ଓଡ଼ିଶାଲାଇଭ୍ ବ୍ୟୁରୋ

- ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି
- କଟକରେ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ
- ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପିତ କଲେ
- ଇନଡୋର ଷ୍ଟାଡିୟମରେ ଉପସ୍ଥିତ ଜନତାଙ୍କୁ ସମ୍ବୋଧିତ କଲେ ମହାମହିମ
- ରାଷ୍ଟ୍ରପତି କହିଲେ, “ସ୍ୱାଧୀନତା ସଂଗ୍ରାମରେ ଆନନ୍ଦ ଭବନର ଭୂମିକା ଥିଲା ଗୁରୁତ୍ୱପୂର୍ଣ୍ଣ”
କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟ ଏବଂ ଅଧ୍ୟୟନ କେନ୍ଦ୍ରକୁ ଲୋକାର୍ପିତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଏହାପରେ ରାଷ୍ଟ୍ରପତି ଇନଡୋର ଷ୍ଟାଡିୟମଠାରେ ଆୟୋଜିତ ସଭାରେ ଯୋଗଦେଇ ଜନସାଧାରଣଙ୍କୁ ଉଦବୋଧନ ଦେଇଥିଲେ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣ ଆରମ୍ଭରୁ ଦୁଇ ପଦ ଓଡ଼ିଆରେ କହିଥିଲେ। ମୁଁ ଓଡ଼ିଶାର ପବିତ୍ର ମାଟି ଏବଂ ଏହାର ଜନତାଙ୍କୁ ପ୍ରଣାମ ଜଣାଉଛି କହିବା ପରେ ଉପସ୍ଥିତ ଦର୍ଶକଙ୍କ କରତାଳିରେ ଇନଡୋର ଷ୍ଟାଡିୟମ ପରିସର ପ୍ରକମ୍ପିତ ହୋଇଥିଲା।
ରାଷ୍ଟ୍ରପତି କହିଛନ୍ତି, “ଭାରତର ରାଷ୍ଟ୍ରପତି ଭାବେ ନିର୍ବାଚିତ ହେବା ପରେ ମୁଁ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସିଛି। କଟକସ୍ଥିତ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରି ମୁଁ ବହୁତ ଖୁସି। ଆନନ୍ଦ ଭବନକୁ ସଂଗ୍ରହାଳୟରେ ପରିଣତ କରିଥିବାରୁ ରାଜ୍ୟ ସରକାର ଏବଂ ବିଜୁବାବୁଙ୍କ ପରିବାରକୁ ଧନ୍ୟବାଦ ଜଣାଉଛି। ଏହି ସଂଗ୍ରହାଳୟ ଲୋକାର୍ପିତ ହୋଇଥିବାରୁ ସାଧାରଣ ଲୋକ ଏବଂ ବର୍ତ୍ତମାନ ପିଢ଼ିର ପିଲାମାନେ ବିଜୁବାବୁଙ୍କ ସମ୍ପର୍କରେ ବହୁ ତଥ୍ୟ ଜାଣିପାରିବେ।”

ବିଜୁବାବୁଙ୍କ ସମ୍ପର୍କରେ କ’ଣ କହିଲେ ରାଷ୍ଟ୍ରପତି?
ଆନନ୍ଦ ଭବନରେ ହେଉଥିଲା ସ୍ୱାଧୀନତା ସଂଗ୍ରାମର ରଣନୀତି
ଆନନ୍ଦ ଭବନ ସଂଗ୍ରହାଳୟ ଲୋକାର୍ପଣ ପାଇଁ ମୋତେ ଯେତେବେଳେ ନିମନ୍ତ୍ରଣ କରାଗଲା ସେତେବେଳେ ମୋର ସ୍ୱାଧୀନତା ସଂଗ୍ରାମ କଥା ମନେ ପଡ଼ିଯାଇଥିଲା। ସ୍ୱାଧୀନତା ସଂଗ୍ରାମ ବେଳେ ଏହି ଆନନ୍ଦ ଭବନ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ସ୍ୱାଧୀନତା ସଂଗ୍ରାମରେ ଝାସ ଦେଇଥିବା ସଂଗ୍ରାମୀମାନେ ଆନନ୍ଦ ଭବନରେ ଏକାଠି ହେଉଥିଲେ ଏବଂ ରଣନୀତି ପ୍ରସ୍ତୁତ କରୁଥିଲେ। ଭାରତରେ ଦୁଇଟି ଆନନ୍ଦ ଭବନ ରହିଛି। ଗୋଟିଏ ଆହ୍ଲାବାଦରେ ରହିଥିବା ବେଳେ ଆଉ ଗୋଟିଏ କଟକରେ ରହିଛି। ବିଜୁବାବୁଙ୍କ ବାପା ଏହି ଘରର ନାମ ଆନନ୍ଦ ଭବନ ରଖିବା ପଛରେ ଅନେକ କାରଣ ରହିଛି। ଦେଶ ଏବଂ ରାଜ୍ୟର ଜନତାଙ୍କୁ ଆନନ୍ଦରେ ରଖିବା ପାଇଁ ଏହି ଘରର ନାମ ଆନନ୍ଦ ଭବନ ରଖାଯାଇଥିବା ରାଷ୍ଟ୍ରପତି କହିଛନ୍ତି।

ବିଜୁବାବୁ ଥିଲେ ଦୂରଦୃଷ୍ଟିସମ୍ପନ୍ନ ନେତା
ବିଜୁବାବୁ ଥିଲେ ଜଣେ ଦୂରଦୃଷ୍ଟି ସମ୍ପନ୍ନ ନେତା। ସେତେବେଳେ ସେ ଯାହା ଚିନ୍ତା କରିଥିଲେ ତାହା ଏବେ କାର୍ଯ୍ୟକାରୀ କରାଯାଉଛି। ବିଜୁବାବୁ କଟକରୁ ପେଶଓ୍ବାର ସାଇକେଲ ଯାତ୍ରା କରି ଫିଟ୍ନେସ୍ ରହିବାର ମନ୍ତ୍ର ଦେଇଥିଲେ। ସେହିପରି ନାରୀଙ୍କୁ ସମ୍ମାନ ଦେବା କଥା ବି ବିଜୁବାବୁ ସେତେବେଳେ କହିଥିଲେ। ବିଜୁବାବୁଙ୍କ ଏହି ଆହ୍ବାନ ପରେ ପରବର୍ତ୍ତୀ ସରକାରମାନେ ନାରୀମାନଙ୍କୁ ସ୍ୱାବଲମ୍ବୀ କରିବା ଉପରେ ଜୋର୍ ଦେଇଥିଲେ। ସମସ୍ତଙ୍କୁ ଖୁସିରେ ରଖିବାକୁ ବିଜୁବାବୁ ଚାହୁଁଥିଲେ।
ବିଜୁବାବୁ ଯାହା କରୁଥିଲେ ସବୁ କଳିଙ୍ଗ ନାଁରେ
ବିଜୁବାବୁ ନିଜ ନାଁରେ କିଛି କରୁ ନଥିଲେ। ସେ ଯାହା ବି କରୁଥିଲେ ସବୁ କଳିଙ୍ଗ ନାଁରେ ନାମିତ କରୁଥିଲେ। ଏଥିରୁ ପ୍ରମାଣିତ ହେଉଛି ସେ କଳିଙ୍ଗ ଏବଂ କଳିଙ୍ଗ ରାଜ୍ୟର ଲୋକଙ୍କୁ ବିଜୁବାବୁ କେତେ ଭଲ ପାଉଥିଲେ। ଶିଳ୍ପ ପ୍ରତିଷ୍ଠାନଠାରୁ ଆରମ୍ଭ କରି ଏୟାରଲାଇନ୍ସ ପର୍ଯ୍ୟନ୍ତ ବିଜୁବାବୁ ଯାହା କରିଛନ୍ତି ତାହା କଳିଙ୍ଗ ନାଁରେ ହିଁ ରହିଥିଲା।

ଦୁଇ ସାହସୀଙ୍କୁ ଜନ୍ମ ଦେଇଛି କଟକ
ଐତିହାସିକ ସହର କଟକ ଦୁଇ ଜଣ ସାହସୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏବଂ ବିଜୁ ପଟ୍ଟନାୟକଙ୍କୁ ଜନ୍ମ ଦେଇଛି। ଏହି ଦୁଇ ଜଣ ମହାନ ବ୍ୟକ୍ତି କଟକରେ ଜନ୍ମ ହୋଇ ସାରା ଭାରତରେ ନିଜର ପ୍ରଭାବ ବିସ୍ତାର କରିଛନ୍ତି। ନେତାଜୀ ଏବଂ ବିଜୁବାବୁ ସ୍ବାଧୀନତା ସଂଗ୍ରାମରେ ସାମିଲ ହୋଇଥିଲେ। ସ୍ବାଧୀନତା ସଂଗ୍ରାମରେ ଝାସ ଦେଇ ବିଜୁବାବୁ ୩ ବର୍ଷ ଜେଲ୍ ମଧ୍ୟ ଯାଇଥିଲେ। ଇଣ୍ଡୋନେସିଆ ମୁକ୍ତି ସଂଗ୍ରାମରେ ବି ବିଜୁବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ। ବିଜୁବାବୁଙ୍କ ସାହସୀ ମନୋଭାବ ଯୋଗୁଁ ଇଣ୍ଡୋନେସିଆ ସ୍ବାଧୀନ ହୋଇଛି। ଖାଲି ସେତିକି ନୁହେଁ, ଜାତୀୟ ରାଜନୀତିରେ ବି ବିଜୁବାବୁଙ୍କ ଅବଦାନ ଅବିସ୍ମରଣୀୟ।
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଶନିବାର ପୂର୍ବାହ୍ଣ ୧୦ଟା୪୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ରାଜ୍ୟପାଳ ଡକ୍ଟର ଏସ୍ ସି ଜମୀର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିଥିଲେ। ଏହାପରେ ରାଷ୍ଟ୍ରପତି କଟକ ଅଭିମୁଖେ ଯାତ୍ରା କରିଥିଲେ। ପ୍ରଥମେ ଓଡ଼ିଆ ବଜାରସ୍ଥିତ ନେତାଜୀ ସଂଗ୍ରହାଳୟ ପରିଦର୍ଶନ କରିବା ପରେ ଆନନ୍ଦ ଭବନ ସଂଗ୍ରହାଳୟକୁ ଲୋକାର୍ପଣ କରିଥିଲେ ରାଷ୍ଟ୍ରପତି।


















