ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ୫୮ ହଜାର ସ୍କୁଲର ଶିକ୍ଷା ସହାୟକ। ସମୂହ ଛୁଟିରେ ଆସି ରାଜଧାନୀରେ ହକ୍ ପାଇଁ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେଲେ ସ୍କୁଲର ବାର୍ଷିକ ପରୀକ୍ଷା ବର୍ଜନ କରିବାକୁ ଧମକ ଦେଇଛନ୍ତି।
ରାଜ୍ୟର ମୋଟ ୭୦ ହଜାର ଶିକ୍ଷା ସହାୟକ ସୋମବାରଠାରୁ ଛୁଟିରେ ଯାଇଛନ୍ତି। ୭ ଦଫା ଦାବି ନେଇ ଶିକ୍ଷା ସହାୟକ ରାଜଧାନୀ ଭୁବନେ୍ଶ୍ୱରରେ ଗର୍ଜନ କରିଛନ୍ତି। ଲୋୟର ପିଏମ୍ଜିରେ ଏକାଠି ହୋଇ ଦାବି ପୂରଣ କରିବାକୁ ଦାବି କରିଛନ୍ତି।
ସପ୍ତମ ବେତନ କମିସନ ଲାଗୁ, ବଦଳୀ ନୀତିରେ କୋହଳ ଏବଂ ମୃତ୍ୟୁକାଳୀନ ସହାୟତା ପ୍ରଦାନ ଦାବିରେ ଶିକ୍ଷା ସହାୟକ ସଂଘ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ରାଜ୍ୟର ୫୮ ହଜାର ପ୍ରାଥମିକ, ଉଚ୍ଚ ପ୍ରାଥମିକ ଏବଂ ନୋଡାଲ ସ୍କୁଲରେ ନିୟୋଜିତ ଶିକ୍ଷା ସହାୟକମାନେ ଆନ୍ଦୋଳନ କରୁଛନ୍ତି।
ସରକାର ଦାବି ପୂରଣ ନକରିବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ ବୋଲି ସଂଘ ଚେତାବନୀ ଦେଇଛି। ଯଦି ସରକାର ସେମାନଙ୍କ ଦାବି ବିଚାର ନକରନ୍ତି ତାହାଲେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ହେବାକୁ ଥିବା ବାର୍ଷିକ ପରୀକ୍ଷା ବର୍ଜନ କରିବେ ବୋଲି ଶିକ୍ଷକମାନେ କହିଛନ୍ତି।
“୭ ଦଫା ଦାବି ପୂରଣ କରିବା ପାଇଁ ଆମେ ଦୀର୍ଘ ଦିନ ହେଲା ଦାବି କରି ଆସୁଛୁ। ହେଲେ ସରକାର ଦାବିକୁ ବିଚାର କରୁ ନାହାନ୍ତି। ସରକାର ଆମ ଦାବିକୁ ଅଣଦେଖା କରୁଥିବାରୁ ଆମେ ବାଧ୍ୟ ହୋଇ ଆନ୍ଦୋଳନକୁ ଓହ୍ଲାଇଛୁ”, କହିଛନ୍ତି ଶିକ୍ଷା ସହାୟକ ସଂଘ ସଭାପତି ମଳୟ କୁମାର ଜେନା।
ସ୍କୁଲ ଏବଂ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, “ଶିକ୍ଷା ସହାୟକ ଯେଉଁ ଦାବି ଉପସ୍ଥାପନ କରିଛନ୍ତି ସେ ସମ୍ପର୍କରେ ପୂର୍ବରୁ ଆଲୋଚନା ହୋଇଛି। ଏହି ଦାବିକୁ ନେଇ ସରକାର ଏବଂ ସଂଘ ମଧ୍ୟ ଏକ ବୁଝାମଣା ହୋଇଛି। କିଛି ଦାବି ପୂରଣ ହୋଇଛି ଏବଂ ଆଉ କିଛି ରହି ଯାଇଛି। ଆମେ ସଂଘକୁ ଡାକି ଆଲୋଚନା କରିବୁ। ପରୀକ୍ଷା ଉପରେ ଶିକ୍ଷକ ଆନ୍ଦୋଳନର କୌଣସି ପ୍ରଭାବ ପଡ଼ିବ ନାହିଁ।”








ଭୁବନେଶ୍ୱରର ଲୋୟର ପିଏମ୍ଜିରେ ଏକାଠି ହୋଇଛନ୍ତି ୫୮ ହଜାର ସ୍କୁଲର ଶିକ୍ଷା ସହାୟକ। ସମୂହ ଛୁଟିରେ ଆସି ରାଜଧାନୀରେ ହକ୍ ପାଇଁ ଆନ୍ଦୋଳନ କରିଛନ୍ତି। ଦାବି ପୂରଣ ନହେଲେ ସ୍କୁଲର ବାର୍ଷିକ ପରୀକ୍ଷା ବର୍ଜନ କରିବାକୁ ଧମକ ଦେଇଛନ୍ତି।









