ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀର ଗୁରୁଗ୍ରାମରେ ଏମ୍ସ ଛାତ୍ର ସୋହେଲ ଅଜାଜକୁ ଦେଖିଛନ୍ତି ଗୁରୁଗ୍ରାମର ଏକ ଏଟିଏମର ସିକୁରିଟି ଗାର୍ଡ !

ଭୁବନେଶ୍ଵର ଏମ୍ସର ନିଖୋଜ କାଶ୍ମିର ଛାତ୍ର ସୋହେଲ ଅଜାଜକୁ ଠାବ କରିବା ପାଇଁ ଜାରି ରହିଛି ତନାଘନା। ଏକ ଆଶ୍ବସ୍ତିକର ଖବର ହେଉଛି ଯେ ସୋହେଲ ଦିଲୀରେ ଥିବା ଅନୁମାନ କରାଯାଉଛି।

ଗୁରୁଗ୍ରାମରେ ଥିବା ଜାମ୍ମୁକାଶ୍ମିର ବ୍ୟାଙ୍କର ଏଟିଏମ୍ ସମ୍ମୁଖରେ ସୋହେଲଙ୍କୁ ସିକୁରିଟି ଗାର୍ଡ ଦେଖିଥିବା ସୂଚନା ମିଳିଛି। ଏହାପରେ ସିକୁରିଟି ବ୍ୟାଙ୍କକୁ ଖବର ଦେବାପରେ ବ୍ୟାଙ୍କ୍ ପକ୍ଷରୁ ଓଡ଼ିଶା ପୋଲିସକୁ ସୂଚନା ଦିଆଯାଇଛି।

ଖବର ପାଇବା ପରେ ପୋଲିସ ସିକୁରିଟି ଗାର୍ଡକୁ ପଚରାଉଚୁରା କରିବା ସହ ସିସିଟିଭି ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଦିଲ୍ଲୀରେ ଓଡ଼ିଶା ପୋଲିସର ଏକ ଟିମ୍ ସହିତ ସୋହେଲ ବାପା ଓ ଭାଇ ମଧ୍ୟ ଅଛନ୍ତି। ଉଭୟ ଗୁରୁଗ୍ରାମର ବିଭିନ୍ନ ସ୍ଥାନରେ ତନାଘନା ଚଳାଇଛନ୍ତି।

“ସିକୁରିଟି ଗାର୍ଡ ସୋହେଲକୁ ଏଟିଏମ୍ ପାଖରେ ଦେଖିଥିବାର କହିଛନ୍ତି। କିନ୍ତୁ ସେ ଦେଖିଥିବା ବ୍ୟକ୍ତି ସୋହେଲ କି ଆଉ କିଏ ତାହାକୁ ନେଇ ତଦନ୍ତ ଚାଲିଛି। ଗୁରୁଗ୍ରାମର ମେଟ୍ରୋ ଷ୍ଟେସନରେ ମଧ୍ୟ ଅନେକ ଲୋକ ସୋହେଲଙ୍କୁ ଦେଖିଛନ୍ତି ବୋଲି ସୂଚନା ମିଳିଛି। ତେଣୁ ସମ୍ପୂର୍ଣ୍ଣ ଘଟଣାର ସତ୍ୟାସତ୍ୟ ସିସିଟଭି ଫୁଟେଜ୍‌ରୁ ଜଣାପଡ଼ିବ” କହିଛନ୍ତି ସୋହେଲଙ୍କ ପିତା ଏଜାଜ୍ ଅହମ୍ମଦ।

ଗତ କିଛିଦିନ ତଳେ ବରମୁଣ୍ଡା ବସଷ୍ଟାଣ୍ଡ ଓଭରବ୍ରିଜ୍ କାନ୍ଥରେ ସିପିଆଇ ମାଓବାଦୀ ନାଁରେ ଲାଗିଥିବା ଏକ ପୋଷ୍ଟର ପୋଲିସକୁ ମିଳିଥିଲା। ଉକ୍ତ ପୋଷ୍ଟରରେ ସୋହେଲଙ୍କୁ ଅପହରଣ କରାଯାଇଥିବା ଉଲ୍ଲେଖ ଥିବାବେଳେ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ଜେଲରୁ ଛାଡ଼ିଲେ ସୋହେଲଙ୍କୁ ଛଡ଼ାଯିବ ବୋଲି ଲେଖାଯାଇଥିଲା। ଏହାପରେ ତୁରନ୍ତ ସୋହେଲଙ୍କୁ ଖୋଜିବା ପାଇଁ ଓଡିଶା ସରକାରଙ୍କୁ ଟୁଇଟରରେ ଅପିଲ କରିଥିଲେ ଜାମ୍ମୁ-କାଶ୍ମିର ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି।

ଫେବ୍ରୁଆରି ୯ ତାରିଖରୁ ଜାମ୍ମୁ ଓ କାଶ୍ମିର କୁପୱାଡ଼ା ଜିଲ୍ଲାର ସୋହେଲ୍ ଅଜାଜଙ୍କ କୌଣସି ପତ୍ତା ମିଳୁନାହିଁ। ନିଖୋଜ ପୂର୍ବଦିନ ନିଜ ହଷ୍ଟେଲ୍‌ ସାଙ୍ଗସାଥିଙ୍କୁ କୌଣସି ଜଣେ ସମ୍ପର୍କୀୟଙ୍କ ବିବାହରେ ସାମିଲ ହେବାକୁ କହି ଯାଇଥିଲେ ସୋହେଲ। ତା’ପରଠୁ ତାଙ୍କ ପରିବାର କିମ୍ବା ସାଙ୍ଗସାଥିଙ୍କ ସହ କୌଣସି ଯୋଗାଯୋଗ କରି ନାହାନ୍ତି। ଏସମ୍ପର୍କରେ ଏମ୍‌ସ କର୍ତ୍ତୃପକ୍ଷ ଫେବ୍ରୁଆରି ୧୭ ତାରିଖରେ ଥାନାରେ ଅଭିଯୋଗ କରିଥିଲେ। ସୋହେଲଙ୍କ ନିଖୋଜ ହେବା ବିଷୟରେ ଓଡ଼ିଶା ସହ ଜାମ୍ମୁ ଓ କାଶ୍ମିର ଓ ପଶ୍ଚିମବଙ୍ଗ ପୋଲିସ୍ ତଦନ୍ତ କରୁଛି।

Comment