ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦକ୍ଷତା ପ୍ରଦର୍ଶନ ପାଇଁ କୌଣସି ଅର୍ଥ କେବେ ବାଧକ ସାଜେ ନାହିଁ। ତାହା ପ୍ରମାଣ କରି ଦେଖାଇଛନ୍ତି ଆସାମର କୁନି କଣ୍ଠଶିଳ୍ପୀ ମାନୁଷୀ ଶାହୋରିୟା।

ଚଳିତବର୍ଷ ରିଏଲିଟି ସୋ ‘ଦ ଭଏସ୍ ଅଫ୍ ଇଣ୍ଡିଆ କିଡ୍ସ ୨’ର ବିଜେତା ହୋଇଛନ୍ତି ଆସାମର ୧୧ବର୍ଷୀୟ ମାନଷୀ ଶାହୋରିୟା ।

ମାତ୍ର ତିନି ବର୍ଷ ବୟସରୁ ଗୀତ ଗାଇବା ଆରମ୍ଭ କରିଥିବା ମାନୁଷୀଙ୍କ କଣ୍ଠର ଯାଦୁକୁ ପୁରା ଦେଶ ସଲାମ କରିଛି। ଛୋଟ ଏକ ଝୁମ୍ପୁଡ଼ି ଘରେ ବାସ କରନ୍ତି ମାନୁଷୀଙ୍କ ପରିବାର। କୁନି ଝିଅର ସଙ୍ଗୀତ ପ୍ରତି ଆଗ୍ରହ ଥିବା ଦେଖି ତାକୁ ଟ୍ରେନିଂ ଦେବା ପାଇଁ ଆର୍ଥିକ ସମ୍ବଳର ଅଭାବ ଥିଲା। ଏପରିସ୍ଥଳେ ଟିଭିରୁ ହିନ୍ଦୀ ଗୀତ ସବୁ ଶୁଣିଶୁଣି ରିୟାଜ୍ କରିବା ଆରମ୍ଭ କଲେ।

‘ଦ ଭଏସ୍ ଅଫ୍ ଇଣ୍ଡିଆ କିଡ୍ସ ୨’ ଭାଗ ନେବା ପାଇଁ ମାନୁଷୀଙ୍କ ପାଖରେ ଅର୍ଥ ବି ନଥିଲା। ଏଥିପାଇଁ ମାନୁଷୀଙ୍କ ଗାଁ ଲୋକେ ଆବଶ୍ୟକ ଅର୍ଥ ଆଦାୟ କରି ତାଙ୍କୁ ସୋ’ରେ ଭାଗ ନେବା ପାଇଁ ପଠାଇଥିଲେ।

“ପ୍ରଥମେ ମୁଁ ମୋ ଗାଁ ଲୋକଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ଯେଉଁମାନେ ମୋ ଟ୍ୟାଲେଣ୍ଟ୍ ଉପରେ ଭରସା କରି ମୋତେ ସମର୍ଥନ ଦେଇଥିଲେ”, ସୋ’ ବିଜୟୀ ହେବା ପରେ ଏହା କହିଛନ୍ତି ମାନୁଷୀ।

ଗ୍ରାଣ୍ଡ ଫାଇନାଲରେ ଶ୍ରୁତି ଗୋସ୍ଵାମୀ, ସକିନା ମୁଖିଆ, ଗୁନତାସ୍ କୌର୍, ନିଲାଞ୍ଜନା ଗୌର ଓ ମହମ୍ମଦ ଫାଜିଲଙ୍କ ସହ ମାନୁଷୀଙ୍କ ଟକ୍କର ହୋଇଥିଲା। ଶ୍ରୁତି ଏହି ସୋ’ର ଦ୍ଵିତୀୟ ରନର୍ସଅପ୍ ହୋଇଥିଲେ। ମାନୁଷୀଙ୍କୁ ବିଜେତା ଟ୍ରଫି ସହ ୨୫ଲକ୍ଷ ଟଙ୍କାର ଚେକ୍ ମିଳିଥିଲା।

ଗତ କିଛିଦିନ ହେବ ରିଏଲିଟି ସୋ ‘ଦ ଭଏସ୍ ଅଫ୍ ଇଣ୍ଡିଆ କିଡ୍ସ ୨’ ଚର୍ଚ୍ଚାରେ ଥିଲା। କଣ୍ଠଶିଳ୍ପୀ ପାପୁନ୍ ସୋ’ର ଜଣେ ପ୍ରତିଯୋଗୀଙ୍କୁ ଚୁମ୍ବନ ଦେଇ ବିବାଦ ଘେରକୁ ଆସିଥିଲେ।

Comment