ଓଡ଼ିଶାଲାଇଭ୍ ବ୍ୟୁରୋ

- ଆଜିଠୁ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ସତ୍ୟାଗ୍ରହ
- ଭୁବନେଶ୍ୱର ଡିସିପି ଅଫିସ୍ ସମ୍ମୁଖରେ ବିକ୍ଷୋଭ କଲା ବିଜେପି
- ରାଜନୈତିକ ଆକ୍ରୋଶ ରଖି ଗିରଫ କରାଯାଇଛି: ବସନ୍ତ ପଣ୍ଡା
- ମୁଖ୍ୟମନ୍ତ୍ରୀ କହିଲେ, “ଆଇନ୍ ତା ବାଟରେ ଯିବ”
ବରଗଡ଼ ବନାବିରା ଆକ୍ରମଣରେ ବିଜେପି ନେତା ଜୟନାରାୟଣ ମିଶ୍ର ଗିରଫ ହେବା ପରେ ପ୍ରତିବାଦ କରିଛି ବିଜେପି। ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀଙ୍କ ନେତୃତ୍ୱରେ ଶତାଧିକ କର୍ମୀ ଭୁବନେଶ୍ୱର ଡିସିପି ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଏହାସହ ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା ଗିରଫଦାରୀକୁ ନିନ୍ଦା କରିଛନ୍ତି।
ବସନ୍ତ ପଣ୍ଡା କହିଛନ୍ତି, “ପୋଲିସକୁ ହାତ ବାରିସି କରି ରାଜନୈତିକ ପ୍ରତିଶୋଧ ନିଆଯାଉଛି। ଏହାର ବିରୋଧରେ ଆମେ ସମସ୍ତ ଜିଲ୍ଲାପାଳ, ଏସ୍ପି ଅଫିସ, ଥାନା ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଧାରଣା ଦେବୁ। ଶୁକ୍ରବାରଠାରୁ ଏହା ରାଜ୍ୟବ୍ୟାପୀ ଚାଲିବ।”
ଜୟନାରାୟଣ ମିଶ୍ରଙ୍କ ଗିରଫଦାରୀ ଉପରେ ମତ ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କହିଛନ୍ତି, ଆଇନ୍ ତା’ ବାଟରେ ଯାଉଛି।
ବିଜେପୁର ଉପ-ନିର୍ବାଚନ ପୂର୍ବରୁ ବନବିରାଠାରେ ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଭାଇ ସୁବ୍ରତ ସିଂ ଏବଂ ତାଙ୍କ ସହଯୋଗୀଙ୍କ ଉପରେ ହୋଇଥିଲା ମରଣାନ୍ତକ ଆକ୍ରମଣ। ଏହି ଆକ୍ରମଣରେ ସୁବ୍ରତ ଗୁରୁତର ଆହତ ହେବା ସହ ତାଙ୍କ ଡ୍ରାଇଭର ଦିଲେଶ୍ୱର ମଧ୍ୟ ଗୁରୁତର ହୋଇଥିଲେ। ଉଭୟଙ୍କୁ ବୁର୍ଲା ମେଡିକାଲରେ ଭର୍ତ୍ତି କରାଯାଇଥିଲା।
ଦିଲେଶ୍ୱରଙ୍କ ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ ହୋବରୁ ତାଙ୍କୁ କଟକ ଏସ୍ସିବି ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ଏଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାକୁ ନେଇ ବିଜେପି ଏବଂ ବିଜେଡି ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଥିଲା।


















