ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେଡି ପ୍ରାର୍ଥୀଙ୍କୁ ବିଜେପୁର ଭୋଟର ବିପୁଳ ଭୋଟରେ ଜିତାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପୁରବାସୀଙ୍କୁ ଦେଇଛନ୍ତି ଧନ୍ୟବାଦ।

ବିଜେପୁର ଉପ-ନିର୍ବାଚନରେ ବିଜେଡି ପ୍ରାର୍ଥୀ ବିପୁଳ ଭୋଟରେ ବିଜୟୀ ହୋଇଛନ୍ତି। ବିଜେଡି ସପକ୍ଷରେ ବିଜେପୁରବାସୀ ରାୟ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ବିଜେପୁରବାସୀଙ୍କୁ ଧନ୍ୟବାଦ ଦେବା ପାଇଁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ସୋମବାର ବିଜେପୁର ଗସ୍ତ କରିଥିଲେ।

ବରପାଲିଠାରେ ଆୟୋଜିତ ‘ଜୁହାର ବିଜେପୁର’ କାର୍ଯ୍ୟକ୍ରମରେ ନବୀନ ଯୋଗଦେଇ ବିଜେପୁରବାସୀଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

ନବୀନ ପଟ୍ଟନାୟକ କହିଛନ୍ତି,”ବିଜେଡି ପ୍ରାର୍ଥୀଙ୍କୁ ଜିତାଇ ବିଜେପୁରବାସୀ ମୋ ମନୋବଳକୁ ଦୁଇଗୁଣ ବଢ଼ାଇ ଦେଇଛନ୍ତି। ଅଧିକରୁ ଅଧିକ କାମ କରିବା ପାଇଁ ମୋତେ ପ୍ରେରଣା ଦେଇଛନ୍ତି। ବିଜେପୁରବାସୀ ବିକାଶର ରାସ୍ତାକୁ ଆପଣାଇ ନେଇଥିବାରୁ ମୁଁ ସେମାନଙ୍କୁ ଧନ୍ୟବାଦ ଜଣାଉଛି। ନିର୍ବାଚନ ବେଳେ ଯାହା ପ୍ରତିଶ୍ରୁତି ଦିଆଯାଇଥିଲା ତାହା ପୂରଣ କରାଯିବ। ବିଜେପୁରର ବିକାଶ ଦାୟିତ୍ବ ମୁଁ ବୁଝିବି। ଏହି ବିକାଶ ଧାରା ଆଜିଠାରୁ ଆରମ୍ଭ ହେଲା।”

ସୋମବାର ପୂର୍ବାହ୍ନଣରେ ନବୀନ ପ୍ରଥମେ ଝାରସୁଗୁଡ଼ା ଜିଲ୍ଲା ଗସ୍ତ କରିଥିଲେ। ସେଠାରେ ବିଜୁ ଏକ୍ସପ୍ରେସ୍ ୱେ ଲୋକାର୍ପଣ କରିବା ପରେ ଅପରାହ୍ଣରେ ବିଜେପୁର ଆସିଥିଲେ। ବିଜେପୁର ଭୋଟରଙ୍କୁ ଧନ୍ୟବାଦ ଜଣାଇଥିଲେ।

“ବିଜେପୁରର ବିକାଶ କାମ ତ୍ୱରା୍ନ୍ୱିତ କରାଯିବ। ୨୦୧୮ ଅଗଷ୍ଟ ୧୫ ସୁଦ୍ଧା ବିଜେପୁରର ସମସ୍ତ ଗାଁକୁ ବିଦ୍ୟୁତକରଣ କରାଯିବ। ବୁଣାକାରଙ୍କ ସାମଗ୍ରୀ ଉପରୁ ସମ୍ପୂର୍ଣ୍ଣ ରୂପେ ଜିଏସ୍‌ଟି ଛାଡ଼ ପାଇଁ ଦାବି କରାଯିବ”, କହିଛନ୍ତି ନବୀନ ପଟ୍ଟନାୟକ।

ଏହି କାର୍ଯ୍ୟକ୍ରମରେ ବିଜେଡିର ବହୁ ବରିଷ୍ଠ ନେତା, ମନ୍ତ୍ରୀ ଉପସ୍ଥିତ ଥିଲେ। ବିଜେପୁର ବିଧାୟିକା ରିତା ସାହୁ ମଧ୍ୟ ଉପସ୍ଥିତ ଥିଲେ।

ରିତା ସାହୁ କହିଛନ୍ତି, “ମୁଖ୍ୟମନ୍ତ୍ରୀ ବିଜେପୁର ଗସ୍ତରେ ଆସିଥିବାରୁ ବିଜେପୁରବାସୀ ବହୁତ ଖୁସି। ବିଜେପୁରର ବିକାଶ ଧାରା ଆଗକୁ ଯିବ। ବିଜେପୁରର ସମସ୍ୟା ମଧ୍ୟ ମୁଁ ବିଧାନସଭାରେ ଉପସ୍ଥାପନ କରିବି।”

ଧନ୍ୟବାଦ ଉତ୍ସବ ବେଳେ ମୁଖ୍ୟମନ୍ତ୍ରୀ ବିଜେପୁରରେ ୨୦ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି।

Comment