ଓଡ଼ିଶାଲାଇଭ୍ ବ୍ୟୁରୋ

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାକୁ ପୂରିଛି ୨୫ ଦିନ। ୨୫ ଦିନ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ମୃତ ସୌମ୍ୟଶେଖରଙ୍କ ମାଆ। ନବୀନ ନିବାସକୁ ଆସି ସୌମ୍ୟଶେଖରଙ୍କ ମାଆ ଏବଂ ଶ୍ୱଶୁର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବିସ୍ଫୋରଣ ଘଟଣାର ତଦନ୍ତକୁ ତ୍ୱରାନ୍ୱିତ କରିବାକୁ ନିବେଦନ କରିଛନ୍ତି।

ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଆଶ୍ବାସନା ଦେଇଛନ୍ତି। ଘଟଣାର ତଦନ୍ତ ତ୍ୱରାନ୍ୱିତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରେମ ବ୍ୟାପାରକୁ ସୌମ୍ୟଶେଖରଙ୍କ ମା’ ଖଣ୍ଡନ କରିଛନ୍ତି। ଏହା ପଛରେ ଇର୍ଷା ଏବଂ ପ୍ରତିଶୋଧ ଥାଇପାରେ ବୋଲି ସେମାନେ କହିଛନ୍ତି।

ଫେବ୍ରୁଆରି ୧୮ ତାରିଖରେ ପାଟଣାଗଡ଼ର ସୌମ୍ୟଶେଖର ସାହୁ ବୌଦ୍ଧର ରିନାରାଣୀ ସାହୁଙ୍କ ବିବାହ ହୋଇଥିଲା। ୨୨ ତାରିଖରେ ରିସେପସନ ସରିବା ପରେ ୨୩ ତାରିଖରେ ଏକ ଗିଫ୍ଟ ପାର୍ସଲ ଆସିଥିଲା। ଏହି ପାର୍ସଲ ଖୋଲିବା ପରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଫଳରେ ସୌମ୍ୟଶେଖର, ରିନା ଏବଂ ତାଙ୍କ ଜେଜେମା ଜେମାମଣୀ ଗୁରୁତର ଆହତ ହୋଇଥିଲେ।

ଜେମାମଣି ଏବଂ ସୌମ୍ୟଶେଖର ଚିକିତ୍ସାଧିନ ଅବସ୍ଥାରେ ଆଖିବୁଜି ଥିଲେ। ପାର୍ସଲ ବୋମା କେଉଁଠୁ ଏବଂ କିଏ ଦେଇଛି ତାକୁ ନେଇ ପୋଲିସ ଖୋଳତାଡ଼ କରୁଥିବା ବେଳେ ଏକ ନୂଆ ତଥ୍ୟ ସାମନାକୁ ଆସିଥିଲା। ନିର୍ବନ୍ଧ ପୂର୍ବରୁ ସୌମ୍ୟଙ୍କୁ ଜଣେ ଅଜଣା ବ୍ୟକ୍ତି ଫୋନରେ ଧମକ ଦେଇଥିବା ଜଣାପଡ଼ିଥିଲା। ରିନାରାଣୀ ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ଚିକିତ୍ସିତ ହେଉଥିଲେ। ବୋମା ବିସ୍ଫୋରଣରେ ତାଙ୍କ ସ୍ୱାମୀ ଆର ପାରିକୁ ଚାଲି ଯାଇଥିବା ସେ ୧୫ ଦିନ ପରେ ଜାଣିବାକୁ ପାଇଛନ୍ତି।

Comment