ଓଡ଼ିଶାଲାଇଭ୍ ବ୍ୟୁରୋ
ଦରପୋଡ଼ା ଶରୀରକୁ ନେଇ କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରିମା। ଏହି ସଂଘର୍ଷ ଭିତରେ ଆଉ ଏକ ଦୁଃଖଦ ଘଟଣା ତାଙ୍କ ମୁଣ୍ଡରେ ପାହାଡ଼ ହୋଇ ଛିଡ଼ି ପଡ଼ିଛି। ୨୫ ଦିନ ପରେ ମେଡିକାଲରେ ପୁରୁଣା ଖବରକାଗଜରୁ ସ୍ୱାମୀଙ୍କ ମୃତ୍ୟୁ ଖବର ପଢ଼ିବା ପରେ ରିମା ଆହୁରି ଭାଙ୍ଗି ପଡ଼ିଛନ୍ତି।
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ସବୁ ହସଖୁସିକୁ ଛଡ଼ାଇ ନେଇଛି। ନବ ବିବାହିତ ସୌମ୍ୟଶେଖର ଏବଂ ରିମାଙ୍କ ସୁନା ସଂସାରକୁ ଚୁର୍ମାର୍ କରିଦେଲା ଏହି ବିସ୍ଫୋରଣ। ସାରା ଜୀବନ ଯାହାଙ୍କ ହାତ ଧରି ବାଟ ଚାଲିବା ପାଇଁ ରିମା ସ୍ୱପ୍ନ ଦେଖିଥିଲେ ସେ ମଧ୍ୟ ଏହି ବିସ୍ଫୋରଣରେ ଆର ପାରିକୁ ଚାଲି ଯାଇଛନ୍ତି। ଏହି ଖବର ୨୫ ଦିନ ପରେ ଜାଣିବା ପରେ ରିମା ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।
ସବୁଦିନ ପରି ବଡ଼ ମେଡିକାଲର ପ୍ଲାଷ୍ଟିକ ସର୍ଜରୀ ୱାର୍ଡରେ ରିମା ଜଳଖିଆ ଖାଉଥିଲେ। କିନ୍ତୁ ସୋମବାରର ଘଟଣା ଥିଲା ଭିନ୍ନ। ସକାଳ ୮ଟାରେ ଜଳଖିଆ ଖାଉଥିବା ବେଳେ ହଠାତ୍ ରିମାଙ୍କ ନଜର କିଛି ପୁରୁଣା ଖବର ଖବରକାଗଜ ଉପରେ ପଡ଼ିଥିଲା। ଏହି ଖବରରେ ଲେଖାଥିଲା ‘ପାର୍ସଲ ବୋମା ବିସ୍ଫୋରଣରେ ସୌମ୍ୟଶେଖର ମୃତ’। ୨୫ ଦିନ ପରେ ସ୍ୱାମୀଙ୍କ ମରିବା ଖବର ଖବରକାଗଜରୁ ପଢ଼ିବା ପରେ ରିମାଙ୍କୁ ସମ୍ଭାଳିବା ମୁସ୍କିଲ ହୋଇଯାଇଥିଲା। ତାଙ୍କ ପାଖରେ ଥିବା ପରିବାର ଲୋକ ଯେତେ ବୁଝାଇଥିଲେ ବି ରିମା ବୁଝି ନଥିଲେ। ମେଡିକାଲ ବେଡ୍ରେ କାନ୍ଦି କାନ୍ଦି ନୟାନ୍ତ ହୋଇ ଯାଇଥିଲେ ରିମା।
ଫେବ୍ରୁଆରି ୧୮ରେ ହୋଇଥିଲା ବାହାଘର। ପାଟଣାଗଡ଼ର ସୌମ୍ୟଶେଖର ସୋନପୁରର ରିମାଙ୍କୁ କରିଥିଲେ ବିବାହ। ୨୨ରେ ଧୁମଧାମରେ ହୋଇଥିଲା ଭୋଜି। ୨୩ ସକାଳେ ବନ୍ଧୁ ବାନ୍ଧକ ନିଜ ଘରକୁ ଫେରିଯିବା ପରେ ନବଦମ୍ପତ୍ତି ପାର୍ସଲ ଖୋଲି ଦେଖୁଥିଲେ ଗିଫ୍ଟ। ସାଙ୍ଗରେ ଯୋଡ଼ି ହୋଇଯାଇଥିଲେ ସୌମ୍ୟଶେଖରଙ୍କ ଜେଜେମା ଜେମାମଣି।
ଗୋଟଏ ପରେ ଗୋଟିଏ ପାର୍ସଲ ଖୋଲା ଚାଲିଥିବା ବେଳେ ସେହିଦିନ କୋରିଅରରେ ଆସି ପହଞ୍ଚିଥିଲା ଆଉ ଏକ ଗିଫ୍ଟ। ହେଲେ କିଏ ଜାଣିଥିଲା ଏହି ପାସର୍ଲ ଭିତରେ ମୃତ୍ୟୁ ଲୁଚି ରହିଛି ବୋଲି? ପାସ;ଲଟି ଖୋଲିବା ମାତ୍ରେ ଶକ୍ତିଶାଳୀ ବିସ୍ଫୋରଣ ହୋଇଥିଲା। ଏଥିରେ ଗୁରୁତର ହୋଇଯାଇଥିଲେ ନବ ବିବାହିତଙ୍କ ସମେତ ଜେଜେମା ଜେମାମଣି।
ତିନି ଜଣଙ୍କୁ ପାଟଣାଗଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ହେଲେ ଆଗ ପଛ ହୋଇ ଜେଜେମା ଏବଂ ନାତି ଆରପାରିକୁ ଚାଲି ଯାଇଥିଲେ। ରିମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ରାଉରକେଲା ସ୍ଥାନାନ୍ତର କରାଯାଇଥିଲା। ପରେ ତାଙ୍କୁ କଟକ ଅଣାଯାଇଛି। ଯାହାର ହାତ ଧରି ସାରା ଜୀବନ କାଟିବା ପାଇଁ ରିମା ସ୍ୱପ୍ନ ଦେଖିଥିଲେ ସେ ଏଇ ଦୁନିଆରେ ନାହାନ୍ତି ବୋଲି ପରିବାର ଲୋକ ରିମାଙ୍କୁ କହିବାକୁ ସାହସ କରିପାରି ନଥିଲେ। ଏପରିକି ଡାକ୍ତର ବି କିଛି କହି ନଥିଲେ। ସମସ୍ତେ ଘଟଣାକୁ ଲୁଚାଇ ରଖିଥିଲେ।
ସୋମବାର କିନ୍ତୁ ସବୁ ସତ ଜାଣିପାରିଛନ୍ତି ରିମା। ଯାହାକୁ ଜୀବନ ସାଥୀ ଭାବେ ବାଛିଥିଲେ ସେ ଆଉ ନାହାନ୍ତି ଜାଣିବା ପରେ ରିମା ବାକି ଜୀବନ କେମିତି କାଟିବେ ତାକୁ ନେଇ ଭାଳି ହେଉଛନ୍ତି।








ଦରପୋଡ଼ା ଶରୀରକୁ ନେଇ କଟକ ବଡ଼ ମେଡିକାଲରେ ଜୀବନ ସହ ସଂଗ୍ରାମ କରୁଛନ୍ତି ରିମା। ଏହି ସଂଘର୍ଷ ଭିତରେ ଆଉ ଏକ ଦୁଃଖଦ ଘଟଣା ତାଙ୍କ ମୁଣ୍ଡରେ ପାହାଡ଼ ହୋଇ ଛିଡ଼ି ପଡ଼ିଛି। ୨୫ ଦିନ ପରେ ମେଡିକାଲରେ ପୁରୁଣା ଖବରକାଗଜରୁ ସ୍ୱାମୀଙ୍କ ମୃତ୍ୟୁ ଖବର ପଢ଼ିବା ପରେ ରିମା ଆହୁରି ଭାଙ୍ଗି ପଡ଼ିଛନ୍ତି।









