେଇ ସୋମବାରଠୁ ଆନ୍ଦୋଳନକୁ ଓହ୍ଲାଇଥିଲେ ରାଜ୍ୟର ୭୦ ହଜାର ଶିକ୍ଷା ସହାୟକ। ସୋମବାର ସକାଳୁ ଭୁବନେଶ୍ବର ଲୋୟର ପିଏମ୍ଜିରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ହେଲେ ସନ୍ଧ୍ୟାରେ ଶିକ୍ଷକ ପ୍ରତିନିଧିଙ୍କୁ ଡାକି ସରକାର ଆଲୋଚନା କରିବା ପରେ ଶିକ୍ଷା ସହାୟକଙ୍କ ସ୍ବର ବଦଳି ଯାଇଛି। ମଙ୍ଗଳବାରଠୁ ରାଜ୍ୟ ବଦଳରେ କେନ୍ଦ୍ର ସରକାରଙ୍କ ବିରୋଧରେ ଆନ୍ଦୋଳନ କରିବାକୁ ସଂଘ କହିଛି।
ଶିକ୍ଷା ସହାୟକ ସଂଘର ୭ ଦଫା ଦାବିରୁ ୪ଟି ଦାବି ରାଜ୍ୟ ସରକାର ମାନି ନେଇଛନ୍ତି। ସପ୍ତମ ବେତନ କମିସନ ସୁପାରିଶ ଅନୁଯାୟି ଶିକ୍ଷା ସହାୟକଙ୍କୁ ୪୦ ପ୍ରତିଶତ ଦରମା ରାଜ୍ୟ ସରକାର ଦେବାକୁ ରାଜି ହୋଇଛନ୍ତି। ବାକି ୬୦ ପ୍ରତିଶତ କେନ୍ଦ୍ର ସରକାର ଦେବା କଥା। ହେଲେ କେନ୍ଦ୍ର ସରକାର ଦେବେ କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ।
ଏଣୁ ଶିକ୍ଷା ସହାୟକଙ୍କ ଆନ୍ଦୋଳନ ମଙ୍ଗଳବାରଠାରୁ କେନ୍ଦ୍ର ବିରୋଧରେ ଚାଲିବ ବୋଲି ସଂଘ ସଭାପତି ମଳୟ କୁମାର ଜେନା କହିଛନ୍ତି।
ଶିକ୍ଷା ସହାୟକଙ୍କ ନାଁ ପରିବର୍ତ୍ତନ କରିବାକୁ ସରକାର ରାଜି ହୋଇଛନ୍ତି। ନିଯୁକ୍ତି ଆରମ୍ଭରୁ ପ୍ରଥମ ତିନି ବର୍ଷ ଯାଏଁ ଏମାନଙ୍କ ନାଁ ଜୁନିୟର ଟିଚର କଣ୍ଟ୍ରାକ୍ଟ ରହିବ। ତିନି ବର୍ଷରୁ ୬ ବର୍ଷ ଯାଏଁ ଜୁନିୟର ଟିଚର ଏବଂ ପରେ ରେଗୁଲାର ଟିଚର ଭାବେ ନିଯୁକ୍ତି ପାଇବେ।
ସପ୍ତମ ବେତନ ସୁପାଣିଶ ଅନୁଯାୟୀ ଦରମା, ବଦଳି ନିୟମ କୋହଳ, ଚାକିରି ନିୟମିତ ଏବଂ ଶିକ୍ଷା ସହାୟକଙ୍କ ନାମ ପରିବର୍ତ୍ତନ କରିବାକୁ ସଂଘ ଦାବି କରିଥିଲା।


















