ଓଡ଼ିଶାଲାଇଭ୍‌ ବ୍ୟୁରୋ

ବାଲେଶ୍ୱର: ବାଲେଶ୍ୱର  ଜିଲ୍ଲାରେ ବୈଷୟିକ ବିପ୍ଳବ ଆଣିବା ପାଇଁ ସାଂସଦ ରବିନ୍ଦ୍ର କୁମାର ଜେନା ଇସ୍ରାଏଲର ରାଷ୍ଟ୍ରଦୂତ ଡାନିଏଲ କାରମନଙ୍କ ସହିତ ନୂଆଦିଲ୍ଲୀରେ ଆଲୋଚନା କରିଛନ୍ତି। ଉଭୟ ଦେଶ ପକ୍ଷରୁ ଚାଷ ପାଇଁ ଉଚ୍ଚତର ବୈଷୟିକ କାରିଗରୀର ବ୍ୟବହାର ସମ୍ପର୍କରେ ଆଲୋଚନା କରିବା ସହିତ କମ୍ ଜଳରେ କେମିତି ଅଧିକ ଉତ୍ପାଦନ ହୋଇପାରିବ ସେନେଇ ଇସ୍ରାଏଲ ସରକାରଙ୍କ ସହଯୋଗ କାମନା କରିଥିଲେ ସାଂସଦ।

ରବିନ୍ଦ୍ର ଜେନା କହିଛନ୍ତି, “ଇସ୍ରାଏଲ୍ର ରାଷ୍ଟ୍ରଦୂତ ଡାନିଏଲ କାରମନଙ୍କ ସହିତ ଗଠନମୂଳକ ଆଲୋଚନା ହୋଇଥିଲା। ଇଣ୍ଡୋ-ଇସ୍ରାଏଲ ସହଯୋଗ ନେଇ ଆଲୋଚନା ହୋଇଥିବା ବେଳେ କୃଷି କ୍ଷେତ୍ରରେ ସ୍ୱତନ୍ତ୍ର ସହଯୋଗ ପାଇଁ ଆଇଆଇଏପି (ଇଣ୍ଡୋ ଇସ୍ରାଏଲ ଏଗ୍ରିକଲଚର ପ୍ରୋଜେକ୍ଟ) ଉପରେ ଆଲୋଚନା ହୋଇଥିଲା।ବାଲେଶ୍ୱର ଜିଲ୍ଲାର କୃଷକମାନଙ୍କର ବିକାଶ ପାଇଁ ‘ସେଣ୍ଟର୍ ଅଫ୍ ଏକ୍ସଲେନ୍ସ’ ପ୍ରତିଷ୍ଠା ପାଇଁ ମଧ୍ୟ ଆଲୋଚନା ହୋଇଥିଲା।”

କୃଷି କ୍ଷେତ୍ରରେ ଗବେଷଣା ଓ ବିକାଶ ପାଇଁ ଇସ୍ରାଏଲ ବିଶ୍ୱରେ ସର୍ବାଗ୍ରେ ରହିଛି। ସେ ଦେଶର କୃଷିର ପରିମାଣ ଓ ମାନରେ ମଧ୍ୟ ଉଚ୍ଚତର ଅଭିବୃଦ୍ଧି ଘଟିଛି। ଇସ୍ରାଏଲରେ କୃଷି ଏକ ବିକଶିତ ଶିଳ୍ପ ଭାବେ ଗଣନା କରାଯାଏ। ଯଦିଓ ଇସ୍ରାଏଲର ପାଣିପାଗ ଓ ପରିବେଶ କୃଷି ପାଇଁ ଉପଯୋଗୀ ନୁହେଁ, ତଥାପି ଉଚ୍ଚ ବୈଷୟିକ ଜ୍ଞାନର ବିନିଯୋଗ କରି ଇସ୍ରାଏଲ ଏବେ ବିଦେଶକୁ କୃଷିଜାତ ଦ୍ରବ୍ୟ ରପ୍ତାନିରେ ପୃଥିବୀର ଅନ୍ୟତମ ଦେଶ ଭାବେ ନିଜକୁ ପ୍ରତିଷ୍ଠିତ କରିପାରିଛି।

୨୦୦୮ ମସିହାରେ ଇସ୍ରାଏଲର ଚାଷ ଉପରେ ମୋଟ ଜିଡିପି ୨.୫ ପ୍ରତିଶତ ରହିଥିବା ବେଳେ ରପ୍ତାନି ୩.୬ ପ୍ରତିଶତ ଥିଲା। କେବଳ ଗହମ, ତୈଳବୀଜ, ମାଂସ, କଫି, କୋକା ଓ ଚିନି ହିଁ ରପ୍ତାନି କରିଥାଏ।

Comment